ବର୍ଷେ ୫ ମାସ ଧରି ଆନ୍ତର୍ଜାତିକ ଉଡ଼ାଣ ବନ୍ଦ, କଟକଣା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ : କରୋନା ମହାମାରୀ ପ୍ରଭାବକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ ବିମାନ ଉଡ଼ାଣକୁ ରଦ୍ଦ କରାଯାଇଛି। ଏହି କଟକଣା ଲାଗିବାର ଏକ ବର୍ଷ ପାଞ୍ଚ ମାସ ହୋଇଗଲାଣି। ୨୦୨୦ ମାର୍ଚ୍ଚ ୨୩ରେ ଲକ୍‌ଡାଉନ୍ ଘୋଷଣା ହେବା ଦିନଠାରୁ ଏହି କଟକଣା ରହିଛି। ‌ତାହାର ସମୟ ସୀମାକୁ ଆଜି ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି କଟକଣା କିନ୍ତୁ ଆନ୍ତର୍ଜାତିକ କାର୍ଗୋ ବିମାନ କିମ୍ବା ଡିଜିସିଏ ମଞ୍ଜୁର କରିଥିବା ସ୍ବତନ୍ତ୍ର ବିମାନ ଉଡ଼ାଣ ଉପରେ ଲାଗୁ ହେବ ନାହିଁ। ଯେହେତୁ ପ୍ରତି ମାସରେ କଟକଣା ସମୟ ସୀମା‌ ବୃଦ୍ଧି ହେଉଛି, ତେଣୁ କେବେ ସବୁ କିଛି ସ୍ବାଭାବିକ ହେବ ତାହା ଏବେବି ଅନିଶ୍ଚିତତା ମଧ୍ୟରେ ରହିଛି।

ତେବେ କେତେକ ନିର୍ଦିଷ୍ଟ ମାମଲାକୁ ଦୃଷ୍ଟିରେ ରଖି କିଛି ଆନ୍ତର୍ଜାତିକ ସିଡ୍ୟୁଲଡ୍‌ ବିମାନ ଉଡ଼ାଣକୁ ଅନୁମତି ଦେବା ଲାଗି ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ‌କେବଳ ସିଡ୍ୟୁଲଡ୍‌ ଆନ୍ତର୍ଜାତିକ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ କଟକଣା ରହିବ। ଗତ ଜୁଲାଇ ୩୦ରେ ଆନ୍ତର୍ଜାତିକ ବିମାନ ଉଡ଼ାଣ କଟକଣାକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ବନ୍ଦେ ଭାରତ ମିସନ ଭଳି ଅଭିଯାନରେ କିଛି ବିମାନ ଉଡ଼ାଣ ଲାଗି ସ୍ବତନ୍ତ୍ର ଅନୁମତି ପ୍ରଦାନ କରାଯାଉଛି। କେନ୍ଦ୍ର ସରକାର ବିଭିନ୍ନ ଦେଶ ସହ ବାୟୋ ବବଲ୍‌ ବୁଝାମଣା ମଧ୍ୟ ସ୍ବାକ୍ଷର କରିଛନ୍ତି। ସେହି ଆଧାରରେ ପ୍ରତି ସପ୍ତାହରେ କିଛି ନିର୍ଦିଷ୍ଟ ପରିମାଣର ଆନ୍ତର୍ଜାତିକ ବିମାନ ଉଡ଼ାଣ ଲାଗି ଅନୁମତି ଦିଆଯାଉଛି। ଏହି ବିମାନଗୁଡ଼ିକ ଜରିଆରେ ଅନେକ ଭାରତୀୟ ସ୍ବଦେଶ ପ୍ରତ୍ୟାବର୍ତନ କରିଥିବା ବେଳେ ବିଦେଶକୁ ମଧ୍ୟ ଯାଇଛନ୍ତି। ଭାରତରେ ମହାମାରୀର ଦ୍ବିତୀୟ ଲହର ଏକ ପ୍ରକାର ନିୟନ୍ତ୍ରଣ ମଧ୍ୟକୁ ଆସିଥିବାରୁ ସ୍ବିଜରଲ୍ୟାଣ୍ଡ୍, ଫ୍ରାନ୍ସ, ଜର୍ମାନି, ମାଳଦୀପ ଓ କତାର ଭଳି କିଛି ଦେଶ ଭାରତୀୟ ବିମାନ ଉପରେ ଲଗାଇଥିବା କଟକଣା ହଟାଇବା ଆରମ୍ଭ କରିଛନ୍ତି। ୟୁରୋପରେ ବିଶେଷ କରି ବ୍ରିଟେନ୍‌ରେ ପାଠପଢ଼ା ଲାଗି ନାମଲେଖା ପର୍ବ ଆରମ୍ଭ ହୋଇଥିବାରୁ ସେଠାକୁ ଅଧିକ ବିମାନ ଉଡ଼ାଣର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର