କମୁଛି ଭାରତର ସୁନା ଆମଦାନୀ, ଏପ୍ରିଲ-ଫେବ୍ରୁଆରୀରେ ୩.୩% ହ୍ରାସ  

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷରେ ଦେଶର ସୁନା ଆମଦାନୀ ହ୍ରାସ ପାଇଛି । କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଦେଶରେ ସୁନା ଚାହିଦା ହ୍ରାସ ପାଇଥିବାରୁ ଏପରି ହୋଇଥିବା ଅନୁମାନ କରାଯାଉଛି ।

ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଫେବ୍ରୁଆରି ୧୧ ମାସରେ ଭାରତର ସୁନା ଆମଦାନୀ ୩.୩ ପ୍ରତିଶତ ହ୍ରାସ ପାଇ ୨୬.୧୧ ବିଲିୟନରେ ପହଞ୍ଚିଛି । ପୂର୍ବ ବର୍ଷ (୨୦୧୯-୨୦)ର ସମାନ ସମୟରେ ଭାରତ ୨୭ ବିଲିୟନ ଡଲାର ମୂଲ୍ୟର ସୁନା ଆମଦାନୀ କରିଥିଲା ।

ସୁନା ଆମଦାନୀ ହ୍ରାସ ପାଇଥିବାରୁ ତାହା ଦେଶର ଚଳନ୍ତି ଖାତା ନିଅଣ୍ଟ ଓ ବାଣିଜ୍ୟ ନିଅଣ୍ଟ ହ୍ରାସ କରିବାରେ ସହାୟକ ହେବ । ଏପ୍ରିଲ-ଫେବ୍ରୁଆରି ୧୧ ମାସରେ ଦେଶର ବାଣିଜ୍ୟ ନିଅଣ୍ଟ ପରିମାଣ ୮୪.୬୨ ବିଲିୟନ ଡଲାରକୁ ହ୍ରାସ ପାଇଛି ଯାହାକି ପୂର୍ବ ବର୍ଷ (୨୦୧୯-୨୦)ର ସମାନ ସମୟରେ ୧୫୧.୩୭ ବିଲିୟନ ଡଲାର ଥିଲା ।

ସୂଚନାଯୋଗ୍ୟ ଯେ ଭାରତ ହେଉଛି ବିଶ୍ବର ବୃହତ୍ତମ ସୁନା ଆମଦାନୀକାରୀ ଦେଶ । ଭାରତ ନିଜ ସୁନା ଆବଶ୍ୟକତାର ଅଧିକାଂଶ ଭାଗ ବିଦେଶରୁ ଆମଦାନୀ କରେ ।

ସୁନା ଚାହିଦା ବୃଦ୍ଧି କରିବାକୁ ସରକାର ଗତ ବଜେଟରେ ସୁନା ଉପରେ ଲାଗୁ ଆମଦାନୀ ଶୁଳକକୁ ୭.୫ ପ୍ରତିଶତକୁ ହ୍ରାସ କରିଥିଲେ । ତେବେ ଏହା ଉପରେ କୃଷି ଓ ଭିତ୍ତିଭୂମି ସେସ ଲାଗୁ ହୋଇଛି ।

ସମ୍ବନ୍ଧିତ ଖବର