ନିବେଶକ ହରାଇଲେ ୩.୭ ଲକ୍ଷ କୋଟି

ମୁମ୍ବାଇ: ବମ୍ବେ ଷ୍ଟକ ବଜାରର ସୂଚକାଙ୍କ ସେନ୍‌ସେକ୍ସରେ ୫୫୪ ପଏଣ୍ଟ୍‌ ହ୍ରାସ ଘଟିବାରୁ ନିବେଶକମାନେ ଆଜି ୩.୭ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବିଶ୍ବର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରମୁଖ ଷ୍ଟକ ବଜାରରେ ନିବେଶକମାନେ ସେୟାର ବିକ୍ରି କରିବା ଯୋଗୁଁ ସୂଚକାଙ୍କ ହ୍ରାସ ପାଇଥିଲା। ତାହାର ପ୍ରଭାବ ଆଜି ଭାରତୀୟ ଷ୍ଟକ ବଜାର କାରବାରରେ ଦେଖିବାକୁ ମିଳିଥିଲା। ଧାତବ, ରିଅଲ ଇଷ୍ଟେଟ୍ ଓ ଆଇଟି ଭଳି ସବୁ କ୍ଷେତ୍ରର ନିବେଶକମାନେ ସେୟାର ବିକ୍ରି କରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ ଡକାଇଥିବା ଖବର ପ୍ରଚାର ହେବା ପରେ ସ୍ଥିତି ଆହୁରି ଖରାପ ହୋଇଥିଲା। ସେନ୍‌ସେକ୍ସ ଆଜି ୫୫୪ ପଏଣ୍ଟ୍‌ ହ୍ରାସ ପାଇ ୬୦,୭୫୪ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍‌ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୧୯୫ ପଏଣ୍ଟ୍‌ ହ୍ରାସ ପାଇ ୧୮,୧୧୩ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ଆଜି ନିଫ୍ଟିରେ କାରବାର ‌ବେ‌ଳେ ମାରୁତି ସୁଜୁକି, ଟାଟା କଞ୍ଜ୍ୟୁମର, ଅଲ୍‌ଟ୍ରାଟେକ୍ ସିମେଣ୍ଟ୍‌, ଆଇସର ମୋଟର୍ସ, ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍, ଟେକ୍ ମହିନ୍ଦ୍ରା, ଏଚ୍‌ସିଏଲ୍ ଟେକ୍ ଓ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ର ସେୟାର ମୂଲ୍ୟ ହ୍ରାସ ପାଇଛି। ‌ସେହି ସମୟରେ ଆକ୍ସିସ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଡକ୍ଟର ରେଡିସ୍‌ ଲ୍ୟାବ୍‌ସ, ନେସ୍‌ଲେ ଇଣ୍ଡିଆ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ସେୟାର ମୂଲ୍ୟ ବଢ଼ିଛି। ଆନ୍ତର୍ଜାତିକ ସ୍ତରରେ ଆଜି ଲଣ୍ଡନର ଏଫ୍‌ଟିଏସ୍‌ଇ ସୂଚକାଙ୍କ ୦.୭୭%, ପ୍ୟାରିସ ଓ ଫ୍ରାଙ୍କଫର୍ଟର ସୂଚକାଙ୍କ ଯଥାକ୍ରମେ ୧.୧୦ ପ୍ରତିଶତ ଓ ୧.୧୬ ପ୍ରତିଶତ ହ୍ରାସ ପାଇଛି। ଏସିଆରେ ଚୀନ୍‌କୁ ବାଦ ଦେଲେ ଅନ୍ୟ ସବୁ ଦେଶର ଷ୍ଟକ ବଜାର ସୂଚକାଙ୍କ ହ୍ରାସ ସହ ବନ୍ଦ ହୋଇଛି।

ସମ୍ବନ୍ଧିତ ଖବର