ନୂଆ ରୂପ‌ ନେବ ଉଦାରୀକରଣ, କେମିତି ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ: ଭାରତୀୟମାନେ ଜଗତୀକରଣ ସହିତ ୯୦ ଦଶକରୁ ଭଲଭାବେ ପରିଚିତ ହୋଇସାରିଛନ୍ତି। ବିଶେଷକରି ପି ଭି ନରସିଂହରାଓ ପ୍ରଧାନମନ୍ତ୍ରୀ ଏବଂ ମନମୋହନ ସିଂହ ଅର୍ଥମନ୍ତ୍ରୀ ଥିବା ସମୟରେ ଭାରତର ବଜାରକୁ ବିଶ୍ବ ଅର୍ଥନୀତି ପାଇଁ ‌ଖୋଲି ଦିଆଯାଇଥିଲା। ଏହାଦ୍ବାରା ଦ୍ବିତୀୟ ଜନବହୁଳ ଦେଶ ଭାରତ ବହୁରାଷ୍ଟ୍ରୀୟ କମ୍ପାନି ଗୁଡ଼ିକ ପାଇଁ ଏକ ବଡ଼ ବଜାରରେ ପରିଣତ ହୋଇପାରିଥିଲା। ସାଧାରଣତଃ ପୂର୍ବରୁ ଚାଲିଥିବା ଜଗତୀକରଣରେ ସାମଗ୍ରୀ, ଅର୍ଥ ଏବଂ ଲୋକ ଆଦିଙ୍କ ମୁକ୍ତ ପ୍ରବାହ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ଜଗତୀକରଣ ନୂଆ ରୂପରେ ଆସିବାକୁ ଯାଉଛି। ଏଥିପାଇଁ କାର୍ଯ୍ୟସୂଚୀରେ ଜଳବାୟୁ ପରିବର୍ତ୍ତନକୁ ରୋକିବା, ବହୁରାଷ୍ଟ୍ରୀୟ କମ୍ପାନି ଗୁଡ଼ିକ ପାଇଁ ଟିକସକୁ ଠିକ୍‌ କରିବା, ଆତଙ୍କବାଦର ମୁକାବିଲା କରିବା ଭଳି ପ୍ରସଙ୍ଗ ଦେଶଗୁଡ଼ିକୁ ଏକାଠି ହେବା ପାଇଁ ବାଧ୍ୟ କରିଛି। ଫଳରେ ପୂର୍ବ ଅଧ୍ୟାୟର ଜଗତୀକରଣ ପ୍ରସଙ୍ଗ ଗୁଡ଼ିକର ଗୁରୁତ୍ବ କମିଯାଇଛି। ତେବେ ପୂର୍ବର ଜଗତୀକରଣ ଭାରତ ପାଇଁ ଭଲ ସାବ୍ୟସ୍ତ ହୋଇଥିବାବେଳେ ନୂଆ ରୂପରେ ଆସୁଥିବା ଜଗତୀକରଣ ଭାରତ ପାଇଁ ମିଶ୍ର ଫଳ ଦେବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

ବିଶ୍ବ ସ୍ତରରେ ହୋଇଥିବା ବାଣିଜ୍ୟ କାରବାର ହ୍ରାସ ପାଇବାରେ ଲାଗିଛି। ଗତ ଦଶନ୍ଧି ମଧ୍ୟରେ ୨୦୧୯ରେ ପ୍ରଥମ ଥର ପାଇଁ ଏହା କମିଥିଲା। ୨୦୨୦ରେ ମଧ୍ୟ ଏହା ମହାମାରୀ ପ୍ରଭାବରୁ ସଙ୍କୁଚିତ ହୋଇଛି। ଭାରତ ସମେତ ବିଶ୍ବର ଅନେକ ଦେଶ ସଂରକ୍ଷଣବାଦୀ ଚିନ୍ତାଧାରା ପୋଷଣ କରୁଥିବାରୁ ଏଭଳି ହୋଇଛି। ଆମେରିକା, ୟୁରୋପ ଏବଂ ପଶ୍ଚିମ ଏସିଆର କେତେକ ଦେଶ ବିଦେଶୀଙ୍କ ନିଯୁକ୍ତି କଟକଣାକୁ ବଢ଼ାଇବାରେ ଲାଗିଛନ୍ତି। ପୂର୍ବରୁ ଭାରତୀୟମାନେ ବହୁସଂଖ୍ୟାରେ ବିଦେଶରେ କାମ କରୁଥିଲେ। କିନ୍ତୁ ବିଦେଶରେ ଭିସା ନିୟମ କଡ଼ାକଡ଼ି ଜାରି ରହିଲେ ଆଗାମୀ ଦିନରେ ଏହା ଭାରତକୁ ପ୍ରଭାବିତ କରିପାରେ। କାରଣ ଭାରତୀୟମାନେ ହିଁ ଭାରତକୁ ସର୍ବାଧିକ ଅର୍ଥ ପଠାଇଥାନ୍ତି। ଅନ୍ୟପକ୍ଷରେ କରୋନା ପରେ ଚୀନ ପ୍ରତି ବିଶ୍ବର ନଜର ବଦଳିଯାଇଛି। ଚୀନ ବିଶ୍ବର ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ ହୋଇ ବିଶ୍ବକୁ ବିପୁଳ ସାମଗ୍ରୀ ରପ୍ତାନି କରୁଛି। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ଭାରତ ପାଇଁ ଏହା ସୁଯୋଗ ଆଣିପାରେ। ଅନ୍ୟ ଦେଶ ଏହି ସୁଯୋଗ ନେବା ପୂର୍ବରୁ ଭାରତ ଏହାର ଭରପୂର ଫାଇଦା ନେବା ଆବଶ୍ୟକ। ଏଥିସହିତ ଜଗତୀକରଣ ଦ୍ବାରା ଯେଉଁ ପୁଞ୍ଜି ପ୍ରବାହ ଅନ୍ତର୍ଜାତୀୟ ସ୍ତରରେ ହେବ ତାହାଦ୍ବାରା ଭାରତ ଲାଭବାନ ହେବ। କାରଣ ଭାରତ ଏକ ପୁଞ୍ଜି ସାମଗ୍ରୀ ଆମଦାନିକାରୀ ରାଷ୍ଟ୍ର। ଏହା ମାଧ୍ୟମରେ ଭାରତକୁ ନୂଆ ପ୍ରଯୁକ୍ତି ଆସିପାରିବ। ଆଇଟି କ୍ଷେତ୍ରରେ ଭାରତ ଏବେ ଆଗରେ ରହିଛି। ଯଦି ଏହା ଅବ୍ୟାହତ ରହେ ତା’ହେଲେ ଭାରତୀୟମାନେ ବିଦେଶକୁ ବିଭିନ୍ନ ପ୍ରକାର ସେବା ପ୍ରଦାନ ଜାରି ରଖିପାରିବେ। ଦ୍ବିତୀୟ ପର୍ଯ୍ୟାୟ ଜଗତୀକରଣ କାର୍ଯ୍ୟକାରୀ କରିବା ପାଇଁ ସରକାରଗୁଡ଼ିକର କାର୍ଯ୍ୟସୂଚୀରେ ଜଳବାୟୁ ପରିବର୍ତ୍ତନକୁ ରୋକିବା, ସାମାଜିକ ଗଣମାଧ୍ୟମଗୁଡ଼ିକ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଗୋଟିଏ ନିୟମ ପ୍ରଣୟନ କରିବା ଏବଂ ଆତଙ୍କବାଦର ମୁକାବିଲା ଆଦି ପ୍ରସଙ୍ଗ ରହିଛି। ତେଣୁ ଏସବୁ‌ରେ ଭାରତ ଲାଭ‌ବାନ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର