ଦରମା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜେଟ୍ ପାଇଲଟ୍

ନୂଆଦିଲ୍ଲୀ: ଚଳିତମାସରୁ ବନ୍ଦ ହୋଇଯାଇଥିବା ଜେଟ୍ ଏୟାରୱେଜ୍‌ର କର୍ମଚାରୀମାନେ ସେମାନଙ୍କ ବେତନ ପାଇନାହାନ୍ତି। ଏଥିପାଇଁ ଘୋର ଆର୍ଥି ସଙ୍କଟ ଦେଇ ଗତି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଜେଟ୍ ଏୟାରୱେଜ୍‌ର ପାଇଲଟ୍ ସଂଘ ନ୍ୟାସନାଲ ଏଭିଏଟର୍ସ ଗିଲ୍ଡ(ଏନଏଜି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛି। ଗତକାଲି ବିଳମ୍ବିତ ରାତିରେ ପାଇଲଟମାନେ ପ୍ରଧାନମନ୍ତ୍ରୀଙ୍କୁ ଏକ ଇମେଲ୍ ପଠାଇଛନ୍ତି। ଏଥିରେ ସେମାନେ କର୍ମଚାରୀମାନଙ୍କୁ ୧ ମାସର ଦରମା ପ୍ରଦାନ ଲାଗି ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ନିର୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ମାନବିକତା ଦୃଷ୍ଟିରୁ ଆପଣ ଷ୍ଟେଟ ବ୍ୟାଙ୍କକୁ ଏହି ନିର୍ଦେଶ ଦିଅନ୍ତୁ ବୋଲି ‌ସେମାନେ କହିଛନ୍ତି। କିଙ୍ଗଫିସର ଏୟାରଲାଇନ୍ସ ବନ୍ଦ ହେବା ପରେ ‌ଦେଶରେ ଯେଉଁଭଳି ଅବସ୍ଥା ସୃଷ୍ଟି ହେଲା ତାହା ହେବାକୁ ଦିଆ ନଯାଉ ବୋଲି ଏନଏଜି ସଭାପତି କରଣ ଚୋପ୍ରା କହିଛନ୍ତି। ୨୦୧୨ ଅକ୍ଟୋବରରେ କିଙ୍ଗଫିସର ଏୟାରଲାଇନ୍ସ ବନ୍ଦ ହେବା ପରେ ଏହାର କର୍ମଚାରୀମାନେ ୮ ମାସର ଦରମା ହରାଇଥିଲେ। ଶୁକ୍ରବାର ଜେଟ୍ ଏୟାରୱେଜ୍‌ର ସିଇଓ ବିନୟ ଦୁବେ କର୍ମଚାରୀମାନଙ୍କୁ ଜଣାଇଥିଲେ ଯେ, ବେତନ ପ୍ରଦାନ ସଂକ୍ରାନ୍ତରେ ଅଂଶୀଦାରମାନେ କୌଣସି ପ୍ରତିଶ୍ରୁତି ଦେଉନାହାନ୍ତି। ଚଳିତମାସ ୧୭ ତାରିଖରେ ଜେଟ୍‌ର ବିମାନ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥିଲା। ବିମାନ ଚଳାଚଳ ଏବଂ କର୍ମଚାରୀମାନଙ୍କୁ ବେତନ ପ୍ରଦାନ ପାଇଁ ୯୮୩ କୋଟି ଟଙ୍କା ଦେବାକୁ କମ୍ପାନି ବ୍ୟାଙ୍କ ଗୁଡ଼ିକୁ କହିଥିଲେ ମଧ୍ୟ ଏହା ମିଳି ନଥିଲା। ଫଳରେ ଜେଟ୍‌ର ସେବା ବନ୍ଦ ହୋଇଯାଇଥିଲା।  ଜେଟ୍‌ ଏହାର ପ୍ରାୟ ୨୦ ହଜାର କର୍ମଚାରୀଙ୍କୁ ମାର୍ଚ ମାସର ବେତନ ଏପର୍ଯ୍ୟନ୍ତ ପ୍ରଦାନ କରିନାହିଁ। ସଂଘ ପକ୍ଷରୁ ଜେଟ୍‌ ଏୟାରୱେଜ୍‌ର ବିମାନ ଗୁଡ଼ିକର ପଞ୍ଜୀକରଣ ରଦ୍ଦକୁ ବନ୍ଦ କରିବା ଲାଗି କୁହାଯାଇଛି।

ସମ୍ବନ୍ଧିତ ଖବର