ଜିଏସ୍‌ଟି ଦାଖଲ ସମୟସୀମା ଧାର୍ଯ୍ୟ

ଭୁବନେଶ୍ବର: କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଜାରି ଲକ୍‌ଡାଉନ୍‌ ଜନିତ ଅସୁବିଧା କାରଣରୁ ଅନେକ ଜିଏସ୍‌ଟି ପ୍ରଦାନକାରୀ ଗତ ଫେବ୍ରୁଆରି, ମାର୍ଚ୍ଚ ଓ ଏପ୍ରିଲ ମାସର ଟିକସ ଅବଧି ପାଇଁ ଧାର୍ଯ୍ୟ ସମୟରେ ରିଟର୍ଣ୍ଣ ଦାଖଲ କରିପାରି ନଥିଲେ। ଏହି ଅସୁବିଧାକୁ ଅନୁଭବ କରି ୫ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର ଥିବା ଟିକସଦାତାଙ୍କ ପାଇଁ ଜିଏସ୍‌ଟି ଦାଖଲରେ ବିଳମ୍ବ ଯୋଗୁଁ ବିଳମ୍ବ ଶୁଳ୍କ ଛାଡ଼ କରିବା ସହ ୨୦୨୦ ଜୁନ୍ ପର୍ଯ୍ୟନ୍ତ ଧାର୍ଯ୍ୟ ସମୟସୀମା ମଧ୍ୟରେ ପୈଠ ହେବାକୁ ଥିବା ଟିକସ ଉପରେ ମଧ୍ୟ ସୁଧ ଛାଡ଼ କରାଯାଇଛି। ଯେଉଁ ଟିକସଦାତାଙ୍କ କାରବାର ୫ କୋଟି ଟଙ୍କାରୁ ଅଧିକ ସେମାନଙ୍କ କ୍ଷେତ୍ରରେ ପ୍ରଥମ ୧୫ ଦିନର ବିଳମ୍ବ ଦାଖଲ ପାଇଁ ସୁଧ ଛାଡ଼ କରାଯାଇଥିବାବେଳେ ପରବର୍ତ୍ତୀ ବିଳମ୍ବ ସମୟ ପାଇଁ କମ୍ ସୁଧ ହାର ୯ ପ୍ରତିଶତ ହିସାବରେ ଦେବା ପାଇଁ ଧାର୍ଯ୍ୟ କରାଯାଇଛି। ବିଳମ୍ବ ଶୁଳ୍କ ଓ ସୁଧ ଛାଡ଼ କିମ୍ବା ରିହାତି ହାରରେ ସୁଧ ଦେବା ସୁବିଧା ହାସଲ କରିବା ପାଇଁ ସମସ୍ତ ପ୍ରକାର ଟିକସଦାତାଙ୍କୁ ଫେବ୍ରୁଆରିରୁ ଏପ୍ରିଲ ୨୦୨୦ ପାଇଁ ନିମ୍ନୋ‌କ୍ତ ଭାବେ ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ।

ଯେଉଁ ଟିକସଦାତାଙ୍କ କାରବାର ୫ କୋଟି ଟଙ୍କାରୁ ଅଧିକ ସେମାନଙ୍କୁ ଫେବ୍ରୁଆରି, ମାର୍ଚ୍ଚ ଓ ଏପ୍ରିଲର ରିଟର୍ଣ୍ଣ ଜୁନ୍ ୨୪ ତାରିଖ ମଧ୍ୟରେ ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ। ଦେଢ଼ କୋଟି ଟଙ୍କାରୁ ୫ କୋଟି ଟଙ୍କା ମଧ୍ୟରେ କାରବାର ଥିବା ଟିକସଦାତାଙ୍କୁ ୨୦୨୦ ଫେବ୍ରୁଆରି ଓ ମାର୍ଚ୍ଚ ପାଇଁ ଜୁନ୍ ୨୯ ମଧ୍ୟରେ ଏବଂ ଏପ୍ରିଲ ମାସ ପାଇଁ ଜୁନ୍ ୩୦ ମଧ୍ୟରେ ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ। ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କାରବାର ଥିବା ଟିକସଦାତାମାନେ ଫେବ୍ରୁଆରିର ରିଟର୍ଣ୍ଣ ଜୁନ୍ ୩୦ ମଧ୍ୟରେ, ମାର୍ଚ୍ଚର ରିଟର୍ଣ୍ଣ ଜୁଲାଇ ୩ ଏବଂ ଏପ୍ରିଲର ରିଟର୍ଣ୍ଣ ଜୁଲାଇ ୬ ତାରିଖ ମଧ୍ୟରେ ଦାଖଲ କରିପାରିବେ। ମେ ମାସ ପାଇଁ ରିଟର୍ଣ୍ଣ ଦାଖଲ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କରିବାକୁ ପଡ଼ିବ। ଉପରୋକ୍ତ ସମୟ ସୀମା ମଧ୍ୟରେ ଟିକସଦାତାମାନେ ଯଦି ସେମାନଙ୍କ ବକେୟା ରିଟର୍ଣ୍ଣ ଦାଖଲ କରି ନପାରନ୍ତି, ତେବେ ସେମାନେ ବିଳମ୍ବ ଶୁଳ୍କ ଛାଡ଼, ସୁଧ ଛାଡ଼ କିମ୍ବା ରିହାତି ଦରରେ ସୁଧ ପଇଠ ସୁବିଧାରୁ ବଞ୍ଚିତ ହେବେ।

ପୁନଶ୍ଚ, ବକେୟା ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାକୁ ଅଧିକ ସୁଗମ କରିବା ନିମନ୍ତେ ଟିକସଦାତାଙ୍କ ସୁବିଧା ନିମନ୍ତେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ନିଲ୍‌ ରିଟର୍ଣ୍ଣ ଦାଖଲ କରିବାର ନୂଆ ବ୍ୟବସ୍ଥା କରାଯାଇଛି। ଯେଉଁ ଟିକସଦାତାମାନେ ନିଲ୍‌ ବା ଶୂନ ରିଟର୍ଣ୍ଣ ଦାଖଲ କରିବାକୁ ଚାହୁଛନ୍ତି ( ଯେଉଁଠି ଜିଏସ୍‌ଟିଆର୍‌ ୩ବି ରିଟର୍ଣ୍ଣର କିଣା/ବିକା, ଆଇଟିସି ଆଦି କ୍ଷେତ୍ର ଗୁଡ଼ିକ ନିଲ୍ ବା ଶୂନ ଦର୍ଶାଯିବ) ସେମାନେ ଜିଏସ୍‌ଟି ପୋର୍ଟାଲ ଲଗଇନ୍ ନକରି ଏସଏମଏସ ଭିତ୍ତିକ ବ୍ୟବସ୍ଥାର ଲାଭ ଉଠାଇ ପାରିବେ। ଏ ସମ୍ପର୍କରେ ଜାଣିବା ନିମନ୍ତେ ଟିକସଦାତାମାନେ ଜିଏସ୍‌ଟି ପୋର୍ଟାଲର ହେଲପ୍ ବିଭାଗକୁ ଯାଇପାରିବେ ବୋଲି ରାଜ୍ୟ ସରକାରଙ୍କ ବାଣିଜ୍ୟ କର ଏବଂ ଜିଏସଟି ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର