ରାଜ୍ୟରେ ୬୦ ହଜାର କୋଟି ବିନିଯୋଗ କରିବ ଏମ୍‌ସିଏଲ୍‌

ସମ୍ବଲପୁର: ମହାନଦୀ କୋଲ୍‌ ଫିଲ୍‌ଡସ ଲିମିଟେଡ(ଏମ୍‌ସିଏଲ) ରାଜ୍ୟରେ ୬୦ ହଜାର କୋଟି ଟଙ୍କା ବିନିଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛି। ସେଥିରୁ ୩୧ କୋଟି ଟଙ୍କା ୨୦୨୩-୨୪ ସୁଦ୍ଧା ଖଣି କାର୍ଯ୍ୟ ଓ ସାମାଜିକ ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ କରାଯିବ ବୋଲି ଏମ୍‌ସିଏଲ୍‌ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ ସୂଚନା ପ୍ରଦାନ କରାଯାଇଛି। ଏହା ସହିତ କମ୍ପାନିର ଉତ୍ପାଦନ କ୍ଷମତା ୩୦୦ ମିଲିୟନ୍‌ ଟନ୍‌କୁ ବୃଦ୍ଧି ପାଇଁ ୩ଟି ନୂତନ ଏମ୍‌ଡିଓ(ଖଣି, ଉନ୍ନତି ଓ ପରିଚାଳନା) ପ୍ରକଳ୍ପ ପାଇଁ ପୁଞ୍ଜିନିବେଶ ହେବ। ଏହ ପ୍ରକଳ୍ପ ସବୁ ହେଲା ଇବ୍‌ ଭ୍ୟାଲି ଅନ୍ତର୍ଗତ ସିଆରମାଲ (୫୦ ଏମ୍‌ଟିୱାଇ), ତାଳଚେର କୋଲ୍‌ଫିଲ୍ଡର ଅନ୍ତର୍ଗତ ସୁଭଦ୍ରା(୨୫ ଏମ୍‌ଟିୱାଇ) ଓ ବଳଭଦ୍ର ଉତ୍ତର(୧୦ ଏମ୍‌ଟିୱାଇ)। ଏଥିସହ ନୂତନ ତଥା ଚାଲୁଥିବା ପ୍ରକଳ୍ପର ଉତ୍ପାଦନ କ୍ଷମତା ବୃଦ୍ଧି ଓ ସମ୍ପ୍ରସାରଣ ସହ କମ୍ପାନି ଏଚ୍‌ଇଏମ୍‌ଏମ୍‌ ପ୍ରୋକ୍ୟୋରମେଣ୍ଟ ସହ ସୁନ୍ଦରଗଡ଼ ଜିଲ୍ଲାରେ ୧୬୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ସୁପର କ୍ରିଟିକାଲ ଥର୍ମାଲ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୧୧ ହଜାର ୩୬୩ କୋଟି ଟଙ୍କା ବିନିଯୋଗ କରିବ। କୋଇଲା ପରିବହନକୁ ଅଧିକ ସହଜ କରିବା ପାଇଁ ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟରେ ଏକ ଫ୍ଲାଇଓଭର ସହ ୫୩ କିମି ଲମ୍ବ ଝାରସୁଗୁଡ଼ା-ସରଡେଗା ରେଳ ଲାଇନ୍‌ର ଦୋହରୀକରଣ, ୧୨ଟି ରାପିଡ୍‌ ଲ୍ୟାଣ୍ଡିଂ ସିଷ୍ଟମ୍‌ ନିର୍ମାଣ ପାଇଁ ଯୋଜନା ରହିଛି।

ରାଜ୍ୟ ସରକାରଙ୍କ ସହାୟତାରେ କମାଣ୍ଡିଂ ଅଞ୍ଚଳ ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ରାସ୍ତା, ଫ୍ଲାଏଓଭର, ପାର୍କ ଆଦି ନିର୍ମାଣ କରାଯିବ। ସବୁଜୀକରଣକୁ ପ୍ରୋତ୍ସାହନ ଦେବା ପାଇଁ ଅଧିକରୁ ଅଧିକ ସୋଲାର ପାୱର ପ୍ଲାଣ୍ଟ ପ୍ରତିଷ୍ଠା, ଖନନ ହୋଇସାରିଥିବା ଅଞ୍ଚଳରେ ନୂଆ ତଥା ଉର୍ବର ମାଟି ପକାଇ ତାକୁ କୃଷି ଉପଯୋଗୀ କରାଇବା ପାଇଁ ମଧ୍ୟ ଯୋଜନା ରହିଛି। ଖଣି ଆଖପାଖ ଅଞ୍ଚଳର ଲୋକଙ୍କ ଜୀବନ ଧାରଣର ମାନରେ ସୁଧାର ଆଣିବା ପାଇଁ ଗ୍ରାମ ସମୃଦ୍ଧି ଯୋଜନା ଅନ୍ତର୍ଗତ ସୁନ୍ଦରଗଡ଼ ଜିଲ୍ଲାର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଯାଉଛି। କମ୍ପାନିର ଏହି ସାମାଜିକ ଓ ଖଣି ଭିତ୍ତିକ ପ୍ରକଳ୍ପ ଦ୍ବାରା କେବଳ ଯେ ବେରୋଜଗାର ସମସ୍ୟା ଦୂର ହେବ ନାହିଁ ବରଂ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଦିଗରେ ଏହା ବେଶ୍‌ ସହାୟକ ହେବ ବୋଲି ଏମ୍‌ସିଏଲ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର