କରୋନା ମହାମାରୀ ସମୟରେ ବି କମୁନି ଭାରତୀୟଙ୍କ ସୁନା ମୋହ, ୨୦୨୧ରେ ରେକର୍ଡ ସୁନା କ୍ରୟ

ନୂଆଦିଲ୍ଲୀ : କରୋନା ମହାମାରୀ ପରି ମହାସଂକଟ ମଧ୍ୟରେ ବି ଭାରତୀୟଙ୍କ ସୁନା ପ୍ରତି ଥିବା ଆକର୍ଷଣ କମିନାହିଁ । କମିବ କଣ, ଓଲଟି ତାହା ରେକର୍ଡ ସ୍ତରରେ ପହଞ୍ଚିଛି ।

ବିଶ୍ବ ସ୍ବର୍ଣ୍ଣ ପରିଷଦର ତଥ୍ୟ ଅନୁସାରେ ୨୦୨୧ରେ ଭାରତର ସୁନା ବ୍ୟବହାର ୭୯୭.୩ ଟନରେ ପହଞ୍ଚିଛି । ଏହା ବିଗତ ୫ ବର୍ଷରେ ସର୍ବାଧିକ । ସେହିପରି ୨୦୨୦ ତୁଳନାରେ ୨୦୨୧ରେ ଭାରତର ସୁନା ଚାହିଦା ଦ୍ବିଗୁଣ ହୋଇଯାଇଛି ଓ ମହାମାରୀ ପୂର୍ବ ସ୍ଥିତିକୁ ବି ଟପିଯାଇଛି । ୨୦୨୧ରେ ଭାରତ ସୁନା ଚାହିଦା ୬୧୦ ଟନକୁ ବୃଦ୍ଧି ପାଇଛି, ଯାହାକି ଗତ ୬ ବର୍ଷରେ ସର୍ବାଧିକ । ଅବଶ୍ୟ ୨୦୨୦ରେ ଲକଡାଉନ ଯୋଗୁଁ ଦେଶରେ ସୁନା କାରବାର ହ୍ରାସ ପାଇଥିଲା । କିନ୍ତୁ ୨୦୨୧ରେ ଲକଡାଉନ କଟକଣା ସେତେଟା ନଥିବାରୁ ସୁନା କ୍ରୟ ବଢିଥିଲା ।

ଭାରତରେ ସୁନା ଚାହିଦା ମୁଖ୍ୟତଃ ବିବାହ ଓ ପାର୍ବଣ ଋତୁ ଯୋଗୁଁ ବଢିଥାଏ । ମୁଖ୍ୟତଃ ସହରାଞ୍ଚଳ ଗ୍ରାହକମାନଙ୍କ ଯୋଗୁଁ ସୁନା ଚାହିଦା ବଢୁଛି ବୋଲି ବିଶ୍ବ ସ୍ବର୍ଣ୍ଣ ପରିଷଦ ପକ୍ଷରୁ କୁହାଯାଇଛି ।

ଭାରତୀୟଙ୍କ ସୁନା ଚାହିଦା ଯୋଗୁଁ ଦେଶକୁ ବହୁମୂଲ୍ୟ ବିଦେଶୀ ମୁଦ୍ରା ବ୍ୟୟ କରିବାକୁ ପଡୁଛି । ଦେଶର ସୁନା ଆମଦାନୀ ୨୦୨୦ରେ ମାତ୍ର ୩୪୯.୫ ଟନ ଥିବାବେଳେ ୨୦୨୧ରେ ତାହା ୧୬୫ ପ୍ରତିଶତ ବୃଦ୍ଧି ପାଇ ୯୨୪.୬ ଟନରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର