ଓଡ଼ିଶା ପାଇଁ ନାବାର୍ଡର ୧,୧୦, ୭୩୫ କୋଟିର ଋଣ ଯୋଜନା

ଭୁବନେଶ୍ବର: ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଓଡ଼ିଶା ପାଇଁ ୧,୧୦,୭୩୫ କୋଟି ଟଙ୍କାର ବାର୍ଷିକ ଋଣ ଯୋଜନା ପ୍ରସ୍ତୁତ କରାଯାଇଛି। ୨୦୨୦-୨୧ର ଯୋଜନା ଠାରୁ ଏହା ୨୨.୫% ବଡ଼। କୃଷି କ୍ଷେତ୍ର ପାଇଁ ଏଥର ୪୬,୪୬୦.୪୦ କୋଟି ଟଙ୍କା, ଏମ୍‌ଏସ୍‌ଏମ୍‌ଇ ଲାଗି ୪୧,୮୬୭.୧୦ କୋଟି ଟଙ୍କା ଓ ଏସ୍‌ଏଚ୍‌ଜି କ୍ଷେତ୍ର ପାଇଁ ୬୨୯୫.୭୭ କୋଟି ଟଙ୍କାର ଋଣ ଯୋଜନା ପ୍ରସ୍ତୁତ ହୋଇଛି। ୨୦୨୧-୨୨ ବାର୍ଷିକ ଋଣ ଯୋଜନାରେ କୃଷି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ରର ଭାଗ ୪୨% ଥିବା ବେଳେ ଏମ୍ଏସ୍‌ଏମ୍ଇ ୩୮%, ରପ୍ତାନି ୪%, ଶିକ୍ଷା ୧ ପ୍ରତିଶତ, ହାଉସିଂ ୫% ଓ ଏସ୍‌ଏଚ୍‌ଜିର ଭାଗ ୬% ରହିଛି। ଫସଲରେ ବିବିଧତା ଆଣିବା, ପଶୁପାଳନ, ମତ୍ସ୍ୟ ଚାଷ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ନିକଟରେ ଅଧିକ ଋଣ ପହଞ୍ଚାଇବା ଲାଗି ନାବାର୍ଡ ପକ୍ଷରୁ ଆହ୍ବାନ ଦିଆଯାଇଛି। ଆଜି ରାଜ୍ୟ କ୍ରେଡିଟ୍‌ ସେମିନାରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଋଣ ଯୋଜନାକୁ ଉନ୍ମୋଚନ କରିଛନ୍ତି। ପଶୁପାଳନ, କୁକୁଡ଼ା ଚାଷ, ମତ୍ସ୍ୟଚାଷ ଆଦି କ୍ଷେତ୍ରକୁ ଅଧିକ ମିଆଦୀ ଋଣ ଦେବା ଲାଗି ସେ ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ବ୍ୟାଙ୍କ ନଥିବା ଅଞ୍ଚଳକୁ ଯିବା ଲାଗି ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି।

ଗ୍ରାମୀଣ ଭିତ୍ତିଭୂମିରେ ୯୮୦୩ କୋଟି ଟଙ୍କାର ପୁଞ୍ଜିନିବେଶ ଆବଶ୍ୟକତା ଥିବା ନାବାର୍ଡ ଚିହ୍ନଟ କରିଛି। ଜଳସେଚନରେ ୫୨୬୬.୪୮ କୋଟି ଟଙ୍କା, ଗ୍ରାମୀଣ ଯୋଗାଯୋଗରେ ୨୦୮୩.୧୧ କୋଟି ଟଙ୍କା, ଗୋଦାମ ଘରରେ ୩୩୪.୨୫ କୋଟି ଟଙ୍କା, କୃଷି ଭିତ୍ତିଭୂମିରେ ୨୬୩.୮୫ କୋଟି ଟଙ୍କା, ପଶୁପାଳନରେ ୭୨.୪୩ କୋଟି ଟଙ୍କା, ମତ୍ସ୍ୟ ଚାଷରେ ୫୭.୪୪ କୋଟି ଟଙ୍କା ଏବଂ ସାମାଜିକ ଭିତ୍ତିଭୂମି ପ୍ରକଳ୍ପରେ ୧୭୨୫.୪୪ କୋଟି ଟଙ୍କାର ପୁଞ୍ଜିନିବେଶର ସମ୍ଭାବନା ରହିଛି ବୋଲି ନାବାର୍ଡ ଆକଳନ କରିଛି। ଏହି ସମସ୍ତ ନିବେଶ ଗ୍ରାମୀଣ କ୍ଷେତ୍ର ପାଇଁ ଚିହ୍ନଟ କରାଯାଇଛି। ନାବାର୍ଡର ସିଜିଏମ୍‌ ସି ଉଦୟଭାସ୍କର ସ୍ବାଗତ ଭାଷଣ ଦେଇ କହିଛନ୍ତି ଯେ ରାଜ୍ୟ ବିଭିନ୍ନ କ୍ଷେତ୍ରର ଆବଶ୍ୟକତାକୁ ଭଲ ଭାବେ ଅନୁଧ୍ୟାନ କରି ବାର୍ଷିକ ଋଣ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାକୁ ହାସଲ କରିବା ଲାଗି ସେ ରାଜ୍ୟ ସରକାର, ବ୍ୟାଙ୍କ ଏବଂ ଅନ୍ୟ ଅଂଶୀଦାରମାନଙ୍କ ସହଯୋଗ ଲୋଡ଼ିଛନ୍ତି। ଏହି ଅବସରରେ କୃଷି ଉତ୍ପାଦନ କମିସନର ରାଜ କୁମାର ଶର୍ମା, ଉନ୍ନୟନ କମିସନର ପି କେ ଜେନା, ଅର୍ଥ ବିଭାଗର ପ୍ରମୁଖ ସଚିବ ଏ କେ ମୀନା, ରିଜର୍ଭ ବ୍ୟାଙ୍କର ସିଜିଏମ୍ ଓ ଏସ୍‌ଏଲ୍‌ବିସିର ମହାପ୍ରବନ୍ଧକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର