ଚନ୍ଦାଙ୍କୁ କ୍ଲିନ୍‌ଚିଟ୍ ମିଳିବାର ଥିଲା:ଆଇସିଆଇସିଆଇ ମାମଲା

ବନ୍ଦ ହୋଇଯାଇଥିଲା ସିବିଆଇ ତଦନ୍ତ ଓଲଟପାଲଟ କରିଦେଲେ ନାଗେଶ୍ବର ରାଓ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ଭିଡିଓକନ୍ ଋଣ ମାମଲାରେ ସିବିଆଇ କିଭଳି ଖାମଖିଆଲି ଢଙ୍ଗରେ କାମ କରିଥିଲା, ସେ ସମ୍ପର୍କିତ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ସିବିଆଇର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭିଡିଓକନ୍‌ ଋଣ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ଓ ସିଇଓ ଚନ୍ଦା କୋଚ୍ଚର ଓ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ କ୍ଲିନଚିଟ୍ ଦେବାକୁ ନିଷ୍ପତ୍ତି ହୋଇଥିଲା। ପ୍ରାରମ୍ଭିକ ତଦନ୍ତ ବେଳେ ଚନ୍ଦାଙ୍କ ବିରୋଧରେ କୌଣସି ଠୋସ୍‌ ପ୍ରମାଣ ମିଳିନଥିଲା। ଏହା ପରେ ତଦନ୍ତ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା।
ଆଇସିଆଇସିଆଇ ମାମଲାର ତଦନ୍ତ ଅଧିକାରୀ ଥିଲେ ଡି ଜି ବାଜପେୟୀ। ସେ ନିଜ ରିପୋର୍ଟରେ ଜଣାଇଥିଲେ ଯେ, ଅଭିଯୋଗ ମୁତାବକ କୋଚ୍ଚର ଦମ୍ପତିଙ୍କ ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ ମିଳିନାହିଁ। ତଦନ୍ତ ବେଳେ ଚନ୍ଦା, ତାଙ୍କ ଦିଅର ରାଜୀବ କୋଚ୍ଚର ଏବଂ ଏହି ମାମଲା ସହ ଜଡ଼ିତ ଥିବା ଅନ୍ୟ ଲୋକମାନଙ୍କୁ ପଚରାଉଚୁରା କରାଯାଇଥିଲା। ଅଭ‌ିଯୋଗକୁ ଏଫ୍‌ଆଇଆର୍‌ ରୂପ ଦେବା ପାଇଁ ପ୍ରମାଣ ମିଳିନଥିଲା। ଶ୍ରୀ ବାଜପେୟୀ ନିଜ ତଦନ୍ତ ରିପୋର୍ଟକୁ ୨୦୧୮ ଡିସେମ୍ବରରେ ପ୍ରଦାନ କରିଥିଲେ। ତାହାକୁ ଡିଆଇଜି ଯଶବୀର ସିଂହ ଓ ଏସ୍‌ପି ସୁଧାଂଶୁ ଧର ମିଶ୍ର ଗ୍ରହଣ କରିଥିଲେ। ଏହା ପରେ ରିପୋର୍ଟକୁ ସିବିଆଇର କାମଚଳା ନିର୍ଦେଶକ ଏମ୍ ନାଗେଶ୍ବର ରାଓଙ୍କ ପାଖକୁ ପଠାଇ ଦିଆଯାଇଥିଲା। ଆଶ୍ଚର୍ଯ୍ୟର ବିଷୟ ହେଉଛି ସେହି ରିପୋର୍ଟକୁ ଶ୍ରୀ ରାଓ ଖାରଜ କରିଦେଇଥିଲେ। ଅଭିଯୋଗ ମୁତାବକ ଏହି ମାମଲାରେ ଏଫ୍‌ଆଇଆର୍‌ ଦାୟର ହେବା ଉଚିତ ବୋଲି କହିଥିଲେ ଏବଂ ଏଫ୍‌ଆଇଆର୍‌ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ।
ବ୍ୟାଙ୍କ ଶିଳ୍ପର ବରିଷ୍ଠ ଅଧିକାରୀଙ୍କ ନାମକୁ ଏଫ୍‌ଆଇଆର୍‌ରେ ସାମିଲ କରାଯିବା ପରେ ଦେଶର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସିବିଆଇ ଉପରେ ସେ ବିରକ୍ତି ପ୍ରକାଶ କରିବା ସହ ରୋମାଞ୍ଚ ଖୋଜିବା ବଦଳରେ ନିରପେକ୍ଷ ତଦନ୍ତ କରିବାକୁ ପରାମର୍ଶ ଦେଇଛନ୍ତି।
ଆଇସିଆଇସିଆଇ ବ୍ୟାଙ୍କର ପ୍ରାରମ୍ଭିକ ତଦନ୍ତ ସହ ଜଡ଼ିତ ଥିବା ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରିଦିଆଯାଇଛି। ଡିଆଇଜି ଯଶବୀର ସିଂହଙ୍କ ଠାରୁ ବ୍ୟାଙ୍କ ସିକ୍ୟୁରିଟି ଆଣ୍ଡ୍‌ ଫ୍ରଡ୍‌ ସେଲ୍‌ର ଯେଉଁ ଅତିରିକ୍ତ ଦାୟିତ୍ବ ଥିଲା ତାହାକୁ ପ୍ରତ୍ୟାହାର କରିନିଆଯାଇଛି। ଏସ୍‌ପି ସୁଧାଂଶୁ ଧର ମିଶ୍ରଙ୍କୁ ରାଞ୍ଚି ବଦଳି କରାଯାଇଛି।
ସିବିଆଇର ଅନ୍ୟ କିଛି ଅଧିକାରୀ ସମ୍ପୂର୍ଣ୍ଣ ଭିନ୍ନ କାହାଣୀ ଶୁଣାଉଛନ୍ତି। ସେମାନେ କହିଛନ୍ତି ଯେ, ତଦନ୍ତ ଅଧିକାରୀ ଜାଣିଶୁଣି ଏଫ୍‌ଆଇଆର୍‌ ଦାୟର କରିବାରେ ବିଳମ୍ବ କରୁଥିଲେ। ବିଭିନ୍ନ ସ୍ଥାନରେ ଚଢ଼ଉ ହେବାକୁ ଥିବା ବେଳେ ପୂର୍ବରୁ ସେହି ତଥ୍ୟ ଲିକ୍‌ କରିଦିଆଯାଇଥିଲା ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର