ୱେବ୍ ଚେକ୍ ଇନ୍‌ରେ ଶୁଳ୍କ ଲଗାଇ ଫସିଲା ଇଣ୍ଡିଗୋ

ନୂଆଦିଲ୍ଲୀ: ୱେବ୍ ଚେକ୍ ଇନ୍‌ରେ ଯେକୌଣସି ସିଟ୍‌ ପାଇଁ ଇଣ୍ଡିଗୋ ଚାର୍ଜ କରିବ ବୋଲି କହିବା ପରେ ସୋସିଆଲ ମିଡିଆରେ ଏହାକୁ ‌ନେଇ ଆଜି ଝଡ଼ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ କମ୍ପାନି ଆଜି ଅପରାହ୍ନରେ ଏହାର ନିୟମରେ ପରିବର୍ତ୍ତନ ଆଣିଛି। ଏକ ବିବୃ୍ତିରେ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି, ମନପସନ୍ଦର ସିଟ ଚୟନ ୧୦୦ ଟଙ୍କାରୁ ଆରମ୍ଭ ହୋଇଛି। ତେବେ କେତେକ ସିଟ୍ ମାଗଣା ମଧ୍ୟ ଉପଲବ୍ଧ ହେବ। ବିମାନ ଛାଡ଼ିବାର ଏକ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ (ଯେପରିକି ଗୋଟିଏ ଦିନ ) କିମ୍ବା ନିର୍ଦ୍ଦିଷ୍ଟ ବିମାନ କ୍ଷେତ୍ରରେ କେତେକ ସିଟ୍ ମାଗଣାରେ ଉପଲବ୍ଧ ହୋଇଥାଏ। ଯଦି ସିଟ୍ ପାଇଁ ଯାତ୍ରୀଙ୍କର କୌଣସି ପସନ୍ଦ ନଥାଏ ଏବଂ ଆଗୁଆ ସିଟ୍ ଚୟନ ପାଇଁ ଯାତ୍ରୀ କୌଣସି ଅର୍ଥ ଦେବାକୁ ଆଗ୍ରହୀ ନଥାନ୍ତି ତାହେଲେ ୱେବ୍ ଚେକ୍ ଇନ୍ ସମୟରେ ଉପଲବ୍ଧ ହେଉଥିବା ମାଗଣା ସିଟ୍‌କୁ ରିଜର୍ଭ କରିପାରିବେ। ଯଦି ଏହା ନକରନ୍ତି ତାହେଲେ ବିମାନ ବନ୍ଦରରେ ଚେକ୍ ଇନ୍ ସମୟରେ ଯାତ୍ରୀମାନଙ୍କୁ ସିଟ୍ ନମ୍ବର ପ୍ରଦାନ କରାଯିବ। ସାରା ବିଶ୍ବରେ ଏୟାରଲାଇନ୍ସ ଗୁଡ଼ିକ ଏହି ନୀତି ହିଁ ଆପଣାଇଥାନ୍ତି ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ୱେବ୍ ଚେକ୍ ଇନ୍‌ରେ ସବୁ ସିଟ୍ ପାଇଁ ଏୟାରଲାଇନ୍ସ ଗୁଡ଼ିକ ଅର୍ଥ ଆଦାୟ କରୁଥିବା ନେଇ ଜାଣିବାକୁ ପାଇଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କହିବା ପରେ ଇଣ୍ଡିଗୋ ପକ୍ଷରୁ ଏଭଳି କୁହାଯାଇଛି। ରବିବାର ଇଣ୍ଡିଗୋ ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଥିଲା ଆମର ସଂଶୋଧିତ ନୀତି ଅନୁଯାୟୀ, ଓେବ୍ ଚେକ୍ ଇନ୍‌ରେ ସବୁ ସିଟ୍ ପାଇଁ ଚାର୍ଜ କରାଯିବ। ବିକଳ୍ପ ଭାବେ ‌ଯାତ୍ରୀମାନେ ୱେବ୍ ଚେକ୍ ଇନ୍ ନକରି ବିମାନ ବନ୍ଦରରେ ଚେକ୍ ଇନ୍ କରିଲେ ସେଥିପାଇଁ କୌଣସି ଅର୍ଥ ନିଆଯିବ ନାହିଁ। ତେବେ ଆସନର ଉପଲବ୍ଧତା ଅନୁସାରେ ତାହା ଯାତ୍ରୀମାନଙ୍କୁ ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ଦେଶରେ ବିମାନ ବନ୍ଦର ଗୁଡ଼ିକରେ ଯାତ୍ରୀଙ୍କର ଭିଡ଼ ତୁଳନାରେ ସୁବିଧା ସୁଯୋଗ ନାହିଁ। ୱେବ୍ ଚେକ୍ ଇନ୍‌ରେ ସବୁ ବିମାନ ସିଟ୍ ପାଇଁ ଅର୍ଥ ଆଦାୟ କରାଗଲେ ବିମାନ ବନ୍ଦରରେ ଚେକ୍ ଇନ୍ ପାଇଁ ଲମ୍ବା ଲାଇନ ଲାଗିବ। କାରଣ ୱେବ୍ ଚେକ୍ ଇନ୍‌ରେ ଅଧିକାଂଶ ଯାତ୍ରୀ ସିଟ୍ ପାଇଁ ୧୦୦ ଟଙ୍କାରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦେବାକୁ ରାଜି ହେ‌ବେନାହିଁ।

ସମ୍ବନ୍ଧିତ ଖବର