ଆଗକୁ ଗ୍ରାମ୍ୟ ବ୍ୟାଙ୍କ ମିଶ୍ରଣ, ସଂଖ୍ୟା ୫୬ରୁ ୩୬କୁ କମିବ
ନୂଆଦିଲ୍ଲୀ: ବଡ଼ ସରକାରୀ ବ୍ୟାଙ୍କ ମଧ୍ୟରେ ମିଶ୍ରଣକୁ ସଫଳତା ସହିତ ଆଗକୁ ବଢ଼ାଇଥିବା କେନ୍ଦ୍ର ସରକାର ଏବେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିବା ଉପରେ ସରକାର କାମ ଆରମ୍ଭ କରିଛନ୍ତି। ଅର୍ଥ ମନ୍ତ୍ରଣାାଳୟ ପକ୍ଷରୁ ଏ ନେଇ ବିଭିନ୍ନ ରାଜ୍ୟର ସରକାର ଓ ପ୍ରାୟୋଜକ ବ୍ୟାଙ୍କଗୁଡ଼ିକ ସହିତ ଆଲୋଚନା ଆରମ୍ଭ କରାଯାଇଛି। ପ୍ରାରମ୍ଭିକ ଯୋଜନା ଅନୁଯାୟୀ, ଦେଶରେ ଥିବା ୫୬ଟି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର ସଂଖ୍ୟାକୁ ୩୬କୁ ହ୍ରାସ କରାଯିବ। ତେବେ କେଉଁ ବ୍ୟାଙ୍କ ସହିତ କାହାର ମିଶ୍ରଣ କରାଯିବ ସେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବିଭିନ୍ନ ରାଜ୍ୟର ସରକାର ମଧ୍ୟ ଗ୍ରାମ୍ୟ ବ୍ୟାଙ୍କ ମିଶ୍ରଣର ନକ୍ସା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର ମିଶ୍ରଣ ଘଟି ସଂଖ୍ୟା ୩୬କୁ ହ୍ରାସ ପାଇବା ପରେ ସେମାନଙ୍କ ପରିଚାଳନାଗତ ଦକ୍ଷତା, ଉତ୍ପାଦକତା, ଆର୍ଥିକ ସ୍ଥିତି ଆଦି ବୃଦ୍ଧି ଘଟିବ। ଅଧିକରୁ ଅଧିକ ଲୋକଙ୍କୁ ବ୍ୟାଙ୍କିଙ୍ଗ୍ ସେବା ପରିସରଭୁକ୍ତ କରାଯାଇପାରିବା ସହିତ ଗ୍ରାମାଞ୍ଚଳ ଲୋକଙ୍କୁ ଅଧିକ ଋଣ ମଧ୍ୟ ପ୍ରଦାନ କରାଯାଇ ପାରିବ। ଦେଶରେ ଥିବା ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକୁ ସ୍ୱତନ୍ତ୍ର ‘ଆର୍ଆର୍ବି ଆଇନ ୧୯୭୬’ ଅଧୀନରେ ସ୍ଥାପନ ହୋଇଥିଲା। ଏହା ପଛର ଲକ୍ଷ୍ୟ ଥିଲା ଗ୍ରାମାଞ୍ଚଳର କ୍ଷୁଦ୍ର କୃଷକ, କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ କାରିଗରମାନଙ୍କୁ ସୁବିଧାରେ ଋଣ ପ୍ରଦାନ କରିବା। ୨୦୧୫ରେ ସେହି ଆଇନରେ ସଂଶୋଧନ କରାଯାଇଥିଲା। ବ୍ୟାଙ୍କଗୁଡ଼ିକ ସେଭଳି ସହଜରେ ପାଣ୍ଠି ହାସଲ କରିପାରିବେ ସେଥିପାଇଁ ଏହି ସଂଶୋଧନ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଗୁଡ଼ିକରେ କେନ୍ଦ୍ର ସରକାରଙ୍କର ୫୦ ପ୍ରତିଶତ ଅଂଶଧନ ଥିବାବେଳେ ପ୍ରାୟୋଜକ ବ୍ୟାଙ୍କ ନିକଟରେ ୩୫ ପ୍ରତିଶତ ଏବଂ ରାଜ୍ୟ ସରକାର ନିକଟରେ ୧୫ ପ୍ରତିଶତ ଅଂଶଧନ ରହିଛି। ଅନ୍ୟ ଉତ୍ସରୁ ପୁଞ୍ଜି ସଂଗ୍ରହ କରାଗଲେ ମଧ୍ୟ କେନ୍ଦ୍ର ସରକାର ଓ ପ୍ରାୟୋଜିତ ବ୍ୟାଙ୍କର ଅଂଶଧନ ୫୧ ପ୍ରତିଶତରୁ କମ୍ ହୋଇପାରିବ ନାହିଁ ବୋଲି ସଂଶୋଧିତ ଆଇନରେ ବ୍ୟବସ୍ଥା ରହିଛି। ଫଳରେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଗୁଡ଼ିକର ପରିଚାଳନା ଓ ମାଲିକାନା ସରକାରଙ୍କ ନିକଟରେ ଅଧିକ ମାତ୍ରାରେ ରହିବ। ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଗୁଡ଼ିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଲାଗି ୨୦୦୫ରେ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହି ସମୟରେ ଦେଶରେ ୧୯୬ଟି ଗ୍ରାମ୍ୟ ବ୍ୟାଙ୍କ ଥିଲା। ୨୦୦୬ ସୁଦ୍ଧା ତାହା ୧୩୩କୁ ଓ ୨୦୧୨ ସୁଦ୍ଧା ୮୨କୁ ହ୍ରାସ ପାଇଥିଲା। ଦେଶରେ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକର ୨୧,୨୦୦ରୁ ଅଧିକ ଶାଖା ରହିଛି।
ଉଲ୍ଲେଖଯୋଗ୍ୟ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିତ ଏହାର ସହଯୋଗୀ ବ୍ୟାଙ୍କଗୁଡ଼ିକୁ ସଫଳତାର ସହ ମିଶ୍ରଣ କରିବା ପରେ ଦେଶର ତୃତୀୟ ବଡ଼ ବ୍ୟାଙ୍କ ଗଠନ କରିବା ପାଇଁ ଆଉ ଏକ ମିଶ୍ରଣ ବିଷୟରେ ଘୋଷଣା କରାଯାଇଛି। ବ୍ୟାଙ୍କ ଅଫ୍ ବରୋଦା ସହିତ ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣ କରିବାକୁ ଘୋଷଣା କରାଯାଇଛି। ଏହି ପ୍ରକ୍ରିୟାରେ କୌଣସି ବ୍ୟାଙ୍କର କର୍ମଚାରୀ ପ୍ରଭାବିତ ହେବେ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଲାଭଜନକ ବଡ଼ ବ୍ୟାଙ୍କ ସହିତ କ୍ଷତିରେ ଚାଲୁଥିବା କ୍ଷୁଦ୍ର ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ସରକାର ଏନ୍ପିଏ ସମସ୍ୟାକୁ ଦୂର କରିବାକୁ ପ୍ରୟାସ କରୁଛନ୍ତି।
ଓଡ଼ିଶାରେ ୨ଟି ଗ୍ରାମ୍ୟ ବ୍ୟାଙ୍କ
ଭୁବନେଶ୍ୱର: ଓଡ଼ିଶାରେ ଏବେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନାମରେ ଦୁଇଟିି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ରହିଛି। ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କ, ବୈତରଣୀ ଗ୍ରାମ୍ୟ ବ୍ୟାଙ୍କ ଓ କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କର ମିଶ୍ରଣ କରି ୨୦୧୩ରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଗଠନ କରାଯାଇଥିଲା। ଏହା ୧୩ଟି ଜିଲ୍ଲାରେ କାମ କରୁଛି। ଏହାର ୪୪୫ଟି ଶାଖା ରହିଛି। ସେହିପରି ଋଷିକୂଲ୍ୟା ଗ୍ରାମ୍ୟ ବ୍ୟାଙ୍କ ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମିଶ୍ରଣ କରି ୨୦୧୨ରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଗଠନ କରାଯାଇଥିଲା। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାରେ ଏହା କାମ କରୁଛି। ଏହାର ୪୪୨ଟି ଶାଖା ରହିଛି। ଶାଖା ସ୍ଥାପନ ଏକ ନିରନ୍ତର ପ୍ରକ୍ରିୟା ହୋଇଥିବାରୁ ଏହି ଦୁଇ ବ୍ୟାଙ୍କ ପକ୍ଷରୁ ଏଠାରେ ଦିଆଯାଇଥିବା ତଥ୍ୟ ଠାରୁ ଅଧିକ ଶାଖା ରହିଥାଇପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କର େଓ୍ଵବସାଇଟ୍ ତଥ୍ୟ ଅନୁଯାୟୀ ୨୦୧୭ ଶେଷ ସୁଦ୍ଧା ଓଡ଼ିଶାରେ ଥିବା ଗ୍ରାମ୍ୟ ବ୍ୟାଙ୍କର ଶାଖା ସଂଖ୍ୟା ୯୮୦ ଥିଲା।