ଆୟକର ଫର୍ମ ଦାଖଲ ଅବଧି ପୁଣି ବଢ଼ିଲା

ନୂଆଦିଲ୍ଲୀ : ଇଲେକ୍ଟ୍ରୋନିକ୍‌ ମାଧ୍ୟମରେ ଆୟକର ପଇଠ କରିବାରେ ଟିକସଦାତାମାନେ ସମସ୍ୟା ସାମ୍ନା କରୁଥିବାରୁ ଆୟକରର ବିଭିନ୍ନ ଫର୍ମ ଦାଖଲର ଅବଧିକୁ ପୁଣି ଥରେ ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ସୂଚନା ଦିଆଯାଇଛି। ଫର୍ମ ନଂ-୧୦ଏ ଓ ଫର୍ମ ନଂ-୧୦ଏବି, ଦାଖଲ ଅବଧିକୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫର୍ମ ନଂ-୧, ଫର୍ମ ନଂ-୧୫ସିସି, ଫର୍ମ ନଂ-୧୫ଜି/୧୫ଏଚ୍‌, ଫର୍ମ ୨ ଏସ୍‌ଡବ୍ଲୁଏସ୍, ଫର୍ମ ନଂ-୧୦ବିବିବି, ଫର୍ମ ନଂ-୩ସିଇଏସି, ଫର୍ମ ନଂ-୩ସିଇଏଡି ଓ ଫର୍ମ ନଂ-୩ସିଇଏଇର ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଦାଖଲ କରିବାର ଅବଧିକୁ ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆଉ କେତେକ ଫର୍ମ ଦାଖଲ କରିବା ଅବଧିକୁ ୨୦୨୧ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସିବିଡିଟି ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ବିବାଦ ସେ ବିଶ୍ବାସ ସ୍କିମ୍‌ର ଅବଧିକୁ ମଧ୍ୟ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫର୍ମ ନଂ-୩ ଜାରି କରିବା ଏବଂ ସଂଶୋଧନ କରିବା‌ରେ ସମସ୍ୟା ରହିଥିବାରୁ ଏହି ସ୍କିମ୍‌ର ଅବଧି ବଢ଼ାଇବା ଲାଗି ସିବିଡିଟି ନିଷ୍ପତ୍ତି ନେଇଛି। ଏ ସମ୍ପର୍କିତ ବିଜ୍ଞପ୍ତି ଖୁବ୍‌ଶୀଘ୍ର ଜାରି କରାଯିବ। ତେବେ ଅର୍ଥରାଶି ଦାଖଲ କରିବାର ଶେଷ ତାରିଖ (୨୦୨୧ ଅକ୍ଟୋବର ୩୧)ରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ସମ୍ବନ୍ଧିତ ଖବର