କରୋନା ମହାମାରୀ ପାଇଁ ଏପର୍ଯ୍ୟନ୍ତ ଟିକା ଆସିନାହିଁ। ତେଣୁ ଏହି ମହାମାରୀକୁ ରୋକିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ୩ଟି ବିଷୟ ଉପରେ ଗୁରୁତ୍ବ ଦିଆଯାଉଛି। ସେଗୁଡ଼ିକ ହେଲା ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ବାରମ୍ବାର ହାତ ସଫା କରିବା। ଏହାଦ୍ବାରା ସଂକ୍ରମଣକୁ ଅନେକ ମାତ୍ରାରେ ରୋକାଯାଇ ପାରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଦେଶରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ତେଣୁ ଲୋକଙ୍କ ପାଇଁ ମାସ୍କ ଏକ ଆବଶ୍ୟକ ସାମଗ୍ରୀରେ ପରିଣତ ହୋଇଯାଇଛି। ପିଲାଠାରୁ ଆରମ୍ଭ କରି ବୃଦ୍ଧି, ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ, ସମସ୍ତେ ମାସ୍କ ପିନ୍ଧୁଛନ୍ତି। ତେଣୁ ଗତ କିଛିମାସ ହେଲା ହଠାତ୍ ମାସ୍କର ଏକ ବଡ଼ ବଜାର ସୃଷ୍ଟି ହୋଇଛି। ଓଡ଼ିଶା ଏଥିରୁ ବାଦ୍ ପଡ଼ିନାହିଁ। ମଲ୍, ସୋ’ରୁମ୍ ଠାରୁ ଆରମ୍ଭ କରି ହାଟ, ବଜାର ଓ ଫୁଟ୍ପାଥ୍ ଆଦି ସ୍ଥାନରେ ମାସ୍କ ବିକ୍ରି ହେଉଛି। ଏପରିକି ପ୍ରଥମେ ଏକ ଆବଶ୍ୟକ ସାମଗ୍ରୀ ଥିବା ମାସ୍କ ଏବେ ଏକ ଫ୍ୟାସନ୍ରେ ପରିଣତ ହୋଇଯାଇଛି। ଔଷଧ ଦୋକାନରେ ୟୁଜ୍ ଆଣ୍ଡ୍ ଥ୍ରୋ ମାସ୍କଠାରୁ ଆରମ୍ଭ କରି ବିଭିନ୍ନ କମ୍ପାନିର ବ୍ରାଣ୍ଡେଡ ମାସ୍କ ମିଳୁଥିବାବେଳେ ମଲ୍, ସୋ’ରୁମ୍ ଗୁଡ଼ିକରେ ନାମୀଦାମୀ କମ୍ପାନିର ବ୍ରାଣ୍ଡେଡ୍ ମାସ୍କ ମିଳୁଛି। ଏଥିରେ କଟନ ମାସ୍କ ଏବଂ ପୁନଃ ବ୍ୟବହାର କରାଯାଇ ପାରୁଥିବା ମାସ୍କ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭଳିକି ଭଳି ଡିଜାଇନ୍
ମାସ୍କ ବଜାର ନୂଆକରି ଆରମ୍ଭ ହୋଇଛି। ତେଣୁ କମ୍ପାନି ଓ ନିର୍ମାତାମାନେ ନୂଆ ନୂଆ ଡିଜାଇନର ମାସ୍କ ପ୍ରସ୍ତୁତ କରୁଛନ୍ତି। ଅନେକ ପରୀକ୍ଷା ନିରୀକ୍ଷା କରୁଛନ୍ତି। ଏଥିଯୋଗୁ ଭଳିକି ଭଳି ଡିଜାଇନ୍ର ମାସ୍କ ବଜାରକୁ ଆସୁଛି। କେବଳ ଡିଜାଇନ ନୁହେଁ, ଲୋକ କିଭଳି ମାସ୍କ ପିନ୍ଧିଲେ ଅଧିକ ଆରାମ ଅନୁଭବ କରିବେ ତାହା ଉପରେ ମଧ୍ୟ ନିର୍ମାତାମାନେ ଗୁରୁତ୍ବ ଦେଉଛନ୍ତି।
ଡ୍ରେସ୍ ସାଙ୍ଗରେ ମାସ୍କ
ମାସ୍କକୁ ଖାଲି ଯେ ସିଙ୍ଗଲ୍ ପ୍ରଡକ୍ଟ ଭାବେ ଦୋକାନୀ ମାନେ ବିକ୍ରି କରୁଛନ୍ତି ତାହା ନୁହେଁ। କପଡ଼ା କମ୍ପାନି ଗୁଡ଼ିକ ଏବେ ଡ୍ରେସ୍ ସହିତ ମ୍ୟାଚିଂ କରି ମାସ୍କ ମଧ୍ୟ ଯୋଗାଇ ଦେଉଛନ୍ତି। ରାଜଧାନୀର ଅନେକ ମଲ୍ ଓ ସୋ’ରୁମରେ ଏଭଳି ପୋଷାକ ସହିତ ମ୍ୟାଚିଂ ମାସ୍କ ବିକ୍ରି କରାଯାଉଛି। କେବଳ ସେତିକି ନୁହେଁ, ବିବାହ ପାଇଁ ସେରୱାନୀ ସହିତ ମ୍ୟାଚ୍ କରି ମଧ୍ୟ ମାସ୍କ ବିକ୍ରି କରାଯାଉଛି। ଫ୍ୟାସନ ପ୍ରିୟ ଗ୍ରାହକମାନେ ଏହାକୁ କିଣିବାକୁ ପସନ୍ଦ କରୁଛନ୍ତି ବୋଲି ଏକ ସୋ’ରୁମ୍ର ସ୍ବତ୍ବାଧିକାରୀ କହିଛନ୍ତି। କେତେକ କମ୍ପାନି ଝିଅମାନଙ୍କ ପୋଷାକ ସାଥିରେ ମାସ୍କ ପ୍ରଦାନ କରୁଛନ୍ତି। ଅନ୍ୟପକ୍ଷରେ ଅଣବ୍ରାଣ୍ଡେଡ୍ ମାସ୍କ ମଧ୍ୟରେ ଏବେ ସମ୍ବଲପୁରୀ, ହ୍ୟାଣ୍ଡଲୁମ୍ କପଡ଼ାରେ ପ୍ରସ୍ତୁତ ମାସ୍କକୁ ଗ୍ରାହକମାନେ ଅଧିକ ପସନ୍ଦ କରୁଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରୁ ମଧ୍ୟ ମାସ୍କ ନିର୍ମାଣ ହୋଇ ରାଜଧାନୀ ବଜାରକୁ ଆସୁଥିବା ଜଣେ ବ୍ୟବସାୟୀ କହିଛନ୍ତି। ଏହାବାଦ୍ କାନରେ ମାସ୍କକୁ ପିନ୍ଧିଲେ କିଛି ସମୟ ପରେ କାନକୁ କଷ୍ଟ ହେଉଛି। ତେଣୁ ବେକ ପଛପଟେ ଷ୍ଟ୍ରାପ୍ ସହ ସଂଯୁକ୍ତ ହେଉଥିବା ମାସ୍କକୁ ଲୋକେ ପିନ୍ଧୁଛନ୍ତି।
ମାସିକ ୧୦୦ କୋଟି ବେପାର
ଓଡ଼ିଶାରେ ମାସିକ ମାସ୍କ ବଜାର ଏବେ ପ୍ରାୟ ୧୦୦ କୋଟି ଟଙ୍କାରୁ ଅଧିକରେ ପହଞ୍ଚିଲାଣି ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେମାନଙ୍କ କହିବାନୁଯାୟୀ କେବଳ ରାଜଧାନୀ ଭୁବନେଶ୍ବରରେ ବ୍ରାଣ୍ଡେଡ୍ ଓ ଅଣ ବ୍ରାଣ୍ଡେଡ୍ ମାସ୍କ ମିଶି ମାସକୁ ୨୦ କୋଟି ଟଙ୍କା ଉପରେ ବ୍ୟବସାୟ ହେଉଛି। ପ୍ରଥମେ ଏହି ସାମଗ୍ରୀର ବିକ୍ରି ବୃଦ୍ଧି ଯେଉଁ ହାରରେ ହେଉଥିଲା ଏବେ ଅବଶ୍ୟ ସେଥିରେ ସ୍ଥିରତା ଆସିଛି। ଆଗାମୀ ଦିନରେ ସ୍କୁଲ, କଲେଜ ଖୋଲିଲେ ବିକ୍ରି ପୁଣି ବୃଦ୍ଧି ପାଇବ ବୋଲି ଅନେକ ବ୍ୟବସାୟୀ ମତ ଦେଇଛନ୍ତି।
ବ୍ରାଣ୍ଡେଡ୍ ମାସ୍କ
ରାଜଧାନୀ ବଜାରରେ ଏବେ ୱାଇଲଡକ୍ରାଫ୍ଟ, ଭିଆଇପି, ଲୁଇ ଫିଲିପ୍ସ, ପିଟର ଇଂଲଣ୍ଡ, ସିଲା ଆଦି ବ୍ରାଣ୍ଡ୍ର ମାସ୍କ ବିକ୍ରି କରାଯାଉଛି। ୱାଇଲ୍ଡକ୍ରାଫ୍ଟ ମାସ୍କ ଦୁଇଟି ରକମରେ ଓ ଭିନ୍ନ ଭିନ୍ନ ରଙ୍ଗରେ ଆସୁଛି। ୩ ପିସ୍ ବିଶିଷ୍ଟ ଗୋଟିଏ କିସମ ମାସ୍କର ମୂଲ୍ୟ ୩୦୦ ଟଙ୍କା ଥିବାବେଳେ ଅନ୍ୟ କିସମ ମାସ୍କର ମୂଲ୍ୟ ୪୦୦ ଟଙ୍କା ରହିଛି।