ଚିନ୍ତା ବଢ଼ାଇଲା ମୁଡିସ୍‌ର ଆକଳନ: ଭାରତର ଅଭିବୃଦ୍ଧି ୨.୫%କୁ କମିବ

ନୂଆଦିଲ୍ଲୀ: କରୋନା ମାଡ଼ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଧରାଶାୟୀ ହେବ। ଦେଶର ଜିଡିପି ଅଭିବୃଦ୍ଧି ହାର ଅଧାରୁ ଅଧିକ କମିଯିବ। ଏଭଳି ଆକଳନ କରିଛି ମୁଡିସ୍ ଇନଭେଷ୍ଟର୍ସ ସର୍ଭିସ। ୨୦୨୦ର ଅର୍ଥନୈତିକ ଅଭିବୃଦ୍ଧି ୫.୩ ପ୍ରତିଶତ ରହିବ ବୋଲି ୩ ସପ୍ତାହ ପୂର୍ବେ ମୁଡିସ୍ ଆକଳନ କରିଥିଲା। ତେବେ ଏବେ ଏହାର ସଦ୍ୟ ଆକଳନରେ ଭାରତର ଅଭିବୃଦ୍ଧି ୨.୫ ପ୍ରତିଶତକୁ ହ୍ରାସ ପାଇବ ବୋଲି ସ୍ପଷ୍ଟ କରିଛି। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କରୋନା ପାଇଁ ଘୋଷଣା ହୋଇଥିବା ୨୧ ଦିନିଆ ତାଲା ବନ୍ଦ ଯୋଗୁଁ ଲୋକଙ୍କ ଆୟ ଏବଂ ଚାହିଦା କମିବ। ଏଥିସହିତ ଅଭିବୃଦ୍ଧିରେ ଆସିଥିବା ସୁଧାର ମଧ୍ୟ ମନ୍ଥର ହେବ ବୋଲି କୁହାଯାଇଛି। ‌ମୁଡିସ୍ ଗତ ଫେବ୍ରୁଆରିରେ କରିଥିବା ପୂର୍ବନୁମାନରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୫.୪ ପ୍ରତିଶତ ରହିବ ବୋଲି ଦର୍ଶାଇଥିବାବେଳେ ଚଳିତମାସରେ କିଛି ଦିନ ପୂର୍ବରୁ କରିଥିବା ଆକଳନରେ ଏହାକୁ ୫.୩ ପ୍ରତିଶତକୁ କମାଇଥିଲା। ତେବେ ନୂଆ ଆକଳନରେ ବଡ଼ ଧରଣର ହ୍ରାସ ଘୋଷଣା କରିଛି। କିନ୍ତୁ ୨୦୨୧ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୫.୮ ପ୍ରତିଶତ ରହିବ ବୋଲି ମୁଡିସ୍ କହିଛି। ୨୦୨୧ର ଆକଳନରେ କୌଣସି ପରିବର୍ତ୍ତନ ଆଣିନାହିଁ। ତେବେ ସବୁଠାରୁ ଚିନ୍ତାର ବିଷୟ ହେଲା ପ୍ରମୁଖ ପାଶ୍ଚାତ୍ୟ ଅର୍ଥନୀତି ଗୁଡ଼ିକର ଅଭିବୃଦ୍ଧି ସଙ୍କୁଚିତ ହେବ ବୋଲି ମୁଡିସ୍ କହିଛି। ୨୦୨୦ର ପ୍ରଥର୍ମାର୍ଦ୍ଧରେ ଜର୍ମାନୀର ଅଭିବୃଦ୍ଧି -୫.୪ ପ୍ରତିଶତ, ଇଟାଲିର -୪.୫ ପ୍ରତିଶତ, ଯୁକ୍ତରାଷ୍ଟ୍ର ଆମେରିକାର -୪.୩ ପ୍ରତିଶତ, ବ୍ରିଟେନର -୩.୯ ପ୍ରତିଶତ ଏବଂ ଫ୍ରାନ୍ସର -୩.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ମୁଡିସ୍ କେବଳ ଭାରତର ନୁହେଁ, ଚୀନର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ହ୍ରାସ ପାଇବ ବୋଲି ଦର୍ଶାଇଛି। ପୂର୍ବ ଆକଳନରେ ଚୀନର ଅଭିବୃଦ୍ଧି ୪.୮ ପ୍ରତିଶତ ରହିବ ବୋଲି ଏହି ସଂସ୍ଥା ଦର୍ଶାଇଥିବାବେଳେ ଏବେ ଏହାକୁ ୩.୩ ପ୍ରତିଶତକୁ କମାଇ ଦେଇଛି। ଭାରତରେ ତାଲା ବନ୍ଦ ଘୋଷଣା ହେବା ପୂର୍ବରୁ ଷ୍ଟାଣ୍ଡାର୍ଡ ଆଣ୍ଡ ପୁଅର୍ସ ୨୦୨୦ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୫.୨ ପ୍ରତିଶତକୁ ଏବଂ ଓଇସିଡି ୫.୧ ପ୍ରତିଶତକୁ କମାଇଥିଲେ। ତାଲା ବନ୍ଦ ଘୋଷଣା ପରେ ଏସବୁ ସଂସ୍ଥା ମଧ୍ୟ ଭାରତର ଅଭିବୃଦ୍ଧିରେ ସଂଶୋଧନ ଆଣିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର