‘ଆୟକର ସାଇଟ୍‌’ର ତ୍ରୁଟିବିଚ୍ୟୁତି ସମ୍ବନ୍ଧରେ ବୁଝାଇ ଦେବା ଲାଗି ଆଗାମୀକାଲି ‘ଇମ୍ଫୋସିସ୍‌’ର ‘ସିଇଓ’ଙ୍କୁ ଡକାଇଛନ୍ତି ସରକାର

ନୂଆଦିଲ୍ଲୀ: ଜୁନ୍‌ ମାସରୁ ବ୍ୟବହୃତ ହୋଇ ଆସୁଥିବା ନୂତନ ଆୟକର ‘ଇ-ଫାଇଲିଙ୍ଗ୍ ପୋର୍ଟାଲ୍‌’ରେ ଲାଗିରହିଥିବା ତ୍ରୁଟିବିଚ୍ୟୁତି ସମ୍ବନ୍ଧରେ ବୁଝାଇ ଦେବା ଲାଗି ‌କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଆଗାମୀକାଲି ‘ଇମ୍ଫୋସିସ୍‌’ର ମୁଖ୍ୟ ସଲିଳ ପାରେଖଙ୍କୁ ଡକାଇଛନ୍ତି।

ପୂର୍ବରୁ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସମସ୍ୟା ଯୋଗୁଁ ଚିନ୍ତାପ୍ରକଟ କରିଥିଲେ। ଏହି ପୋର୍ଟାଲ୍‌କୁ ଅଧିକ ହିତକାରୀ ଏବଂ ସରଳ କରିବା ଲାଗି ଆବଶ୍ୟକମତେ କାର୍ଯ୍ୟ କରିବା ଲାଗି ପା‌ରେଖ ଏବଂ ବରିଷ୍ଠ ଏକ୍ଜିକ୍ୟୁଟିଭ୍‌ ପ୍ରବୀଣ ରାଓଙ୍କୁ କୁ‌ହାଯାଇଛି ବୋଲି ଅର୍ଥମନ୍ତ୍ରାଳୟ କହିଥିଲା।

ଆଜି ଭାରତର ଆୟକର ବିଭାଗର ଅଫିସିଆଲ୍‌ ଟୁଇଟର୍‌ ହ୍ୟାଣ୍ଡେଲ୍‌ ପୋଷ୍ଟ୍‌ରେ ଉଲ୍ଲେଖ ଅଛି: ଶୁଭାରମ୍ଭ ହେବାର ଅଢ଼େଇ ମାସ ପରେ ମଧ୍ୟ କାହିଁକି ନୂତନ ‘ଇ-ଫାଇଲିଙ୍ଗ୍‌ ପୋର୍ଟାଲ୍‌’ରେ ଦେଖା ଦେଉଥିବା ତ୍ରୁଟିବିଚ୍ୟୁତିର ସମାଧାନ ହୋଇ ପାରିନାହିଁ ତାହା ବୁଝାଇ ଦେବା ଲାଗି ଅର୍ଥମନ୍ତ୍ରାଳୟ ଅଗଷ୍ଟ ୨୩ ତାରିଖ ଦିନ ‘ଇମ୍ଫୋସିସ୍‌’ର ‘ଏମ୍‌ଡି ତଥା ‘ସିଇଓ’ ସଲିଳ ପାରେଖଙ୍କୁ ଡକାଇଛନ୍ତି। ପ୍ରକୃତ କଥା ହେଲା, ୨୦୨୧ ଅଗଷ୍ଟ ୨୧ ତାରିଖରୁ ସ୍ବଂୟ ଏହି ‘ପୋର୍ଟାଲ୍‌’ର ଦୃଷ୍ଟି ଗୋଚର ହେଉନାହିଁ।

Image Courtesy of BIGNEWS

ସେବା ଆରମ୍ଭ ସମୟରୁ କେତେଗୁଡ଼ିଏ ବୈଷୟିକ ତ୍ରୁଟିବିଚ୍ୟୁତି ଥିବା ଏହି ନୂତନ ପୋର୍ଟାଲ୍‌ର ଡିଜାଇନ୍‌ କରିଥିଲା ‘ଇମ୍ଫୋସିସ୍’। ସବୁବେଳେ ‘ସାଇଟ୍‌’ର ସ୍କ୍ରିନ୍‌ସଟ୍‌ ସହ ଅର୍ଥମନ୍ତ୍ରୀଙ୍କୁ ‘ଟ୍ୟାଗ୍‌’ କରି ବ୍ୟବହାରକାରୀମାନେ ଏହି ସମସ୍ୟା ସଂକ୍ରାନ୍ତରେ ଅବଗତ କରାଇଥିଲେ।

ଏହି ‘ସାଇଟ୍‌’ରେ ‘ପ୍ରୋଫାଇଲ୍‌ ଅପ୍‌ଡେଟେସନ୍‌’ କିଂବା ‘ପାସ୍‌ୱାର୍ଡ’ ପରିବର୍ତ୍ତନ ଭଳି ଅତି ସରଳ କାର୍ଯ୍ୟ ସବୁ ମଧ୍ୟ କରିବାରେ ସମସ୍ୟା ଉପୁଜୁଛି। ଏହି ‘ପୋର୍ଟାଲ୍‌’ ଅତ୍ୟନ୍ତ ମନ୍ଥର ଏବଂ ‘ଲଗିଙ୍ଗ୍ ଇନ୍‌’ କରିବା ପାଇଁ ଅଧିକ ସମୟ ଲାଗୁଥିବା କଥା ଅନେକ ବ୍ୟବହାରକାରୀ ମଧ୍ୟ ଅଭିଯୋଗ କରିଛନ୍ତି।

ଏହି ପୋର୍ଟାଲ୍‌ ବିକଶିତ କରିବା ପାଇଁ ୨୦୧୯ ଜାନୁଆରିରୁ ୨୦୨୧ ଜୁନ୍‌ ମଧ୍ୟରେ ସରକାର ‘ଇମ୍ଫୋସିସ୍‌’କୁ ୧୬୪.୫ କୋଟି ଟଙ୍କା ଦେଇଛନ୍ତି।

ଅର୍ଥ ମନ୍ତ୍ରାଳୟ କହିଛି ଯେ, ଆୟକରଦାତାମାନଙ୍କ ଉପରେ କୁପ୍ରଭାବ ପକାଉଥିବାରୁ ଆଉ ଅଧିକ ସମୟ ନଷ୍ଟ ନ କରି ସବୁ ସମସ୍ୟାର ସମାଧାନ କରିବା ସହ ସେବା ଯୋଗାଣରେ ଉନ୍ନତି, ପ୍ରାଥମିକତାଭିତ୍ତିରେ ଆପତ୍ତିର ସମାଧାନ ଆଦି ବ୍ୟବସ୍ଥା କରିବା ଲାଗି ପ୍ରଖ୍ୟାତ ସଫ୍ଟୱେର୍‌ କମ୍ପାନି ‘ଇମ୍ଫୋସିସ୍‌’କୁ କୁହାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ‘ଇମ୍ଫୋସିସ୍‌’ର ‘ନନ୍-ଏକ୍ଜିକ୍ୟୁଟିଭ୍ ଚେୟାର୍‌ମ୍ୟାନ୍‌’ ନନ୍ଦନ ନିଲେକାନି ପ୍ରତି ସପ୍ତାହରେ ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ରିପୋର୍ଟ ଦେଉଛନ୍ତି। ଅଳ୍ପ କେଇ ଦିନ ମଧ୍ୟରେ ସମସ୍ତ ଅସୁବିଧାର ସମାଧାନ କରିଦେବେ ବୋଲି ନିଲେକାନି ଦୁଃଖ ପ୍ରକାଶ କରିବା ସହ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର