ଇଣ୍ଡିଆନ୍ ବ୍ୟାଙ୍କ ନିଟ୍ ଲାଭରେ ୧୩୯% ବୃଦ୍ଧି

ଭୁବନେଶ୍ବର: ଇଣ୍ଡିଆନ୍ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଉକ୍ତ ତ୍ରୟମାସରେ ବ୍ୟାଙ୍କର ମୋଟ ଆୟରେ ୧୮ ପ୍ରତିଶତ ବୃଦ୍ଧି ଦେଖାଦେଇଛି। ନିଟ୍ ଲାଭରେ ୧୩୯ ପ୍ରତିଶତ ବୃଦ୍ଧି ଘଟି ୩୫୯ କୋଟି ଟଙ୍କାରେ ପହଞ୍ଚିଛି। ଅନ୍ୟାନ୍ୟ ଆୟରେ ୭୨ ପ୍ରତିଶତ ବୃଦ୍ଧି ଘଟିବା ଯୋଗୁଁ ବ୍ୟାଙ୍କର ନିଟ୍ ଲାଭ ଏହା ହୋଇପାରିଛି। ଚେନ୍ନାଇଠାରେ ଗତ ୨୩ ତାରିଖରେ ଅନୁଷ୍ଠିତ ବ୍ୟାଙ୍କର ବୋର୍ଡ ବୈଠକରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସର ଆର୍ଥିକ ଫଳାଫଳକୁ ମଞ୍ଜୁରି ଦିଆଯାଇଛି। ଆର୍ଥିକ ବର୍ଷର ପ୍ରଥମ ୬ମାସରେ ବ୍ୟାଙ୍କର ନିଟ୍ ଲାଭ ୧୦୧ ପ୍ରତିଶତ ବୃଦ୍ଧି ଘଟି ୭୨୪ କୋଟି ଟଙ୍କାରେ ପହଞ୍ଚିଛି। ସେହିଭଳି ବ୍ୟାଙ୍କର ମୋଟ ଆୟ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ୧୮ ପ୍ରତିଶତ ବୃଦ୍ଧି ଘଟି ୬୦୪୫ କୋଟି ଟଙ୍କାରେ ପହଞ୍ଚିଥିବାବେଳେ ଏପ୍ରିଲ-ସେପ୍ଟେମ୍ବର ଅବଧିରେ ଏହା ୧୧,୮୭୭ କୋଟି ଟଙ୍କା ରହିଛି। ବ୍ୟବସାୟ ଅଭିବୃଦ୍ଧି ଉପରେ ବ୍ୟାଙ୍କ ଗୁରୁତ୍ବ ଦେଇଥିବାରୁ ଏଭଳି ଫଳାଫଳ ମିଳିପାରିଛି ବୋଲି ବ୍ୟାଙ୍କର ଏମ୍‌ଡି ତଥା ସିଇଓ ପଦ୍ମଜା ଚୁନ୍ଦୁରୁ କହିଛନ୍ତି।

ସମ୍ବନ୍ଧିତ ଖବର