ବିଦେଶରୁ ଟଙ୍କା ପଠାଇବାରେ, ଭାରତୀୟ ଏକ ନମ୍ବର

ନୂଆଦିଲ୍ଲୀ: ବିଦେଶରେ ରୋଜଗାର କରି ଭାରତକୁ ଟଙ୍କା ପଇସା ପଠାଇବାରେ ଭାରତୀୟମାନେ ସାରା ବିଶ୍ବରେ ଶୀର୍ଷ ସ୍ଥାନରେ ରହିଛନ୍ତି। ବିଶ୍ବର ଅନେକ ଦେଶରେ ଭାରତୀୟମାନେ କାମ କରୁଛନ୍ତି। ସେଠାରେ ଯେଉଁ ରୋଜଗାର କରୁଛନ୍ତି ତାହାକୁ ଭାରତ ପଠାଉଛନ୍ତି। ସେହି ମାମଲାରେ ଭାରତ ଶୀର୍ଷ ସ୍ଥାନରେ ଥିବା ବେଳେ ଚୀନ୍‌ ଦ୍ବିତୀୟ ସ୍ଥାନରେ ରହିଛି। ବିଦେଶରେ କାମ କରୁଥିବା ଭାରତୀୟଙ୍କ ପାଇଁ ଚିନ୍ତାର କାରଣ ହେଉଛି, ସେମା‌ନେ ଘରକୁ ଟଙ୍କା ପଠାଇବା ବେଳେ ବିପୁଳ ପରିମାଣର ଅର୍ଥରାଶି ଟ୍ରାଞ୍ଜାକ୍ସନ ଫି’ ବାବଦରେ ପ୍ରଦାନ କରୁଛନ୍ତି। ୨୦୧୮ରେ ଭାରତୀୟମାନେ ୧୫ ହଜାର କୋଟି ଟଙ୍କାର ଟ୍ରାଞ୍ଜାକ୍ସନ୍ ଫି’ ଗଣିଛନ୍ତି। ମଧ୍ୟ ପ୍ରାଚ୍ୟ ଦେଶଗୁଡ଼ିକରେ କାମ କରୁଥିବା ଭାରତୀୟମାନେ ଭାରତକୁ ଅଧିକ ଟଙ୍କା ପଠାଉଛନ୍ତି। ଭାରତକୁ ଯେଉଁ ଅର୍ଥରାଶି ଆସୁଛି, ସେଥି ମଧ୍ୟରୁ ୮୨% ଅର୍ଥ କେବଳ ୮ଟି ଦେଶରୁ ଆସୁଛି। ୯୬% ଅର୍ଥରାଶି କ୍ୟାସ୍‌-ଟୁ-କ୍ୟାସ୍‌ ଟ୍ରାନ୍ସଫର୍‌ ଜରିଆରେ ପଠାଯାଉଛି। ବିଦେଶରୁ ଭାରତକୁ ଯେଉଁ ଅର୍ଥରାଶି ଆସୁଛି, ସେଥି ମଧ୍ୟରୁ ୫୯% ଅର୍ଥରାଶି କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତାମିଲନାଡୁରେ ପହଞ୍ଚୁଛି। ୨୦୧୮ରେ ବିଦେଶରେ କାମ କରୁଥିବା ଲୋକମାନେ ନିଜ ଦେଶକୁ ମୋଟ ୬୮, ୯୦୦ କୋଟି ଡଲାର ଘରକୁ ପଠାଇଛନ୍ତି। ଭାରତୀୟମାନେ ୭୯୫୦ କୋଟି ଡଲାର ଭାରତକୁ ପଠାଇଥିବା ବେଳେ ଚୀନ୍‌ର ନାଗରିକମାନେ ତାଙ୍କ ଦେଶକୁ ୬୭୪୦ କୋଟି ଡଲାର ପଠାଇଛନ୍ତି। ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଯଥାକ୍ରମେ ଫିଲିପାଇନ୍ସ (୩୪ ବିଲିଅନ୍ ଡଲାର), ମେକ୍ସିକୋ (୩୪ ବିଲିଅନ୍ ଡଲାର) ଓ ଫ୍ରାନ୍ସ (୨୮ ବିଲିଅନ ଡଲାର) ରହିଛନ୍ତି।

ସମ୍ବନ୍ଧିତ ଖବର