ଓଡ଼ିଶାରେ ୧୦୦% ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ କଲା ଭାରତୀୟ ରେଳ

ଭୁବନେଶ୍ବର:  ୨୦୩୦ ସୁଦ୍ଧା ନେଟ୍‌ ଜିରୋ କାର୍ବନ ଏମିଟର ବା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ନିମନ୍ତେ ଭାରତୀୟ ରେଳର ପ୍ରୟାସ ଜାରି ରହିଛି । ଏହି କ୍ରମରେ ଓଡ଼ିଶାରେ ସମସ୍ତ ବ୍ରଡ୍‌ ଗଜ୍‌ ରେଳଲାଇନର ଶହେ ପ୍ରତିଶତ ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ ହୋଇଛି । ଓଡ଼ିଶାରେ ବର୍ତ୍ତମାନ ୨,୮୨୨ ରୁଟ୍‌ କିଲୋମିଟର ବ୍ରଡ୍‌ ଗଜ୍‌ ନେଟୱର୍କ ରହିଛି, ଯାହାର ୧୦୦% ବିଦ୍ୟୁତୀକରଣ ଶେଷ ହୋଇଛି । ଏହାଦ୍ୱାରା ଲାଇନ୍‌ ହଲ୍‌ ଖର୍ଚ୍ଚ ପ୍ରାୟ ଅଢ଼େଇ ଗୁଣ ହ୍ରାସ ପାଇବ, ହଲେଜ୍‌ କ୍ଷମତା ଅଧିକ ହେବ, ସେକ୍ସନ କ୍ଷମତା ବୃଦ୍ଧି ପାଇବ, ଇଲେକ୍ଟ୍ରିକ ଲୋକୋର ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ କମିବ, ଇନ୍ଧନ ଦକ୍ଷ ଓ ପରିବେଶ ଅନୁକୂଳ ପରିବହନ ମାଧ୍ୟମ ମିଳିବା ସହିତ ଅଶୋଧିତ ତୈଳ ଉପରେ ଆମଦାନୀ ହ୍ରାସ ପାଇବ ଯାହାକି ବିଦେଶୀ ମୁଦ୍ରା ସଞ୍ଚୟରେ ସହାୟକ ହେବ।

ଓଡ଼ିଶାରୁ ଦେଶର ଅନ୍ୟ ପ୍ରାନ୍ତକୁ ଖଣିଜ ଦ୍ରବ୍ୟ, କୃଷି ଉତ୍ପାଦ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରିବା କ୍ଷେତ୍ରରେ ରେଳ ନେଟୱର୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଓଡ଼ିଶାର ପ୍ରଥମ ରେଳଲାଇନ କଟକ-ଖୋର୍ଦ୍ଧା ରୋଡ-ପୁରୀ ମଧ୍ୟରେ ୧୮୯୭ ମସିହାରେ ନିର୍ମାଣ କରାଯାଇଥିଲା। ଓଡ଼ିଶା ରାଜ୍ୟର ରେଳ ନେଟୱର୍କ ପୂର୍ବତଟ ରେଳବାଇ, ଦକ୍ଷିଣ-ପୂର୍ବ ରେଳବାଇ ଏବଂ ଦକ୍ଷିଣପୂର୍ବ-କେନ୍ଦ୍ର ରେଳବାଇ ପରିଚାଳନା ଅଧୀନରେ ଆସିଥାଏ। ସେହିପରି  ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଭଦ୍ରକ, ରାଉରକେଲା ଓ ଝାରସୁଗୁଡ଼ା ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନ ଭାବେ ପରିଗଣିତ ହୋଇଥାଏ।

ହାଓଡ଼ା-ପୁରୀ ଏକ୍ସପ୍ରେସ, କୋଣାର୍କ ଏକ୍ସପ୍ରେସ, କରମଣ୍ଡଳ ଏକ୍ସପ୍ରେସ, ହୀରାକୁଦ ଏକ୍ସପ୍ରେସ, ବିଶାଖା ଏକ୍ସପ୍ରେସ ଏବଂ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଆଦି ଓଡ଼ିଶା ଦେଇ ଚାଲୁଥିବା ପ୍ରମୁଖ ରେଳଗାଡ଼ି ରାଜ୍ୟର ବିଭିନ୍ନ ସ୍ଥାନ ଏବଂ ଭାରତର ଅନ୍ୟ ପ୍ରମୁଖ ସହରଗୁଡ଼ିକୁ ଏସବୁ ଓଡ଼ିଶା ସହ ଯୋଡ଼ିଥାଏ ।

ସମ୍ବନ୍ଧିତ ଖବର