ସୁନାର ଚୋରାଚାଲାଣ: ୟୁରୋପ ଦେଇ ଅଧିକ ଆସୁଛି

ନୂଆଦିଲ୍ଲୀ: ସୀମା ଶୁଳ୍କ ବିଭାଗର ଅଧିକାରୀମାନେ ଡାଳେଡାଳେ ଗଲେ ସୁନା ଚୋରାଚାଲାଣକାରୀମାନେ ପତ୍ରେ ପତ୍ରେ ଯାଉଛନ୍ତି। ଭାରତକୁ ସାଧାରଣତଃ ସୁନା ଚୋରାଚାଲାଣ ଉପସାଗରୀୟ ଦେଶଗୁଡ଼ିକ ଦେଇ ହୋଇଥାଏ। ଏହିସବୁ ଦେଶରୁ ବିମାନରେ ଆସୁଥିବା ଯାତ୍ରୀମାନେ ଭାରତକୁ ସୁନା ଚୋରାଚାଲାଣ ଅଧିକ ମାତ୍ରାରେ କରିଥାନ୍ତି। କିନ୍ତୁ ଗତ କିଛିଦିନ ହେଲା ଭାରତକୁ ସୁନା ଚୋରାଚାଲାଣ ଉପସାଗରୀୟ ଦେଶ ପରିବର୍ତ୍ତେ ୟୁରୋପର ବିଭିନ୍ନ ଦେଶ ଦେଇ ଭାରତକୁ ହେଉଛି। ସୀମା ଶୁଳ୍କ ବିଭାଗର ଅଧିକାରୀଙ୍କ ସନ୍ଦେହରୁ ବର୍ତ୍ତିବା ଲାଗି ଲୋକମାନେ ଭାରତକୁ ସୁନା ଚୋରାଚାଲାଣ ପାଇଁ ୟୁରୋପୀୟ ଦେଶକୁ ବାଛି ନେଇଛନ୍ତି।

କାରଣ ଉପସାଗରୀୟ ଦେଶଗୁଡ଼ିକରୁ ଯେଉଁ ବିମାନ ଭାରତକୁ ଆସେ ସେଗୁଡ଼ିକ ଉପରେ ସୀମା ଶୁଳ୍କ ବିଭାଗର ଅଧିକାରୀମାନେ ତୀକ୍ଷ୍‌ଣ ନଜର ରଖିଛନ୍ତି। ଏସବୁ ଦେଶରୁ ଭାରତକୁ ସୁନା ଚୋରାଚାଲାଣ କରିବା କଷ୍ଟକର ହୋଇପଡ଼ିଥିବାରୁ ଚୋରାଚାଲାଣକାରୀମାନେ ଏବେ ୟୁରୋପୀୟ ଦେଶଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଏହା ଏବେ ଏକ ନୂଆ ଧାରା ପାଲଟିଛି ବୋଲି ସୀମା ଶୁଳ୍କ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଚଳିତମାସରେ ଫ୍ରାଙ୍କଫର୍ଟ ଏବଂ ଲଣ୍ଡନରୁ ଆସୁଥିବା ଯାତ୍ରୀ ଚୋରାରେ ସୁନା ଆଣିବା ସମୟରେ ଧରାପଡ଼ିଛନ୍ତି। ଫ୍ରାଙ୍କଫର୍ଟ ବିମାନ ବନ୍ଦର ଦେଇ ଏକ ଦମ୍ପତି ୨୫.୫୪ ଲକ୍ଷ ଟଙ୍କା ମୂଲ୍ୟର ୯୯୫ ଗ୍ରାମ ସୁନା ଆଣିବାବେଳେ ସୀମା ଶୁଳ୍କ ବିଭାଗର ଅଧିକାରୀଙ୍କ ହାତରେ ଭାରତରେ ଧରାପଡ଼ିଛନ୍ତି। ଏହି ଦମ୍ପତିଙ୍କ ମଧ୍ୟରୁ ସ୍ୱାମୀଙ୍କର ବୟସ ୬୭ ବର୍ଷ ହୋଇଥିବାବେଳେ ସ୍ତ୍ରୀଙ୍କ ବୟସ ୬୫ବର୍ଷ। ସେହିଭଳି ଚଳିତମାସ ୨ ତାରିଖରେ ଜଣେ ଯାତ୍ରୀ ଲଣ୍ଡନରୁ ୧ କିଲୋଗ୍ରାମରୁ ଅଧିକ ସୁନା ଆଣିବାବେଳେ ଧରା ପଡ଼ିଛନ୍ତି। ଏପରିକି ସେହି ଯାତ୍ରୀଜଣକ ମଳଦ୍ୱାରରେ ୪୦୦ ଗ୍ରାମ୍‌ର ସୁନା ଲୁଚାଇ ରଖିଥିବା ଜଣାପଡ଼ିଥିଲା। ଏସବୁ ସୁନାର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସୀମା ଶୁଳ୍କ ଅଧିକାରୀମାନେ ସେହି ବ୍ୟକ୍ତିଙ୍କୁ ଧରିବା ସହିତ ଗିରଫ ମଧ୍ୟ କରିଛନ୍ତି।

ଗତମାସରେ ପ୍ୟାରିସ୍‌ରୁ ଚୋରାରେ ସୁନା ଆଣିଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସେହି ଯାତ୍ରୀଜଣକ ବେଆଇନ ଭାବେ ୨ କିଲୋଗ୍ରାମ୍‌ରୁ ଅଧିକ ସୁନା ସାଙ୍ଗରେ ଆଣିଥିଲେ, ଯାହାର ମୂଲ୍ୟ ପ୍ରାୟ ୬୬ ଲକ୍ଷ ଟଙ୍କା ହେବ। ସେହିଭଳି ଗତମାସରେ ଇଟାଲିରୁ ଚୋରାରେ ସୁନା ଆଣିଥିବା ଜଣେ ଯାତ୍ରୀକୁ ମଧ୍ୟ ସୀମା ଶୁଳ୍କ ବିଭାଗ ଗିରଫ କରିଥିଲା। ସେହି ଯାତ୍ରୀଜଣକ ୧.୫ କିଲୋଗ୍ରାମରୁ ଅଧିକ ସୁନା ଆଣିଥିଲେ, ଯାହାର ମୂଲ୍ୟ ପ୍ରାୟ ୪୫.୨୩ ଲକ୍ଷ ଟଙ୍କା ହେବ। କେବଳ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦର ନୁହେଁ ଦେଶର ଅନ୍ୟ ବିମାନ ବନ୍ଦର ଗୁଡ଼ିକରେ ମଧ୍ୟ ୟୁରୋପୀୟ ଦେଶଗୁଡ଼ିକରୁ ଯାତ୍ରୀମାନେ ଚୋରାରେ ଅଧିକ ସୁନା ଆଣୁଥିବା ଦେଖିବାକୁ ମିଳୁଛି।

ବେଆଇନଭାବେ ଆସିଥିବା ୧୧୦ କିଲୋଗ୍ରାମ ସୁନାକୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୀମା ଶୁଳ୍କ ବିଭାଗର ଅଧିକାରୀମାନେ ଚଳିତ ବର୍ଷ ଜାନୁଆରିରୁ ଅକ୍ଟୋବର ମଧ୍ୟରେ ଧରିଛନ୍ତି। ଏହି ସୁନାର ମୂଲ୍ୟ ପ୍ରାୟ ୩୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହଭଳି ଗତବର୍ଷ ସୀମା ଶୁଳ୍କ ବିଭାଗ ୧୮୮ କିଲୋଗ୍ରାମ ସୁନା ଜବତ କରି ୧୧୦ଟି ମାମଲା ରୁଜୁ କରିଛି। ଭାରତକୁ ଦିଲ୍ଲୀ ବିମାନ ବନ୍ଦର ବାଟେ ସର୍ବାଧିକ ସୁନା ଚୋରାଚାଲାଣ ହୋଇ ଆସୁଥିବାରୁ ସୀମା ଶୁଳ୍କ ବିଭାଗ ଏହି ବିମାନ ବନ୍ଦର ଉପରେ ସବୁଠୁ ଅଧିକ ନଜର ରଖିଛି।

ସମ୍ବନ୍ଧିତ ଖବର