ଶ୍ରମିକଙ୍କ ଲାଭ ପାଇଁ ଶ୍ରମ କୋଡ୍‌

ନୂଆଦିଲ୍ଲୀ: ଶ୍ରମିକ ବର୍ଗଙ୍କ ଜୀବନକୁ ସହଜ ଓ ସୁବିଧାଜନକ କରିବା ଲାଗି କେନ୍ଦ୍ର ସରକାର ଶ୍ରମ କୋଡ୍‌ ଅଣାଯାଇଛି। ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଏଥିରେ ଅନେକ ବ୍ୟବସ୍ଥା ରହିଛି। ଏଥିରେ ସର୍ବନିମ୍ନ ମଜୁରି ଅଧିକାରକୁ ସାର୍ବଜନୀନ କରାଯିବ। ଅଣ ସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ଠିକ୍ ସମୟରେ ଯେଭଳି ପେମେଣ୍ଟ୍‌ ମିଳିବ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ବର୍ତ୍ତମାନ କେବଳ ୩୦ ପ୍ରତିଶତ ପର୍ଯ୍ୟନ୍ତ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରି ଲାଗୁ ହୋଇପାରିଛି। ନ୍ୟାସନାଲ୍‌ ଫ୍ଲୋର୍‌ ୱେଜ୍ କାର୍ଯ୍ୟକାରୀ କରାଯାଇଛି। ସର୍ବନିମ୍ନ ମଜୁରିକୁ‌ ନେଇ ଦେଶର ବିଭିନ୍ନ ସ୍ଥାନରେ ରହିଥିବା ଅସମାନତାକୁ ଏହା ଦୂର କରିବ। ସର୍ବନିମ୍ନ ମଜୁରି ନିର୍ଧାରଣ କରିବା ବ୍ୟବସ୍ଥାର ସରଳୀକରଣ କରାଯିବ। ଫଳରେ ସର୍ବନିମ୍ନ ମଜୁରିକୁ ନେଇ କମ୍ ହାର ରହିବ ଏବଂ ଏହାକୁ ସବୁ ସ୍ଥାନରେ ସଠିକ୍ ଭାବେ ପାଳନ କରାଯାଇପାରିବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସମସ୍ତ ଶ୍ରମିକଙ୍କୁ ନିଯୁକ୍ତିପତ୍ର ଦେବାକୁ ପଡ଼ିବ। କର୍ମଚାରୀଙ୍କ ପାଇଁ ବାର୍ଷିକ ସ୍ବାସ୍ଥ୍ୟ ଯାଂଚ୍‌ର ବ୍ୟବସ୍ଥା କରାଯିବ। ବିପଜ୍ଜନକ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକ ପାଇଁ ବୃତ୍ତିଗତ ସୁରକ୍ଷା ଓ ସ୍ବାସ୍ଥ୍ୟ (ଓଏସ୍‌ଏଚ୍‌) କୋଡ୍ ଲାଗୁ କରାଯାଇଛି। ୧୦ ଜଣରୁ କମ୍ ଲୋକ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ ଏହି କୋଡ୍ ଲାଗୁ ହେବ।

ଦେଶର ସମସ୍ତ ଜିଲ୍ଲା ପର୍ଯ୍ୟନ୍ତ ଇଏସ୍‌ଆଇସିକୁ ସଂପ୍ରସାରିତ କରାଯାଇଛି। ୧୦ କିମ୍ବା ତା’ଠାରୁ ଅଧିକ କର୍ମଚାରୀ ରଖିଥିବା ସଂସ୍ଥାଗୁଡ଼ିକ ପାଇଁ ଏହା ଲାଗୁ ହେବ। ତେବେ ୧୦ ଜଣରୁ କମ୍ ଲୋକଙ୍କୁ ନେଇ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକ ଚାହିଲେ ସ୍ବଇଚ୍ଛାରେ ଇଏସ୍‌ଆଇସି ସହ ଯୋଡ଼ି ହୋଇପାରିବେ। ବିପଜ୍ଜନକ ଶିଳ୍ପରେ ୧୦ ଜଣରୁ କମ୍ ଲୋକ ନିୟୋଜିତ ହୋଇଥିଲେ ମଧ୍ୟ ଉକ୍ତ ସଂସ୍ଥାକୁ ଇଏସ୍‌ଆଇ‌ସିରେ ଯୋଡ଼ି ହେବା ବାଧ୍ୟତାମୂଳକ କରାଯାଇଛି। ଅଣ ପାରମ୍ପରିକ କାର୍ଯ୍ୟରେ ନିୟୋଜିତ ହୋଇଥିବା ଏବଂ ପ୍ଲାଟଫର୍ମରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ସାମାଜିକ ନିରାପତ୍ତା ସ୍କିମ୍ ବ୍ୟବସ୍ଥା କରାଯାଇଛି। ଯେଉଁ କର୍ମଚାରୀମାନେ ଛଟେଇ ହୋଇଛନ୍ତି ସେମାନଙ୍କ ଦକ୍ଷତାକୁ ବଢ଼ାଇବା ଲାଗି ରି-ସ୍କିଲ୍‌ ଫଣ୍ଡ୍‌ର ବ୍ୟବସ୍ଥା କରାଯାଇଛି। ସମସ୍ତ ବୃତ୍ତିରେ ମହିଳାମାନେ କାର୍ଯ୍ୟ କରିପାରିବେ। ଆବଶ୍ୟକ ସୁରକ୍ଷା ସହିତ ସେମାନଙ୍କୁ ରାତି ସିଫ୍ଟରେ କାର୍ଯ୍ୟ କରିବାର ଅନୁମତି ପ୍ରଦାନ କରାଯାଇଛି। ଅଣ ସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ସାମାଜିକ ନିରାପତ୍ତା ପାଣ୍ଠି ଗଠନ କରାଯାଇଛି। ଏକ ବର୍ଷ କାର୍ଯ୍ୟ ଶେଷ କରିବା ପରେ କର୍ମଚାରୀ ଗ୍ରାଚୁଇଟି ପାଇବାକୁ ଯୋଗ୍ୟ ହେବେ। ପୂର୍ବରୁ ପାଞ୍ଚ ବର୍ଷ କାର୍ଯ୍ୟ ଶେଷ କରୁଥିବା କର୍ମଚାରୀଙ୍କୁ ଏହି ସୁବିଧା ମିଳୁଥିଲା।

ସମ୍ବନ୍ଧିତ ଖବର