ଔଷଧ କମ୍ପାନିରେ ଆୟକର ଚଢ଼ଉ: ୧୪୨ ‌କୋଟି ନଗଦ ଅର୍ଥ ଜବତ

ନୂଆଦିଲ୍ଲୀ: ହାଇଦ୍ରାବାଦଭିତ୍ତିକ ଏକ ଔଷଧ କମ୍ପାନି ଉପରେ ଆୟକର ବିଭାଗ ନିକଟରେ ଚଢ଼ଉ କରି ୫୫୦ କୋଟି ଟଙ୍କାରୁ ଅଧିକ ହିସାବ ବହିର୍ଭୁତ ଆୟ ଠାବ କରିବା ସହିତ ୧୪୨ କୋଟି ଟଙ୍କାର ନଗଦ ଅର୍ଥ ଜବତ କରିଛି। ଆୟକର ବିଭାଗ ପକ୍ଷରୁ ଗତ ୬ ତାରିଖରେ ଦେଶର ୬ଟି ରାଜ୍ୟର ୫୦ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ଏକାଧିକ ଲକର ଠାବ କରାଯାଇଥିଲା। ସେଗୁଡ଼ିକ ମଧ୍ୟରୁ ୧୬ଟି ଲକର କାର୍ଯ୍ୟକ୍ଷମ ଥିଲା। ଏହି ସମୟରେ ଆୟକର ବିଭାଗ ମୋଟ ୧୪୨.୮୭ କୋଟି ଟଙ୍କା ଜବତ କରିଛି ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ସିବିଡିଟି ଅଧିକାରୀଙ୍କ ସୂତ୍ରରୁ ଏହି କମ୍ପାନି ହାଇଦ୍ରାବାଦର ହେଟେରୋ ଫାର୍ମା ଗ୍ରୁପ୍ ବୋଲି ଜଣାଯାଇଛି। ଏ ନେଇ ଅଧିକ ଖୋଳତାଡ଼ ଓ ତଦନ୍ତ ଜାରି ରହିଛି। ଏହି କମ୍ପାନି ମୁଖ୍ୟତଃ ଔଷଧ ନିର୍ମାଣ ପାଇଁ ବ୍ୟବହୃତ ଏପିଆଇ (ଆକ୍ଟିଭ ଫାର୍ମାସ୍ୟୁଟିକାଲ ଇନଗ୍ରେଡିଏଣ୍ଟସ୍‌) ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରିଥାଏ। ଏଥିରୁ ଅଧିକାଂଶ କମ୍ପାନି ଆମେରିକା, ଦୁବାଇ ସମେତ କେତେକ ଆଫ୍ରିକୀୟ ଏବଂ ୟୁରୋପୀୟ ଦେଶକୁ ରପ୍ତାନି କରିଥାଏ। ଚଢ଼ଉ ସମୟରେ କମ୍ପାନିର ଅନେକ ପ୍ରକାର ବେଆଇନ କାର୍ଯ୍ୟ ଆୟକର ବିଭାଗର ଅଧିକାରୀଙ୍କ ନଜରକୁ ଆସିଛି। ପେନ ଡ୍ରାଇଭ ସମେତ ଅନେକ ଡିଜିଟାଲ ପ୍ରମାଣ ଆୟକର ବିଭାଗକୁ ମିଳିଛି। ନିକଟରେ ଏହି କମ୍ପାନି ଏକାଧିକ ସଂସ୍ଥା ସହ ରାଜିନାମା କରି ଚର୍ଚ୍ଚାକୁ ଆସିଥିଲା। ବିଶେଷତଃ କରୋନାର ଚିକିତ୍ସା ପାଇଁ ଉପଯୋଗ ହେଉଥିବା ରେମଡେସିଭିର୍ ଏବଂ ଫାବିଫିରାଭିର୍‌ର ପ୍ରସ୍ତୁତି ପାଇଁ କମ୍ପାନି ଏହି ରାଜିନାମା କରିଥିଲା। ଭାରତ, ଚୀନ, ରୁଷିଆ, ଇଜି‌ପ୍ଟ, ମେକ୍ସିକୋ ଏବଂ ଇରାନ ଆଦିରେ ଏହି କମ୍ପାନିର ୨୫ରୁ ଅଧିକ ଉତ୍ପାଦନ ୟୁନିଟ ରହିଛି। ଭାରତରେ ସ୍ପୁଟନିକ ଭି ଟିକାର ଉତ୍ପାଦନ ପାଇଁ କମ୍ପାନି ରୁଷିଆ ସହିତ ସହବନ୍ଧିତ ହୋଇଛି।

ସମ୍ବନ୍ଧିତ ଖବର