ନିର୍ବାଚନ ଲଢ଼ିବା ପାଇଁ ମୋ ପାଖରେ ଟଙ୍କା ନାହିଁ: ନିର୍ମଳା

ନୂଆଦିଲ୍ଲୀ: ସେ ବିଶ୍ବର ସବୁଠୁ ବଡ଼ ଗଣତନ୍ତ୍ର ଭାରତର ଅର୍ଥମନ୍ତ୍ରୀ। ଏତେ ବଡ଼ ଦେଶ ଚଳାଇବା ଲାଗି ବଜେଟ୍‌ ତିଆରି କରୁଛନ୍ତି। କିନ୍ତୁ ନିର୍ବାଚନ ବୈତରଣୀ ପାର ହେବା ଲାଗି ଯେତିକି ଟଙ୍କା ଦରକାର ତାହା ତାଙ୍କ ପାଖରେ ନାହିଁ। ଏକଥା ଖୋଦ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ଲଢ଼ିବାକୁ ମୋତେ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହାକୁ ମୁଁ ପ୍ରତ୍ୟାଖ୍ୟାନ କରିଛି। କାରଣ ଲୋକସଭା ନିର୍ବାଚନ ଲଢ଼ିବା ଲାଗି ଯେତିକି ପାଣ୍ଠି ଦରକାର ତାହା ମୋ ପାଖରେ ନାହିଁ। ଏହା ବ୍ୟତୀତ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡ଼ୁରୁ ଲଢ଼ିବା ଲାଗି ମୋତେ ବିଜେପି ସଭାପତି ଜେ ପି ନଡ୍ଡା ପ୍ରସ୍ତାବ ଦେଇଥିଲେ। ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ସେବିଷୟରେ ଭାବିବା ପରେ ମୁଁ ପଛକୁ ହଟିଯାଇଥିଲି ବୋଲି ନିର୍ମଳା କହିଛନ୍ତି।

ଦେଶର ଅର୍ଥମନ୍ତ୍ରୀଙ୍କ ପାଖରେ ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ କି ବୋଲି ପ୍ରଶ୍ନ ହେବାରୁ ନିର୍ମଳା କହିଥିଲେ ଯେ ଭାରତ ସରକାରଙ୍କ ପାଣ୍ଠି ମୋର ନୁହେଁ। ମୋ ବେତନ, ମୋ ଆୟ ଏବଂ ମୋ ସଞ୍ଚୟ ହେଉଛି ମୋର। କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଥିବା ନିର୍ମଳା କହିଛନ୍ତି ଯେ ନିର୍ବାଚନ ପ୍ରଚାରରେ ସେ ଅଂଶଗ୍ରହଣ କରିବେ ଓ ଗଣମାଧ୍ୟମ କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର