ଆମେରିକାଠାରୁ ମ୍ୟୁଚୁଆଲ ଫଣ୍ଡ କ୍ଷେତ୍ରରେ ଭାରତ ପଛୁଆ, ଘର ସଞ୍ଚୟ ରାଶିର ୬% ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ଲାଗିଛି

ଭୁବନେଶ୍ବର: ଲୋକମାନେ ନିଜ ସଞ୍ଚୟ ରାଶିକୁ ବିଭିନ୍ନ ସ୍ଥାନରେ ଜମା ରଖିଛନ୍ତି। ଭାରତରେ ମାତ୍ର ୬ ପ୍ରତିଶତ ମ୍ୟୁଚୁଆଲ ଫଣ୍ଡରେ ଜମା ହେଉଥିବା ବେଳେ ଆମେରିକାରେ ଏହା ଶତ ପ୍ରତିଶତ ରହିଛି। ଆମେରିକାଠାରୁ ଭାରତ ମ୍ୟୁଚୁଆଲ ଫଣ୍ଡ କ୍ଷେତ୍ରରେ ବହୁ ପଛରେ ରହିଛି। ତେଣୁ ମ୍ୟୁଚୁଆଲ ଫଣ୍ଡରେ ଘରୋଇ ସଞ୍ଚୟ ରାଶି ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି କହିଛନ୍ତି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ବା ସେବିର ମୁଖ୍ୟ ମହାପ୍ରବନ୍ଧକ ବିରଞ୍ଚି ନାରାୟଣ ସାହୁ।

ଆଜି ଇଣ୍ଡିଆନ୍ ଚାମ୍ବର ଅଫ କମର୍ସ ପକ୍ଷରୁ ହୋଟେଲ ଏଚ୍‌ଏଚ୍‌ଆଇରେ ୪ର୍ଥ ଆଇସିସି ଖୁଚୁରା ସଞ୍ଚୟ ସୁଯୋଗ କନକ୍ଲେଭ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସାହୁ କହିଲେ, ଆମ ଦେଶରେ ଆର୍ଥିକ ଉଦ୍ଦେଶ୍ୟରେ ଘରେ ରଖାଯାଇଥିବା ସଞ୍ଚୟ ରାଶିର ୧୬ ପ୍ରତିଶତ ବୀମା, ୩୯ ପ୍ରତିଶତ ବ୍ୟାଙ୍କ, ୨୪ ପ୍ରତିଶତ ଇକ୍ବିଟି ଓ ୭ ପ୍ରତିଶତ ପ୍ରୋଭିଡେଣ୍ଟ ଫାଣ୍ଠିରେ ଜମା ରହିଛି। ବଳକା ଟଙ୍କା ଲୋକମାନେ ନଗଦ ରାଶି ଆକାରରେ ପାଖରେ ରଖିଛନ୍ତି। ଦେଶରେ ଜିଡିପିକୁ ମ୍ୟୁଚୁଆଲ ଫଣ୍ଡ ଶିଳ୍ପର ଅବଦାନ ୧୧ ପ୍ରତିଶତ ଥିବା ବେଳେ ଆମେରିକାରେ ଏହା ଯଥେଷ୍ଟ ଅଧିକ ରହିଛି। ଗତ ୩ବର୍ଷ ଭିତରେ ମ୍ୟୁଚୁଆଲ ଫଣ୍ଡର ପରିଚାଳନା ଅଧୀନ ସଂପତ୍ତି ପରିମାଣ ଦୁଇଗୁଣ ବୃଦ୍ଧି ପାଇ ୨୫ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଓଡ଼ିଶା ଭଳି ରାଜ୍ୟର ଅବଦାନ ଯୋଗୁଁ ଏହି ଶିଳ୍ପ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବର୍ଷେ ଭିତରେ ଓଡ଼ିଶା ଅବଦାନ ପରିମାଣ ୦.୫୭ ପ୍ରତିଶତକୁ ବୃଦ୍ଧି ପାଇ ୨୦୧୯ ଜୁଲାଇ ସୁଦ୍ଧା ୦.୮୫ ପ୍ରତିଶତରେ ପହଞ୍ଚିଛି। କେବଳ ଓଡ଼ିଶା ନୁହେଁ, ପୂର୍ବ ଭାରତରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ ପରିମାଣ ବଢ଼ୁଛି। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ବିଆଇ ଜୀବନ ବୀମାର ଆଞ୍ଚଳିକ ନିର୍ଦେଶକ ଅମିତ କୁମାର ଶାହ, ଆଇସିଏଆଇ ଭୁବନେଶ୍ବର ଚାପ୍ଟରର ଅଧ୍ୟକ୍ଷ ଶକ୍ତିଧର ସିଂ, ଆଇସିସିର ସଦସ୍ୟ ସୁଧୀନ ରୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର