ନୂଆଦିଲ୍ଲୀ: ୨୦୧୬ ଅକ୍ଟୋବରରେ ଗୋଟିଏ ନାମୀ ବିଦେଶୀ ଖବର ସରବରାହ ସଂସ୍ଥାରେ ଏକ ଲେଖା ପ୍ରକାଶ କରିଥିଲା। ସେଥିରେ ଭାରତୀୟ ଆଇଟି ଶିଳ୍ପର ଭବିଷ୍ୟତ ସମ୍ପର୍କରେ ପ୍ରକାଶିତ ଲେଖାରେ ଏହାର ମୃତ୍ୟୁ ଆସନ୍ନ ବୋଲି କୁହାଯାଇଥିଲା। ବିଶେଷକରି ରୋବୋଟିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରଭାବରେ ଏଭଳି ହେବ ବୋଲି କୁହାଯାଇଥିଲା। କିନ୍ତୁ ୨୦୧୮ରେ ଏହା ଭୁଲ ପ୍ରମାଣିତ ହୋଇଛି। କାରଣ ଭାରତର ସବୁଠୁ ବଡ଼ ଆଇଟି କମ୍ପାନି ଟିସିଏସ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ପଥକୁ ଫେରିଛି। ସେହିଭଳି ଦ୍ବିତୀୟ ବୃହତ୍ ଆଇଟି କମ୍ପାନି ଇନଫୋସିସ୍ର ଦ୍ବିତୀୟ ତ୍ରୟମାସ ଫଳାଫଳ ସମ୍ପର୍କରେ ବିଶେଷଜ୍ଞମାନେ ଯାହା ଆକଳନ କରିଥିଲେ ତାହାଠାରୁ ଭଲ ଫଳ ଏହି କମ୍ପାନି କରିଛି। ଏସବୁକୁ ଦେଖିଲେ ଭାରତୀୟ ଆଇଟି ଶିଳ୍ପ ଜଟିଳ ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରି ଆଗକୁ ବଢ଼ିବାରେ ଲାଗିଛି। ଆଇଟି କମ୍ପାନି ଗୁଡ଼ିକ ମୁଖ୍ୟତଃ ୪ଟି ପନ୍ଥାକୁ ଆପଣାଇ ସଫଳତା ହାସଲ କରିଛନ୍ତି। ସେଗୁଡ଼ିକ ହେଲା ବିଦେଶରେ ନିଯୁକ୍ତି: ଭାରତୀୟ ଆଇଟି କମ୍ପାନିଙ୍କ ସମ୍ପର୍କରେ ଯେଉଁ ଦୃଶ୍ୟମାନ ପରିବର୍ତ୍ତନ ଏବେ ଦେଖାଯାଉଛି ତାହାହେଲା ସେମାନେ କମ୍ ଭାରତୀୟ ଓ ଅଧିକ ବିଦେଶୀ ହେବାରେ ଲାଗିଛନ୍ତି। ଆମେରିକାରେ ଆଗାମୀ ୨ ବର୍ଷ ମଧ୍ୟରେ ଇନଫୋସିସ୍ ୧୦ ହଜାର ନିଯୁକ୍ତି ଦେବ ବୋଲି ଘୋଷଣା କରିଛି। ସେହିଭଳି କଗ୍ନିଜାଣ୍ଟ ୨୫ ହଜାର ନିଯୁକ୍ତି କରିବ। ଟିସିଏସ ଓ ୱିପ୍ରୋ ଭଳି କମ୍ପାନିଙ୍କ କାର୍ଯ୍ୟସୂଚୀର ମଧ୍ୟ ଏଭଳି ନିଯୁକ୍ତି ରଖାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତରେ କମ୍ ନିଯୁକ୍ତି : ସ୍ଥାନୀୟ ବଜାରରେ ଅଧିକ ନିଯୁକ୍ତି ଘୋଷଣା ଫଳରେ ଭାରତରେ ଭାରତୀୟ ଆଇଟି କମ୍ପାନିଙ୍କ ନିଯୁକ୍ତି ହ୍ରାସ ଘଟିଛି। କଗ୍ନିଜାଣ୍ଟ କ୍ଷେତ୍ରରେ ଏହା ଅତ୍ୟନ୍ତ ସ୍ପଷ୍ଟ ହୋଇଛି। ୨୦୧୭ ଶେଷ ସୁଦ୍ଧା କଗ୍ନିଜାଣ୍ଟର କର୍ମଚାରୀ ସଂଖ୍ୟା ୨,୬୦,୦୦୦ ରହିଥିଲା। ଏଥିରୁ ୧,୮୦,୦୦୦ କର୍ମଚାରୀ ଭାରତରେ ରହିଥିଲେ। ଏହି ସଂଖ୍ୟାରେ ଏବେ ୮୦୦୦ ହ୍ରାସ ଘଟିଛି। କିନ୍ତୁ ଏହି ସମୟ ମଧ୍ୟରେ କମ୍ପାନିର କର୍ମଚାରୀ ସଂଖ୍ୟା ଆମେରିକାରେ ୨୯୦୦ ଏବଂ ୟୁରୋପରେ ୨୩୦୦ ବୃଦ୍ଧି ଘଟିଛି। ବିଦେଶକୁ କାର୍ଯ୍ୟ ସ୍ଥାନାନ୍ତର: ଆମେରିକାରେ ଏଚ-୧ବି ଭିସା ପାଇବା ଭାରତୀୟ କମ୍ପାନିଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲେ ମଧ୍ୟ ସେଠାରେ ଯଥେଷ୍ଟ ସଂଖ୍ୟାରେ କର୍ମଚାରୀ ମିଳୁନାହାନ୍ତି। ତେଣୁ ଆଇଟି କମ୍ପାନି ଗୁଡ଼ିକ ଅଧିକରୁ ଅଧିକ କାର୍ଯ୍ୟ ବିଦେଶକୁ ସ୍ଥାନାନ୍ତର କରିବାରେ ଲାଗିଛନ୍ତି। ତେବେ ଆମେରିକାରୁ କେବଳ ଭାରତକୁ କାର୍ଯ୍ୟ ଆସୁନାହିଁ ବରଂ ଅନ୍ୟାନ୍ୟ ଦେଶକୁ ଅଧିକ ଯାଉଛି। କର୍ମଚାରୀ ଉପଯୋଗିତାରେ ଉନ୍ନତି: ଆଇଟି କମ୍ପାନିଙ୍କ କର୍ମଚାରୀ ଉପଯୋଗିତା ହାରରେ ଉନ୍ନତି ଆସିଛି। ସାଧାରଣତଃ ମୋଟ କର୍ମଚାରୀଙ୍କ ମଧ୍ୟରୁ ୭୫%ଙ୍କୁ ପୂର୍ବରୁ ଉପଯୋଗ କରାଯାଉ ଥିବାବେଳେ ଏବେ ଏହା ୮୦% ଟପିଛି। ଏଥିଯୋଗୁ କମ୍ପାନି ଗୁଡ଼ିକର ଲାଭ ବୃଦ୍ଧି ହୋଇଛି। ଏସବୁ ସତ୍ତ୍ବେ ଭାରତୀୟ ଆଇଟି ଶିଳ୍ପ ଉପରୁ ଅନ୍ଧାର ହଟିଯାଇଛି ବୋଲି କୁହାଯାଇ ପାରିବ ନାହିଁ। ଏବେ ବି ଅନେକ ଆହ୍ବାନ ରହିଛି। ବିଭିନ୍ନ ଦେଶ ବ୍ୟବସାୟରେ ସେମାନଙ୍କ ନିଜ ଦେଶର କମ୍ପାନିକୁ ଅଧିକ ପ୍ରାଧାନ୍ୟ ଦେବା ଭଳି ଚାଲେଞ୍ଜ ରହିଛି।