ସବୁଠୁ ଦ୍ରୁତ ଗତିରେ ବଢ଼ିବ ଭାରତ

ନୂଆଦିଲ୍ଲୀ: ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ଭାବେ ଭାରତର ଗତିକୁ କୋଭିଡ୍‌ ମହାମାରୀ ରୋକି ପାରିବ ନାହିଁ। ଅନ୍ୟ ‌ଯେକୌଣସି ଦେଶ ତୁଳନାରେ ଏହାର ଅଭିବୃଦ୍ଧି ୨୦୨୧-୨୨ ଆର୍ଥିକ ବର୍ଷ‌ରେ ସର୍ବାଧିକ ରହିବ ବୋଲି ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ମହାମାରୀର ଦ୍ବିତୀୟ ଲହର ପୂର୍ବରୁ ଦେଶବିଦେଶର ପ୍ରାୟ ସବୁ ଏଜେନ୍ସି ଆକଳନ କରିଥିଲେ ଯେ ଭାରତର ଅଭିବୃଦ୍ଧି ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ରହିବ। କିନ୍ତୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଦ୍ବିତୀୟ ଲହରର ପ୍ରଭାବ ରହିଥିବାରୁ ଅନେକ ସଂସ୍ଥା ସେମାନଙ୍କ ପୂର୍ବାନୁମାନ ବଦଳାଇଛନ୍ତି। କିଛି ସଂସ୍ଥା ନିଜ ପୂର୍ବ ଆକଳନରେ ସଂଶୋଧନ କରି କହିଛନ୍ତି ଯେ ଭାରତର ଏକ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ। ବ୍ଲୁମ୍‌ବର୍ଗ ତରଫରୁ ବିଭିନ୍ନ ଅର୍ଥନୀତିଜ୍ଞମାନଙ୍କ ମତକୁ ନେଇ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତ ୧୦% ଅଭିବୃଦ୍ଧି ହାସଲ କରିବ।

କରୋନା ମହାମାରୀର ଦ୍ବିତୀୟ ଲହର ମୁକାବିଲା କରିବା ଲାଗି ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିବାରୁ ଫୋନ୍‌ ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ସବୁ କିଛିର ଚାହିଦା ହ୍ରାସ ପାଇଛି। ଗତବର୍ଷର ମହାମାରୀର ପ୍ରଭାବ ଦୂର ହେବା ପରେ ଦୁଇ ମାସ ପର୍ଯ୍ୟନ୍ତ ଚାହିଦାରେ ଦ୍ରୁତ ସୁଧାର ଘଟିଥିଲା। ମାତ୍ର ଚଳିତ ବର୍ଷ ଏପ୍ରିଲ୍‌ରୁ ପୁଣି ଥରେ ସବୁ କିଛିର ଚାହିଦା କମିଛି। ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ଯଦିଓ ଭାରତରେ ଦୈନିକ ସଂକ୍ରମଣ ହ୍ରାସ ପାଉଛି, କିନ୍ତୁ ଏବେବି ଅନେକ ସ୍ଥାନରେ ନିଯୁକ୍ତିକୁ ନେଇ ସମସ୍ୟା ରହିଛି। ଜୁନ୍‌ରୁ କିଛି ଅଂଶ ଖୋଲିବ ବୋଲି କୁହାଯାଉଛି। ଅନିଶ୍ଚିତତା କିନ୍ତୁ ଏତେ ଶୀଘ୍ର ଦୂର ହେବନାହିଁ।

ତେଣୁ ଲୋକମାନେ ମନଖୋଲା ବ୍ୟୟ କରିପାରିବେନି। ଚଳିତ ବର୍ଷ ବେକାରି ସମସ୍ୟା ମଧ୍ୟ ସର୍ବୋଚ୍ଚ ସ୍ତରରେ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ରିପୋର୍ଟରେ ଦ୍ବିତୀୟ ଲହର ବିଷୟରେ କହିଛି ଯେ ଗମନାଗମନ‌ରେ କଟକଣା, ବ୍ୟୟ ହ୍ରାସ ଓ ନିଯୁକ୍ତି ସଙ୍କଟ ଯୋଗୁଁ ଦେଶରେ ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବାରକ୍ଲେଜ୍ ପକ୍ଷରୁ କୁହାଯାଇଛି ଯେ ଟିକାକରଣର ମନ୍ଥର ଗତି ସୁଧାର ପ୍ରକ୍ରିୟା ପ୍ରତି ବିପଦ ହୋଇରହିବ। ଭାରତରେ ଯଦି କରୋନା ମହାମାରୀର ତୃତୀୟ ଲହରର ଦେଖାଦେବ ତେବେ ଏହାର ଅଭିବୃ୍ଦ୍ଧି ୭.୭%କୁ ହ୍ରାସ ପାଇ।

ସମ୍ବନ୍ଧିତ ଖବର