ସରକାର-ରିଜର୍ଭ ବ୍ୟାଙ୍କ ମୁହାଁମୁହିଁ:ବିବାଦ କାହିଁକି?

ସରକାର ଚିନ୍ତିତ

ନୂଆଦିଲ୍ଲୀ, ୨୯/୧୦: ବିମୁଦ୍ରାକରଣକୁ ସମାଲୋଚନା କରିବାରୁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ମୋଦୀ ସରକାର ଦ୍ବିତୀୟ ସୁଯୋଗ ଦେଲେ ନାହିଁ। ତାଙ୍କ ବଦଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ବିଶ୍ବସ୍ତ ତଥା ଗୁଜରାଟର ପୁଅ ଉର୍ଜିତ ପଟେଲ୍‌ଙ୍କୁ ଆଣି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦାୟିତ୍ବ ଦେଇଥିଲେ। ରାଜନ ସ୍ବଭାବରେ ସ୍ପଷ୍ଟବାଦୀ ଥିଲେ ଓ ସରକାରଙ୍କ ଭୁଲ କାମକୁ ସମାଲୋଚନା କରିବାକୁ କେବେ ବି ପଛାଉନଥିଲେ। କିନ୍ତୁ ଉର୍ଜିତଙ୍କ ବ୍ୟକ୍ତିତ୍ବ ଥିଲା ଭିନ୍ନ। ସେ ଅଧିକ କଥା କୁହନ୍ତି ନାହିଁ। ତେଣୁ ସମସ୍ତେ ଭାବିଥିଲେ ଯେ ଉର୍ଜିତଙ୍କ ଜରିଆରେ ସରକାର ଯାହା ଚାହିଁବେ ରିଜର୍ଭ ବ୍ୟାଙ୍କ ତାହା କରିବ। ସାଧାରଣରେ ଥିବା ଏହି ଧାରଣା ଭୁଲ ପ୍ରମାଣିତ ହୋଇଛି। ରାଜନଙ୍କ ଭଳି ଉର୍ଜିତ ଏବେ ମୋଦୀଙ୍କ ଗଳାର କଣ୍ଟା ହୋଇଯାଇଛନ୍ତି। ନିଜେ ସାମ୍ନାକୁ ନଆସି ନିଜ ଟିମ୍‌ର ଅନ୍ୟ ସଦସ୍ୟଙ୍କ ଜରିଆରେ ସରକାରଙ୍କୁ ଚେତାବନୀ ଦେଇଛନ୍ତ ଉର୍ଜିତ। ରିଜର୍ଭ ବ୍ୟାଙ୍କ କାମରେ ହସ୍ତକ୍ଷେପ ନକରିବାକୁ ଦୃଢ଼ ଭା‌େ‌ବ କହିଛନ୍ତି। ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ସ୍ଥିତି ଦେଇ ଗତି କରୁଛି। ସ୍ଥିତି ଏତେ ଖରାପ ହୋଇଯାଇଛି ଯେ ମୋଦୀ ସରକାରଙ୍କ କିଛି ଲୋକ ଏବେ କହୁଛନ୍ତି ଯେ ‘ଉର୍ଜିତଙ୍କ ଠାରୁ ରାଜନ ବହୁତ ଭଲ ଥିଲେ’। ଆସନ୍ତାବର୍ଷ ସେପ୍ଟେମ୍ବରରେ ଉର୍ଜିତଙ୍କ କାର୍ଯ୍ୟକାଳ ଶେଷ ହେବା। ଏହା ପରେ ତାଙ୍କୁ ଆଉ ଦ୍ବିତୀୟ ସୁଯୋଗ ମିଳିବନି ବୋଲି ଏ‌େବଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଉର୍ଜିତ ମଧ୍ୟ ଭଲ ଭାବେ ବୁଝି ସାରିଲେଣି ଯେ ତାଙ୍କୁ ଆଉ ଦ୍ବିତୀୟ ସୁଯୋଗ ମିଳିବନି। ସେଥିପାଇଁ ସେ ରିଜର୍ଭ ବ୍ୟାଙ୍କର ସ୍ବାଧୀନତା କିଭଳି ବଜାୟ ରହିବ ସେଥିପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଗତ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ବେଳେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ଖୋଲାଖୋଲି ଭାବେ ସରକାରଙ୍କୁ ସମାଲୋଚନା କରିଥିଲେ। ରିଜର୍ଭ ବ୍ୟାଙ୍କ ‌କାମରେ ସରକାର ହସ୍ତକ୍ଷେପ ଜାରି ରଖିଲେ ଆଗାମୀ ଦିନରେ ବଜାରରେ ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ସେ କହିଥିଲେ। ରିଜର୍ଭ ବ୍ୟାଙ୍କର ସ୍ବାଧୀନତା ବଜାୟ ରଖିବା ପାଇଁ ଶ୍ରୀ ଆଚାର୍ଯ୍ୟ ଯେଉଁ ଯୁକ୍ତି ବାଢ଼ିଛନ୍ତି ତାହାକୁ ରିଜର୍ଭ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ସମର୍ଥନ କରାଯାଇଛି। ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ସମ୍ପର୍କରେ ତିକ୍ତତା କିଛି ନୂଆ କଥା ନୁହେଁ। କିନ୍ତୁ ତାହାର ଭିତିରିଆ ସମାଧାନ ହୋଇଯାଉଥିଲା। ଏବେ ଏହି ବିବାଦ ସାର୍ବଜନୀନ ହୋଇଯାଇଛି। ଏଭଳି ଏକ ପରିସ୍ଥିତି ଏହି ବିବାଦ ସାମ୍ନାକୁ ଆସିଛି ଯେତେବେଳେ ଦେଶର ଷ୍ଟକ ବଜାର ସମ୍ପୂର୍ଣ୍ଣ ଅସ୍ଥିର ରହିଛି। ୨୦୦୩ରୁ ୨୦୦୮ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାମ କରିଥିବା ୱାଇ ଭି ରେଡ୍ଡି ସରକାର-ରିଜର୍ଭ ବ୍ୟାଙ୍କ ସମ୍ପର୍କ କିଭଳି ତାହା ବୁଝାଇବାକୁ ଯାଇ କହିଥିଲେ ଯେ ‘ରିଜର୍ଭ ବ୍ୟାଙ୍କ ସମ୍ପୂର୍ଣ୍ଣ ମୁକ୍ତ, କିନ୍ତୁ ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ସୀମାରେକା ଭିତରେ’। ସମ୍ପର୍କରେ ସୃଷ୍ଟି ହୋଇଥିବା ଫାଟକୁ ରିଜର୍ଭ ବ୍ୟାଙ୍କ ସାର୍ବଜନୀନ କରିବା ପରେ ସରକାର ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଛନ୍ତି। ନିବେଶକଙ୍କ ମଧ୍ୟରେ ଏହା ଦେଶର ଭାବମୂର୍ତିକୁ ବିଗାଡ଼ି ଦେଇପାରେ ବୋଲି ସରକାର ଭାବୁଛନ୍ତି। ରିଜର୍ଭ ବ୍ୟାଙ୍କ ଯାହା କରିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସରକାର କହିଛନ୍ତି।

ଆମେରିକା, ତୁର୍କୀରେ ବି କଳି
ଯୁକ୍ତରାଷ୍ଟ୍ର ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ‘ଫେଡେରାଲ୍ ରିଜର୍ଭ’ ପକ୍ଷରୁ ଚଳିତ ବର୍ଷ ତିନି ଥର ସୁଧ ହାର ବୃଦ୍ଧି କରାଯାଇଛି। ତୃତୀୟ ଥର ବୃଦ୍ଧି ଘୋଷଣା କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏଭଳି ପଦକ୍ଷେପକୁ ସମାଲୋଚନା କରିଥିଲେ। ଫେଡେରାଲ୍ ରିଜର୍ଭ ‘କ୍ରେଜି (ପାଗଳ)’ ହୋଇଯାଇଛି ବୋଲି ଟ୍ରମ୍ପ୍ କହିଥିଲେ। ସେହିପରି ତୁର୍କୀର ରାଷ୍ଟ୍ରପତି ଟି ପି ଏ‌ର୍ଡୋଗାନ୍ ଓ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ତିକ୍ତତା ଥିଲା। ତୁର୍କୀ କେନ୍ଦ୍ରୀୟ ବ୍ୟାଙ୍କର କାମରେ ଏ‌ର୍ଡୋଗାନ୍ ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଥିଲା। ୟୁରୋପୀୟ ସଂଘ ଓ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ (ଇସିବି) ମଧ୍ୟରେ ମଧ୍ୟ ସମ୍ପର୍କର ଫାଟ ସୃଷ୍ଟି ହୋଇଥିଲା। ଇସିବିର ସ୍ବାଧୀନତା ପାଇଁ ଏହାର ସଭାପତି ମାରିଓ ଡ୍ରାଘି ମୁହଁ ଖୋଲିଥିଲେ।

କଳିର କାରଣ

ନିରବ ମୋଦୀ
ପିଏନ୍‌ବିରେ ନିରବ ମୋଦୀ ‌େଯଉଁ ୧୪ ହଜାର କୋଟି ଟଙ୍କାର ଋଣ ଠକେଇ କରିଛନ୍ତି ସେଥିପାଇଁ ସରକାର ରିଜର୍ଭ ବ୍ୟାଙ୍କକୁ ଦାୟୀ କରିଛନ୍ତି। କିନ୍ତୁ ରିଜର୍ଭ ବ୍ୟାଙ୍କ ପାଲଟା ଜବାବ ଦେଇଛି ଯେ ଆମ ପାଖରେ ସରକାରୀ ବ୍ୟାଙ୍କଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ କ୍ଷମତା ନାହିଁ। ଅଧା କ୍ଷମତା ସରକାରଙ୍କ ପାଖରେ ଅଛି।

ନଚିକେତ୍‌ଙ୍କୁ ହଟାଇବା
ନଚିକେତ୍ ମୋର୍‌ଙ୍କୁ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ଦୁଇ ବର୍ଷ ପୂର୍ବରୁ ସରକାର ଗତ ସେପ୍ଟେମ୍ବରରେ ହଟାଇ ଦେଇଥିଲେ। ରିଜର୍ଭ ବ୍ୟାଙ୍କ ଠାରୁ ଅଧିକ ଲାଭାଂଶ ପାଇବାକୁ ସରକାର ଦାବି କରୁଥ‌ିଲେ ଯାହାକୁ ମୋର୍‌ ବିରୋଧ କରିଥିଲେ। ସେଥିପାଇଁ ତାଙ୍କୁ ହଟାଇ ଦିଆଯାଇଥିବା କୁହାଯାଉଛି। ଏହି ପଦକ୍ଷେପ ନେବା ପୂର୍ବରୁ ମୋର୍‌ଙ୍କୁ ଆଗୁଆ ଅବଗତ ମଧ୍ୟ କରାଯାଇନଥିଲା। ଏହା ରିଜର୍ଭ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନଙ୍କୁ ବହୁତ ବାଧିଥିଲା।

ପେମେଣ୍ଟ୍‌ ନିୟାମକ ସଂସ୍ଥା
ଦେଶରେ ପେମେଣ୍ଟ୍‌ ସୁବିଧା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଏକ ଅଲଗା ନିୟାମକ ସଂସ୍ଥା ଗଠନ କରିବାକୁ ସରକାର ବିଚାର କରୁଛନ୍ତି। ଏହାକୁ ସହଜରେ ଗ୍ରହଣ କରିପାରୁନାହିଁ ରିଜର୍ଭ ବ୍ୟାଙ୍କ। ପେମେଣ୍ଟ୍‌କୁ ନିୟନ୍ତ୍ରଣ କରିବାର କ୍ଷମତା ଆମର ବୋଲି ରିଜର୍ଭ ବ୍ୟାଙ୍କ ଭାବୁଛି।

ସୁଧ ହାର
ସରକାର ଚାହୁଁଛନ୍ତି ସୁଧ ହାର କମ୍ ହେଉ। କିନ୍ତୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବାହାନା କରି ରିଜର୍ଭ ବ୍ୟାଙ୍କ ସୁଧ କମ୍ କରୁନାହିଁ। ଏହାକୁ ନେଇ ବର୍ଷ ଆରମ୍ଭରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଓ ଉର୍ଜିତଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ।

ଏନ୍‌ପିଏ
ଏନ୍‌ପିଏର ବର୍ଗୀକରଣ ଓ ଋଣ ପୁନର୍ଗଠନକୁ ନେଇ ରିଜର୍ଭ ବ୍ୟାଙ୍କ ଯେଉଁ ନିୟମ ପ୍ରସ୍ତୁତ କରିଛି ତାହା ଅତ୍ୟନ୍ତ କଠୋର ବୋଲି ସରକାର ଭାବୁଛନ୍ତି। ଏହି କୋଳହ କରାଯାଉ ବୋଲି ସରକାର ଚାହୁଁଥିବା ବେଳେ ରିଜର୍ଭ ବ୍ୟାଙ୍କ ମନା କରୁଛି।
ଏନ୍‌ବିଏଫ୍‌ସି
ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥାରେ ଦେଖାଦେଇଥିବା ନଗଦ ରାଶି ସଙ୍କଟକୁ ରିଜର୍ଭ ବ୍ୟାଙ୍କ ଠିକ୍ ଭାବେ ନିୟନ୍ତ୍ରଣ କରିପାରିନାହିଁ ବୋଲି ସରକାର କହୁଛନ୍ତି। ରିଜର୍ଭ ବ୍ୟାଙ୍କ କିନ୍ତୁ
କହୁଛି ଯେ ଆମ ଆଡ଼ୁ କିଛି ଭୁଲ ହୋଇନି।

ସମ୍ବନ୍ଧିତ ଖବର