ମୁଖ୍ୟମନ୍ତ୍ରୀଙ୍କୁ କହିଲେ ମୋଦୀ: ବିଜୁଳି ବ୍ୟବହାର, ଗାଡ଼ି ବିକ୍ରି ବଢ଼ୁଛି

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଧୀରେ ଧୀରେ ପ୍ରତ୍ୟାହାର କରାଯାଉଛି। ଅନଲକ୍‌-୧କୁ ଦୁଇ ସପ୍ତାହ ହେଲାଣି। ଏହି ସମୟ ମଧ୍ୟରେ ଅର୍ଥନୀତିରେ ସୁଧାର ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି। ପୂର୍ବରୁ ବିଳୁଳି ବ୍ୟବହାର କମିଥିବାବେଳେ ଏବେ ଦେଶରେ ବିଜୁଳି ବ୍ୟବହାର ବଢ଼ିଲାଣି। ସେହିଭଳି ମେ ମାସରେ ଦେଶର ସାର ଉତ୍ପାଦନ ଗତବର୍ଷ ମେ ମାସ ତୁଳନାରେ ଦୁଇଗୁଣ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ ଖରିଫ ଫସଲ ବୁଣାବୁଣି ପ୍ରାୟ ୧୨ରୁ ୧୩ ପ୍ରତିଶତ ବୃଦ୍ଧି ଘଟିଛି। ଲକ୍‌ଡାଉନ୍ ପୂର୍ବରୁ ଦେଶରେ ଦୁଇ ଚକିଆ ଯାନ ବିକ୍ରି ଯେଉଁ ସ୍ତରରେ ରହିଥିଲା ଏବେ ତାହାର ପାଖାପାଖି ୭୦ ପ୍ରତିଶତ ହେଲାଣି। ସେହିପରି ଲକଡାଉନ୍ ପୂର୍ବରୁ ରିଟେଲ୍‌ ଡିଜିଟାଲ୍‌ ପେମେଣ୍ଟ ଯାହା ଥିଲା ବର୍ତ୍ତମାନ ତାହା ସେହି ସ୍ତରରେ ପହଞ୍ଚିଲାଣି। ତେବେ ଆମକୁ ସ‌ବୁବେଳେ ମନେ ରଖିବାକୁ ହେବ ଯେ, ଆମେ କରୋନା ଭୂତାଣୁକୁ ଯେତିକି ରୋକିବା ଆମ ଅର୍ଥନୀତି ସେତିକି ଉନ୍ମୁକ୍ତ ହେବ। ଆମର କାର୍ଯ୍ୟାଳୟଗୁଡ଼ିକ ଖୋଲିବ, ବଜାରରେ ବିକ୍ରିବଟା ଆରମ୍ଭ ହେବ, ପରିବହନ ସ୍ବାଭାବିକ ହେବ ଏବଂ ନୂଆ ନିଯୁକ୍ତି ସୁଯୋଗ ପାଇଁ ବାଟ ଫିଟିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇର ରଣକୌଶଳ ନିର୍ଦ୍ଧାରଣ ପାଇଁ ପ୍ରଧାନମନ୍ତ୍ରୀ ‌ମୋଦୀ ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀମାନଙ୍କ ସହ ଏହା ଥିବା ମୋଦୀଙ୍କର ଷଷ୍ଠ ପର୍ଯ୍ୟାୟ ଆଲୋଚନା। ପ୍ରଥମ ଥର ପାଇଁ ଦୁଇଦିନ ଧରି ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଥିବାବେଳେ ଆସନ୍ତାକାଲି ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ଆଜି ଆଲୋଚନାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ମହାମାରୀ ବିରୋଧରେ ଦେଶ ଯେଭଳି ଲଢ଼େଇ କରିଲା ତାହା ସହଯୋଗଭିତ୍ତିକ ସଂଘୀୟ ବ୍ୟବସ୍ଥାର ଏକ ବଳିଷ୍ଠ ଉଦାହରଣ। ତେବେ କୌଣସି ଗୋଟିଏ ଅବହେଳା କୋଭିଡ-୧୯ ବିରୋଧୀ ଲଢ଼େଇରେ ଦେଶ ଲାଭ କରିଥିବା ସଫଳତାକୁ ସମ୍ପୂର୍ଣ୍ଣ ମୂଳପୋଛ କରିଦେଇ ପାରେ ବୋଲି ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ଅନଲକ-୧କୁ ଦୁଇ ସପ୍ତାହ ପୂରଣ ହୋଇଥିବାରୁ ଏହାର ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି। ‌ଯେ‌କୌଣସି ସଂକଟର ସମାଧାନ ପାଇଁ ସମୟ ହିଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଠିକ୍ ସମୟରେ ନିଷ୍ପତ୍ତି ନିଆଯିବା କାରଣରୁ ଦେଶରେ କରୋନା ସଂକ୍ରମଣକୁ ବହୁମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରିଛି। ଅନେକ ଦେଶରେ ଯେତେବେଳେ କରୋନା ଭୂତାଣୁ ଏକ ଆଲୋଚନାର ବିଷୟବସ୍ତୁ ହୋଇ ନଥିଲା ସେହି ସମୟରେ ଭାରତ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା। ଗତ କିଛି ସପ୍ତାହ ମଧ୍ୟରେ ବିଦେଶରୁ ଅନେକ ଭାରତୀୟ ଦେଶକୁ ଫେରିଛନ୍ତି। ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ସେମାନଙ୍କୁ ଗାଁକୁ ଆସିଛନ୍ତି। ରେଳ, ସଡ଼କ, ଆକାଶ ଏବଂ ଜଳମାର୍ଗକୁ ଉନ୍ମୁକ୍ତ କରାଯାଇଛି। ଆମ ଦେଶ ଏକ ଜନବହୁଳ ରାଷ୍ଟ୍ର ହୋଇଥିବା ସତ୍ତ୍ବେ ସଂକ୍ରମଣ ଅନ୍ୟ ଦେଶଗୁଡ଼ିକ ଭଳି ସେତେଟା ବିପର୍ଯ୍ୟୟ ସୃଷ୍ଟି କରିପାରିନାହିଁ। ଫଳରେ ବିଦେଶୀ ବିଶେଷଜ୍ଞଙ୍କ ପାଇଁ ଭାରତର ଲକଡାଉନ୍ ଓ ଭାରତୀୟଙ୍କ ଶୃଙ୍ଖଳା ଆଲୋଚନାର ବିଷୟବସ୍ତୁ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର