ଏନସିଇଆରଟି ଓ ରୋଟାରୀ ଇଣ୍ତିଆ ମଧ୍ୟରେ ଡିଜିଟାଲ ବୁଝାମଣା ସ୍ବାକ୍ଷରିତ : ସମସ୍ତ ଟିଭି ଚ୍ୟାନେଲରେ ପ୍ରସାରିତ ହେବ ଇ-ଶିକ୍ଷଣ ପାଠ୍ୟକ୍ରମ

ନୂଆଦିଲ୍ଲୀ : ଇ–ଶିକ୍ଷାକୁ ଆହୁରି ଅଧିକ ସୃଜନଶୀଳ କରିବା ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀଠାରେ ଏନସିଇଆରଟି ଓ ରୋଟାରୀ ଇଣ୍ତିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି। ଡିଜିଟାଲ ମାଧ୍ୟମରେ ସ୍ବାକ୍ଷରିତ ହୋଇଥିବା ଏହି ବୁଝାମଣା ଜରିଆରେ ଏନ୍‌ସିଇଆରଟିର ସମସ୍ତ ଟିଭି ଚ୍ୟାନେଲରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଇ–ଶିକ୍ଷାଦାନ କାର୍ଯ୍ୟକ୍ରମ ପ୍ରସାରିତ ହେବ। ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ ଅନିତା କରୱାଲ ମଧ୍ୟ ଏହି ଡିଜିଟାଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମ ସମୟରେ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ କହିଥିଲେ ଯେ, ଏନସିଇଆରଟି ଏବଂ ରୋଟାରୀ କ୍ଲବ ମଧ୍ୟରେ ଏହି ବୁଝାମଣା ସ୍ବାକ୍ଷର ସମ୍ପର୍କରେ ଘୋଷଣା କରି ସେ ଆନନ୍ଦିତ। ସେ ଆଶା ବ୍ୟକ୍ତ କରିଥିଲେ ଯେ କୋଭିଡ–୧୯ ମହାମାରୀ ସମୟରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ମାର୍ଗଦର୍ଶନ ଓ ସମର୍ଥନ ଫଳରେ ରୋଟାରୀ ଇଣ୍ତିଆ ହ୍ୟୁାମାନିଟି ଫାଉଣ୍ଡେସନ ଓ ଏନସିଇଆରଟିର ସହଯୋଗରେ ଇ–ଶିକ୍ଷା କାର୍ଯ୍ୟକ୍ରମ ସାରାଦେଶର ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ପହଁଚିପାରିବ।

ବିଦ୍ୟାଦାନ ୨.୦ ଅନ୍ତର୍ଗତ ରୋଟାରୀ ଇଂଟରନ୍ୟାସନାଲ ପକ୍ଷରୁ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟ ଲାଗି ଏନସିଇଆରଟିକୁ ହିନ୍ଦୀ ଭାଷାରେ ଇ–କଣ୍ଟେଣ୍ଟ ଯୋଗାଇ ଦେବ। ଏହି ଶିକ୍ଷା ସାମଗ୍ରୀ ଅତ୍ୟନ୍ତ ଉଚ୍ଚ ଗୁଣବତା ସମ୍ପନ୍ନ ଏବଂ ଉଚ୍ଚ ଶ୍ରେଣୀୟ ହୋଇଥିବାରୁ ଆମର ସବୁ ପିଲାମାନେ ଏହାଦ୍ବାରା ଲାଭାନ୍ବିତ ହୋଇପାରିବେ ବୋଲି ଶ୍ରୀ ନିଶଙ୍କ କହିଥିଲେ। ସେ ଆହୁରି ସୂଚନା ଦେଇଥିଲେ ଯେ ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କ ପାଇଁ ମଧ୍ୟ ରୋଟାରୀ ଇଂଟରନ୍ୟାସନାଲ ପକ୍ଷରୁ ଶିକ୍ଷଣ ସାମଗ୍ରୀ ଯୋଗାଇ ଦିଆଯିବ। ଏହା ଶିକ୍ଷକ ପ୍ରଶିକ୍ଷଣ ସାମଗ୍ରୀ ମଧ୍ୟ ଯୋଗାଇ ଦେବ ବୋଲି ଶ୍ରୀ ନିଶଙ୍କ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର