ଆଶା-ଆଶଙ୍କାରେ ‘ଆର୍‌ସିଇପି’, ୨୦୨୦ ପୂର୍ବରୁ ଚୁକ୍ତି ହୋଇନପାରେ

ନୂଆ ଦାବି କଲା ଭାରତ

ବ୍ୟା‌ଙ୍କକ୍ : ଦକ୍ଷିଣ ଏସୀୟ ରା‌ଷ୍ଟ୍ରଗୁଡ଼ିକ ମିଶି ବିଶ୍ବର ସର୍ବବୃହତ ବାଣିଜ୍ୟ ରାଜିନାମା ‘ଆଞ୍ଚଳିକ ବ୍ୟାପକ ଅର୍ଥ‌ନୈତିକ ସହଭାଗିତା (ଆର୍‌ସିଇପି) ସ୍ବାକ୍ଷର କରିବାକୁ ଆଲୋଚନା ଜାରି ରଖିଛନ୍ତି। ଆସନ୍ତାକାଲି ଠାରୁ ଥାଇଲ୍ୟାଣ୍ଡ୍‌ରେ ଆରମ୍ଭ ହେଉଥିବା ଆସିଆନ୍ ଶୀର୍ଷ ସମ୍ମିଳନୀରେ ଏହି ଚୁକ୍ତି ସ୍ବାକ୍ଷର ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଶେଷ ମୁହୂର୍ତରେ ଭାରତ ତରଫରୁ କେତେକ ନୂଆ ଦାବି ଉପସ୍ଥାପନ କରାଯିବା ପରେ ଏହି ଚୁକ୍ତିର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।

ଭାରତ ସମେତ ୧୬ଟି ଦେଶକୁ ନେଇ ଆର୍‌ସିଇପି ଗଠନ କରିବାର ପ୍ରସ୍ତାବ ରହିଛି। ଏଥିରେ ଆସିଆନ୍‌ ରାଷ୍ଟ୍ର ସମୂହରେ ଥିବା ୧୦ଟି ଦେଶ ଓ ଭାରତ, ଚୀନ୍‌, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍‌ ରହିବେ। ଯଦି ଏହି ଚୁକ୍ତି ସ୍ବାକ୍ଷରିତ ହୋଇଯିବ ତେବେ ତାହା ହେବ ବିଶ୍ବର ସବୁଠୁ ବଡ଼ ବାଣିଜ୍ୟ ରାଜିନାମା। ବିଶ୍ବ ଜିଡିପିର ଏକ ତୃତୀୟାଂଶ (୩୦%) ଏବଂ ଦୁନିଆର ଅଧା ଜନସଂଖ୍ୟା ଏହା ଅଧୀନରେ ରହିବେ। ସେହି ଦୃଷ୍ଟିରେ ଏହା କେତେ ଶକ୍ତିଶାଳୀ ହୋଇପାରିବ ତାହା ସହଜରେ ବୁଝିହେଉଛି।

ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ଦ୍ବାରା ଜାରି କରାଯାଇଥିବା ଚିଠା ବିବୃତିରେ ଉଲ୍ଲେଖ କରାଯାଇଛି ଯେ, ବଜାର ହାସଲକୁ ନେଇ ଅଧିକାଂଶ ଆଲୋଚନା ଶେଷ ହୋଇଛି। କିଛି ଦ୍ବିପାକ୍ଷିକ ସମସ୍ୟା‌ର ସମାଧାନ ବାକି ରହିଛି। ୨୦୨୦ ଫେବ୍ରୁଆରି ସୁଦ୍ଧା ସେହି ପ୍ରକ୍ରିୟା ଶେଷ ହେବ। ଆର୍‌ସିଇପିକୁ ନେଇ ଦୀର୍ଘ ବର୍ଷ ହେଲାଣି ଆଲୋଚନା ଜାରି ରହିଛି। ସମସ୍ତ ୨୦ଟି ବିଷୟ ଉପରେ ଆଲୋଚନା ଶେଷ ହୋଇଛି। କେବଳ ଗୋଟିଏ ସଦସ୍ୟକୁ ନେଇ କିଛିଟା ସମାଧାନ ବାକି ରହିଛି। ସେହି ସଦସ୍ୟଟି ଭାରତ ବୋଲି ଅନୁମାନ କରାଯାଉଛି। ଆସନ୍ତାବର୍ଷ ଭିଏତନାମ୍‌ ଠ‌ାରେ ହେବାକୁ ଥିବା ଆସିଆନ୍‌ ସମ୍ମିଳନୀରେ ଆର୍‌ସିଇପି ଚୁକ୍ତି ସ୍ବାକ୍ଷର ହୋଇପାରେ ବୋଲି ଚିଠା ବିବୃତିରେ ଆଶା ପ୍ରକଟ କରାଯାଇଛି।

ଏହି ଚୁକ୍ତି ସ୍ବାକ୍ଷର ହେଲେ ଭାରତରେ ଚୀନ୍‌ର ଶସ୍ତା ସାମଗ୍ରୀର ବନ୍ୟା ହେବ। ତାହା ଭାରତର କ୍ଷୁଦ୍ର ବ୍ୟବସାୟୀ ଓ ଦୋକାନୀମାନଙ୍କୁ ଗୁରୁତର ଭାବେ ପ୍ରଭାବିତ କରିବାର ଆଶଙ୍କା ରହିଛି। ସେଥିପାଇଁ ଏହି ଚୁକ୍ତିକୁ ନେଇ ଭାରତ ଆଗ୍ରହ ଦେଖାଉନାହିଁ। ବ୍ୟାଙ୍କକ୍ ପୋଷ୍ଟ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ସାକ୍ଷାତକାରରେ ଏହି କଥା ଉଲ୍ଲେଖ କରିଛନ୍ତି।

ଆମେରିକା ସହିତ ବାଣିଜ୍ୟ ଲଢ଼େଇ ଲଢ଼ୁଥିବା ଚୀନ୍‌ ‘ଆର୍‌ସିଇପି’ ଶୀଘ୍ର ସ୍ବାକ୍ଷରିତ ହେଉ ବୋଲି ଚାହୁଛି। ଏହା ହେଲେ ଏସିଆ ବଜାରରେ ଚୀନ୍‌ ନିଜର ଆଧିପତ୍ୟ ବଜାୟ ରଖିପାରିବ। ଏହି ଚୁକ୍ତି ଆମେରିକା ପ୍ରତି ଶକ୍ତ ଚାପୁଡ଼ା ସଦୃଶ ହେବ।

କିଛି ଦେଶ ଏହି ଚୁକ୍ତି ସ୍ବାକ୍ଷର କରିବାକୁ ଚାହୁଛନ୍ତି। ଅନ୍ୟ କେତେକ ରାଷ୍ଟ୍ର ଭାରତକୁ ଏଥିରେ ସାମିଲ କରିବାକୁ ଚାହୁଛନ୍ତି। ଏହା ପଛର ପ୍ରମୁଖ କାରଣ ହେଉଛି ଯଦି ଆର୍‌ସିଇପିରେ ଭାରତ ରହିବ ତେବେ ଚୀନ୍‌ର ପ୍ରାଧାନ୍ୟ କମିବ।

ଆର୍‌ସିଇପିକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହା ବାହାନ‌ାରେ ‌ସେ ମୋଦୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ପୂର୍ବରୁ ସରକାର ନେଇଥିବା ନିଷ୍ପତ୍ତି ଯୋଗୁ ଅର୍ଥନୀତିର କ’ଣ କମ୍‌ କ୍ଷତି ହୋଇଛି ଯେ ଏବେ ଆର୍‌ସିଇପି ଜରିଆରେ ଆହୁରି କ୍ଷତି ପହଞ୍ଚାଇବାକୁ ପ୍ରୟାସ କରାଯାଉଛି। ଆର୍‌ସିଇପିରେ ଚୀନ୍‌ର ସଦସ୍ୟତାକୁ ନେଇ ଭାରତର ଉଦ୍ୟୋଗ ଜଗତ ଚିନ୍ତା ପ୍ରକଟ କରିଛି। ଦୁଗ୍ଧ, ଧାତୁ, ଇଲେକ୍‌ଟ୍ରୋନିକ୍ସ ଓ ରସାୟନ ସାମଗ୍ରୀ ଉପରୁ ଶୁଳ୍କ କମାଇବା ପାଇଁ ରାଜି ନହେବାକୁ ଶିଳ୍ପ ଜଗତ ତରଫରୁ ଭାରତ ସରକାରଙ୍କୁ ଅନୁରୋଧ କରାଯାଇଛି। ଏହି ରାଜିନାମା ସ୍ବାକ୍ଷରିତ ହେଲେ ଦେଶର ଦୋକାନ, ଦୋକାନୀ, ଛୋଟ ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥାଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହେବେ ବୋଲି ସୋନିଆ କହିଛନ୍ତି।

ତେବେ ଦେଶର ବଡ଼ ଶିଳ୍ପ ସଂଘ ସିଆଇଆଇ ତରଫରୁ କୁହାଯାଇଛି ଯେ, ଭାରତ ଏହି ଚୁକ୍ତିରେ ସାମିଲ ହେବା ଉଚିତ। ଆର୍‌ସିଇପିରେ ସାମିଲ ନହେଲେ ଭାରତର ରପ୍ତାନି ଓ ପୁଞ୍ଜିନିବେଶ ପ୍ରଭାବିତ ହେବ।

ଆର୍‌ସିଇପି କ’ଣ?

ଆର୍‌ସିଇପି ହେଉଛି ଏକ ମୁକ୍ତ ବାଣିଜ୍ୟ ରାଜିନାମା। ଦକ୍ଷିଣ ଏସିଆର ଦେଶଗୁଡ଼ିକ ମିଶି ଏହି ରାଜିନାମା ସ୍ବାକ୍ଷର କରିବାକୁ ଚାହୁଛନ୍ତି। ଏଥିରେ ଆସିଆନ୍‌ ରାଷ୍ଟ୍ର ସମୂହର ୧୦ଟି ଦେଶ ବ୍ୟତୀତ ଭାରତ, ଚୀନ୍, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍‌ ମଧ୍ୟ ଅଛନ୍ତି। ଆର୍‌ସିଇପି ଚୁକ୍ତି ସ୍ବାକ୍ଷର ହେଲେ ଏଥିରେ ସାମିଲ ହେବାକୁ ଥିବା ଦେଶଗୁଡ଼ିକ ରପ୍ତାନି ଓ ଆମଦାନି ଉପରେ କମ୍ ଟିକସ ଲଗାଇବେ କିମ୍ବା ଆଦୌଁ ଟିକସ ଲାଗାଇବେ ନାହିଁ।

ଭାରତ କାହିଁକି ଚିନ୍ତିତ?

ବର୍ତ୍ତମାନ ସୁଦ୍ଧା ଆର୍‌ସିଇପିକୁ ନେଇ ଯେଉଁ ଆଲୋଚନା ହୋଇଛି ସେହି ଅନୁସାରେ ଚୀନ୍‌ର ପାଖାପାଖି ୮୦% ସାମଗ୍ରୀ ଉପରୁ ଭାରତକୁ ଶୁଳ୍କ ହଟାଇବାକୁ ପଡ଼ିବ କିମ୍ବା କମାଇବାକୁ ପଡ଼ିବ। ‌ସେହିପରି, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍‌ର ୮୬%, ଜାପାନ, ଆସିଆନ୍ ରାଷ୍ଟ୍ର ଏବଂ ଦକ୍ଷିଣ କୋରିଆର ପ୍ରାୟ ୯୦% ଉତ୍ପାଦ ଉପରୁ ଭାରତକୁ ସୀମା‌ ଶୁଳ୍କ କମ୍ କରିବାକୁ ପଡ଼ିବ। ଆର୍‌ସିଇପି ପାଇଁ ଯେଉଁ‌ସବୁ ଦେଶ କଥାବାର୍ତା ଜାରି ରଖିଛନ୍ତି ସେଥି ମଧ୍ୟରୁ ୧୧ଟି ଦେଶ ସହିତ ଭାରତର ବାଣିଜ୍ୟ ନିଅଣ୍ଟ ରହିଛି। ଅର୍ଥାତ୍‌ ଏହି ୧୧ଟି ଦେଶ ଭାରତକୁ ବିପୁଳ ମାତ୍ରାରେ ସାମଗ୍ରୀ ରପ୍ତାନି କରୁଥିବା ବେଳେ ଭାରତରୁ ଖୁବ୍‌ କମ୍ ସାମଗ୍ରୀ ଆମଦାନି କରୁଛନ୍ତି। ଏଭଳି ପରିସ୍ଥିତିରେ ଯଦି ଭାରତ ସୀମା ଶୁଳ୍କ ହଟାଇ ନେବ ତେବେ ସେହି ସବୁ ଦେଶର ଶସ୍ତା ସାମଗ୍ରୀ ଭାରତ ବଜାରକୁ ଅକ୍ତିଆର କରିନେବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର