ଛିନ୍‌ତାଇ ବେଳେ ଧରାପଡ଼ିଲା ଦୁର୍ବୃତ୍ତ, ଜଣେ ଖସିଗଲା

ଝିଆରୀକୁ ଅସଦାଚରଣ ଅଭିଯୋଗ, ଦାଦା ଗିରଫ

ଖଣ୍ଡଗିରି : ଗୁରୁବାର ସକାଳ ପ୍ରାୟ ୮ଟାବେଳେ ସ୍ଥାନୀୟ କୋଳଥିଆ ରାସ୍ତାରେ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଝାମ୍ପି ନେଇ ଚମ୍ପଟ ମାରିବାକୁ ବସିଥିବା ବେଳେ ଜଣେ ଦୁର୍ବୃତ୍ତ ଧରାପଡ଼ିଛି। ଅଭିଯୁକ୍ତ ହେଲେ ଖୋର୍ଦ୍ଧା ବାଲୁଗାଁ ବଜାରର ଶୁକ ବେହେରା(୨୭)। ପୁଲିସ ତା’ ନିକଟରୁ ଲୁଟ୍‌ ଚେନ୍‌ ଜବତ କରିଛି। ତେବେ ମଉକା ପାଇ ଲୁଟେରା ଶୁକର ସହଯୋଗୀ ଘଟଣାସ୍ଥଳରୁ ବାଇକ୍‌ ସହ ଖସି ପଳାଇଛି। ସତ୍ୟସାଇ ଏନ୍‌କ୍ଲେଭରେ ରହୁଥିବା ଆର୍ଯ୍ୟବ୍ରତ ଦାସଙ୍କ ମା’ ଦମୟନ୍ତୀ ଦାସ ଆଜି ସ୍ଥାନୀୟ ହାଟରୁ ପରିବା କିଣି ଘରକୁ ଫେରୁଥିଲେ। ସେ ଘର ପାଖରେ ପହଞ୍ଚିଥିବା ବେଳେ ଲୁଟେରା ଶୁକ ଓ ତା ସହଯୋଗୀ ଏକ ଆପାଚି ବାଇକ୍‌ରେ ଆସି ତାଙ୍କୁ କିଛି ପଚାରିବା ବାହାନାରେ ଅଟକାଇଥିଲେ। ତେବେ ଦମୟନ୍ତୀ ସେମାନଙ୍କ କଥାରୁ କିଛି ବୁଝିବା ପୂର୍ବରୁ ହଠାତ୍ ବାଇକ୍ ପଛରେ ବସିଥିବା ଶୁକ ତାଙ୍କ ବେକରୁ ୧୨ ଗ୍ରାମ୍‌ର ସୁନା ଚେନ୍‌କୁ ଟାଣି ନେଇଥିଲା। ସେମାନେ ଦ୍ରୁତବେଗରେ ପଳାଉଥିବା ବେଳେ ଦମୟନ୍ତୀ ଚିତ୍କାର କରି ଲୋକଙ୍କୁ ଡାକ ପକାଇଥିଲେ। ଫଳରେ କିଛି ଯୁବକ ସେମାନଙ୍କୁ ପିଛା କରିଥିଲେ। ଏତିକିବେଳେ ବାଇକ୍ ଚଳାଉଥିବା ଲୁଟେରା ଭାରସାମ୍ୟ ହରାଇଥିଲା ଓ ସେମାନଙ୍କ ବାଇକ୍‌ ପଡ଼ି ଯାଇଥିଲା। କିନ୍ତୁ ବାଇକ୍‌ ଚଳାଉଥିବା ଲୁଟେରା ଉଠି ପଡ଼ି ବାଇକ୍‌ ନେଇ ପଳାଇଥିବାବେଳେ ଶୁକ ଲୋକଙ୍କ ହାତରେ ଧରାପଡ଼ିଥିଲା। ଶୁକ ହାତରୁ ୩ ଖଣ୍ଡ ହୋଇ ଛିଡ଼ି ପଡ଼ିଥିବା ଦମୟନ୍ତୀଙ୍କ ଚେନ୍‌ ଉଦ୍ଧାର କରାଯାଇଥିଲା। ଲୋକେ ବହେ ଛେଚିବା ପରେ ଶୁକକୁ ପୁଲିସ ଜିମା ଦେଇଥିଲେ।

ଝିଆରୀକୁ ଅସଦାଚରଣ ଅଭିଯୋଗ, ଦାଦା ଗିରଫ
ଖଣ୍ଡଗିରି : ଝିଆରୀକୁ ଅସଦାଚରଣ କରିଥିବା ଅଭିଯୋଗରେ ଗୁରୁବାର ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତ ଦାଦାକୁ ଗିରଫ କରିଛି। ପୁଲିସ ସୂଚନାନୁସାରେ ଘରବାଡ଼ି ବଣ୍ଟନକୁ କେନ୍ଦ୍ର କରି ଅଭିଯୁକ୍ତ ଓ ତାଙ୍କ ବଡ଼ ଭାଇଙ୍କ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଛି। ବୁଧବାର ସନ୍ଧ୍ୟ‌ାରେ ଏହି ବିବାଦ ଉଗ୍ର ରୂପ ଧାରଣ କରିଥିଲା ଓ ଉଭୟ ପକ୍ଷ ହାତାହାତି ହୋଇଥିଲେ। କିନ୍ତୁ ନାବାଳିକା ଝିଆରୀଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ଦାଦା ତାଙ୍କୁ ଟାଣି ନେଇ ଅସଦାଚରଣ କରିଥିଲେ। ଏଭଳି ଅଭିଯୋଗକୁ ମିଥ୍ୟା ବୋଲି କହି ଅଭିଯୁକ୍ତ ଖଣ୍ଡନ କରିଥିଲେ ବି ନାବାଳିକା ନିଜ ଅଭିଯୋଗ ସତ୍ୟ ବୋଲି ଜିଦ୍‌ ଧରିଥିଲେ। ପୁଲିସ ଉଭୟଙ୍କ ଡାକ୍ତରୀ ପରୀକ୍ଷା କରି ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର