ଆଇପିଓକୁ ନେଇ ସେବି କଠୋର: ସହଜରେ ମିଳିବନି ଷ୍ଟକ୍‌ ବଜାର ପାଣ୍ଠି

ଫେରାଇଲା ୬ କଂପାନିର ଆବେଦନ

ନୂଆଦିଲ୍ଲୀ: ସୁଧ ଉଚ୍ଚ ସ୍ତରରେ ଥିବାରୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରୁ ଋଣ ପାଇବା କଷ୍ଟକର ହୋଇପଡ଼ିଥିବା ବେଳେ ଅଧିକାଂଶ କଂପାନି ଷ୍ଟକ ବଜାରରେ ନିଜ ଅଂଶଧନ ବିକ୍ରି କରି ନିବେଶକମାନଙ୍କଠାରୁ ପାଣ୍ଠି ଯୋଗାଡ଼ କରିବା ଉପରେ ମନୋନିବେଶ କରିଛନ୍ତି। ସେଥିପାଇଁ ସେମାନେ ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଜାରି କରୁଛନ୍ତି। ମାତ୍ର ୨୦୨୨ର କେତେକ ତିକ୍ତ ଅନୁଭୂତିକୁ ବିଚାରକୁ ନେବା ପରେ ଷ୍ଟକ ବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆଇପିଓକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। କଂପାନିଗୁଡ଼ିକଠାରୁ ଆସୁଥିବା ଆବେଦନକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିବା ପରେ ସେଗୁଡ଼ିକୁ ମଞ୍ଜୁରି ଦିଆଯାଉଛି। ଯେଉଁ ଆବେଦନଗୁଡ଼ିକ ନିର୍ଦିଷ୍ଟ ମାନଦଣ୍ଡ ପୂରଣ କରିପାରୁନାହିଁ, ସେଗୁଡ଼ିକୁ ସେବି ଫେରାଇ ଦେଉଥିବା ଜଣାପଡ଼ିଛି।

ଗତ ଦୁଇ ମାସରେ ୬ଟି କଂପାନିର ଆଇପିଓ ଆବେଦନକୁ ସେବି ଫେରାଇଛି। ଓୟୋ, ଗୋ ଡିଜିଟ୍‌ ଜେନେରାଲ୍ ଇନ୍‌ସ୍ୟୁରାନ୍ସ, ଲାଭା ଇଣ୍ଟରନ୍ୟାସନାଲ୍, ପେମେଟ୍‌ ଇଣ୍ଡିଆ, ଫିନ୍‌କେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ଓ ବିଭିଜିର ଆଇପିଓ ଆବେଦନକୁ ଫେରାଇବା ସହ ପୁଣି ଥରେ ଆବେଦନ କରିବାକୁ କଂପାନିଗୁଡ଼ିକୁ ସେବି କହିଛି। ଏହି ଛଅ କଂପାନି ଷ୍ଟକ ବଜାରରୁ ୧୨,୫୦୦ କୋଟି ଟଙ୍କା ଉଠାଇବାକୁ ଚାହୁଥିଲେ। ଯେଉଁ ସଂସ୍ଥା ପ୍ରଥମ ଥର ପାଇଁ ଷ୍ଟକ ବଜାରରେ ପ୍ରବେଶ କରେ ତାହାକୁ ଆଇପିଓ ଆଣିବାକୁ ପଡ଼ିଥାଏ। ପରବର୍ତ୍ତୀ ସମୟରେ ସେମାନେ ଫଲୋ ଅନ୍‌ ପବ୍ଲିକ୍ ଅଫର (ଏଫ୍‌ପିଓ) ଆଣନ୍ତି। ୨୦୨୧ରେ ପେଟିଏମ୍‌, ଜୋମାଟୋ ଓ ନାଏକା ଭଳି କିଛି ଚର୍ଚ୍ଚିତ କଂପାନି ଆଇପିଓ ଆଣିଥିଲେ।

ସେମାନେ ତାହାକୁ ଏତେ ପ୍ରଚାର କରିଥିଲେ ଯେ ନିବେଶକମାନେ ସେଥିରେ ଆକର୍ଷିତ ହୋଇ କୋଟି କୋଟି ଟଙ୍କା ନିବେଶ କରିଥିଲେ। ମାତ୍ର କଂପାନିର ସେୟାର ଷ୍ଟକ୍‌ ବଜାରରେ କାରବାର ଆରମ୍ଭ ହେବା ପରେ ତାହାର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇବାରୁ ଉକ୍ତ କଂପାନିଗୁଡ଼ିକରେ ନିବେଶ କରିଥିବା ନିବେଶକମାନେ ବିପୁଳ କ୍ଷତି ସହିଛନ୍ତି। ନିବେଶକମାନଙ୍କ ସ୍ବାର୍ଥକୁ ସୁରକ୍ଷା ଦେବା ଲାଗି ସେବି ଆଇପିଓକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। କେଉଁ କଂପାନି କେତେ ଦୃଢ଼ ଓ ତାହାର ସେୟାର ମୂଲ୍ୟ କେତେ ରହିଲେ ନିବେଶକମାନେ ଅସ୍ଥିରତା ସାମ୍ନା କରିବେ ନାହିଁ ତାହାକୁ ସେବି ନିଶ୍ଚିତ କରିବାକୁ ଚାହୁଛି।

ଆଇପିଓକୁ ମଞ୍ଜୁର କରିବା ଲାଗି ସେବି କଠୋର ବ୍ୟବସ୍ଥା ଗ୍ରହଣ କରିବା ନିବେଶକମାନଙ୍କ ସ୍ବାର୍ଥର ସୁରକ୍ଷା ଦୃଷ୍ଟିରୁ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ୨୦୨୨ରେ ଆଇପିଓ ଜରିଆରେ ୩୮ଟି କଂପାନି ଷ୍ଟକ ବଜାରରୁ ୫୯,୦୦୦ କୋଟି ଟଙ୍କା ହାସଲ କରିଥିଲେ। ୨୦୨୧ରେ ୬୩ଟି କଂପାନି ଆଇପିଓ ଜରିଆରେ ୧.୨ ଲକ୍ଷ କୋଟି ଟଙ୍କା ଜୁଟାଇଥିଲେ। ୨୦୨୩ରେ ମାତ୍ର ଦୁଇଟି କଂପାନିର ଆଇପିଓ ଆସିଛି। ଆସନ୍ତା ସପ୍ତାହରେ ଆଉ ଏକ ଆଇପିଓ ଆସିବ।

ସମ୍ବନ୍ଧିତ ଖବର