ସଂସ୍କାର ସହ ବ୍ୟବସାୟ ବାତାବରଣରେ ସୁଧାର, ମୋଦୀ ୨.୦ ପ୍ରଥମ ବର୍ଷ ସଫଳତା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦ୍ବିତୀୟ ପାଳିର ପ୍ରଥମ ବର୍ଷରେ ଦେଶର ବ୍ୟବସାୟ ବାତାବରଣକୁ ସୁଧାରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛି। ଅନେକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନିଆଯାଇଛି। ଭାରତର ସହଜ ବ୍ୟାବସାୟ ବାତାବରଣ ରୢାଙ୍କ୍‌ ୨୦୧୪ରେ ୧୪୨ ଥିଲା। ୨୦୧୯ ସୁଦ୍ଧା ତାହା ୬୩କୁ ଉନ୍ନୀତ ହୋଇଛି। ଦୀଘଦିନରୁ ରହିଥିବା ଆଇନଗତ ମାମଲାର ସମାଧାନ ଲାଗି ବିବାଦ ସେ ବିଶ୍ବାସ, ସବ୍‌କା ବିଶ୍ବାସ ସ୍କିମ୍ ଲାଗୁ କରାଯାଇଛି। କଂପାନି ନିୟମର ଅନେକ ଅପରାଧିକ ଧାରାକୁ କୋହଳ କରାଯିବା ସହ ଜରିମାନା କମ୍ କରାଯାଇଛି। ୫୦ ଲକ୍ଷ ଟଙ୍କାରୁ କମ୍ ସିଏସ୍‌ଆର୍‌ ଖର୍ଚ୍ଚ କରୁଥିବା ସଂସ୍ଥାଗୁଡ଼ିକ ପାଇଁ ସିଏସ୍‌ଆର୍‌ କମିଟି ଗଠନ କରିବାକୁ ପଡ଼ିବ ନାହିଁ ବୋଲି ସରକାର କହିଛନ୍ତି। କଂପାନିଗୁଡ଼ିକର ଇଏସ୍‌ଆଇ ଯୋଗଦାନ ହାରକୁ ୪.୭୫%ରୁ ୩.୨୫%କୁ ହ୍ରାସ କରାଯାଇଛି। କର୍ମଚାରୀଙ୍କ ଯୋଗଦାନ ହାର ୧.୭୫%ରୁ ୦.୭୫%କୁ ହ୍ରାସ କରାଯାଇଛି।

ଏହା ଦ୍ବାରା ୩.୬ କୋଟି କର୍ମଚାରୀ ଓ ୧୨.୮୫ ଲକ୍ଷ ନିଯୁକ୍ତିଦାତା ଉପକୃତ ହୋଇଛନ୍ତି। ଇନ୍‌ସଲ୍‌ଭେନ୍ସି ପ୍ରକ୍ରିୟାର ସମାଧାନ ଲାଗି ଭାରତ ସରକାର ଯେଉଁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ ବିଶ୍ବବ୍ୟାଙ୍କ ପ୍ରଶଂସା କରିଛି। ଇନ୍‌ସଲ୍‌ଭେନ୍ସି ମାମଲା ସମାଧାନ କରିବାରେ ଭାରତର ରୢାଙ୍କ୍‌ ୧୦୮ରୁ ଲମ୍ଫ ପ୍ରଦାନ କରି ୫୬ରେ ପହଞ୍ଚିଛି। ବ୍ୟବସାୟ ଜଗତକୁ ସାହାଯ୍ୟ କରିବା ଲାଗି ଟିକସ ଓ କର୍ପୋରେଟ୍ ଗଭର୍ଣ୍ଣାସ୍‌ରେ ସଂସ୍କାର କରାଯାଇଛି। ନୂଆ ମାନୁଫାକ୍‌ଚରିଂ କଂପାନି ଲାଗି ୧୫%ର ସର୍ବନିମ୍ନ ଟିକସ ଲାଗୁ କରାଯାଇଥିବା ବେଳେ ୨୦୨୯-୨୦ରେ କଂପାନିଗୁଡ଼ିକ ୨୨% ଟିକସ ଦେଇଛନ୍ତି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ତୈଳ ଓ ଗ୍ୟାସ୍‌ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ତୈଳ ଓ ଗ୍ୟାସ୍‌ କ୍ଷେତ୍ରର ଉନ୍ନତି ଲାଗି ୧୦୦ କୋଟି ଟଙ୍କାର ୧୭୦ଟି ପ୍ରକଳ୍ପର ନିରୀକ୍ଷଣ କରାଯାଇଛି। ୨୦୧୯-୨୦ରେ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଖର୍ଚ୍ଚ ଆକଳନ କରାଯାଇଛି। ପ୍ରାୟ ୫୮,୦୦୦ କୋଟି ଟଙ୍କାର ୪୦ଟି ପ୍ରକଳ୍ପର କାର୍ଯ୍ୟ ଶେଷ କରାଯାଇଛି। ଦେଶରେ ଥିବା ତୈଳ ବି‌ଶୋଧନ ପ୍ରକଳ୍ପର ସ୍ଥାପିତ କ୍ଷମତାର ୧୦୨ ପ୍ରତିଶତ ବ୍ୟବହାର କରାଯାଇଛି। ଦେଶ ଭିତରେ ୩୨.୧୭ ନିୟୁତ ଟନ୍ ଅଶୋଧିତ ତୈଳ ଓ ୩୧.୧୮ ନିୟୁତ ଟନ୍‌ ପ୍ରାକୃତିକ ଗ୍ୟାସ୍‌ ଉତ୍ପାଦନ କରାଯାଇଛି। ତୈଳ ଓ ଗ୍ୟାସ୍‌ କଂପାନିଗୁଡ଼ିକ ପିଏମ୍ କେୟାରସ୍‌ ଫଣ୍ଡ୍‌କୁ ୧୦୩୧.୨୯ କୋଟି ଟଙ୍କାର ସହାୟତା ଦେଇଛନ୍ତି। କୋଭିଡ୍‌-୧୯ ସଙ୍କଟକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ହିତାଧିକାରୀଙ୍କୁ ୩ ମାସ ମାଗଣାରେ ଗ୍ୟାସ୍‌ ଯୋଗାଇବା ଲାଗି ୧୩,୫୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ୮.୧୬ କୋଟି ଏଲ୍‌ପିଜି ସିଲିଣ୍ଡର୍‌ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର