ନାଲ୍‌କୋ ଖଣିକୁ ଗୋଲ୍‌ଡେନ୍ ପିକକ୍ ପୁରସ୍କାର

ଭୁ‌ବନେଶ୍ବର: ନବରତ୍ନ ଆଲୁମିନିୟମ କଂପାନି ନାଲ୍‌କୋର କୋରାପୁଟରେ ଥିବା ପଞ୍ଚପଟ୍ଟମାଳି ବକ୍ସାଇଟ୍ ଖଣିକୁ ଗୋଲ୍‌ଡେନ୍ ପିକକ୍ ପରିବେଶ ପରିଚାଳନା ପୁରସ୍କାର ପ୍ରଦାନ କରାଯାଇଛି। ବେଙ୍ଗାଲୁରୁରେ ଆୟୋଜିତ ପରିବେଶ ପରିଚାଳନା ଓ ପାଣିପାଗ ପରିବର୍ତ୍ତନ ସଂପର୍କିତ ୨୧ତମ ବିଶ୍ବ କଂଗ୍ରେସ ଅବସରରେ ନାଲ୍‌କୋକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପରିବେଶର ସୁରକ୍ଷା କ୍ଷେତ୍ରରେ ଏହି ଖଣିରେ ଗ୍ରହଣ କରାଯାଇଥିବା ଉଲ୍ଲେଖନୀୟ ବ୍ୟବସ୍ଥା ପାଇଁ ନାଲ୍‌କୋକୁ ଏହି ପୁରସ୍କାର ଦିଆଯାଇଛି। ୟୁଏଇର ପରିବେଶ ମନ୍ତ୍ରୀ ଡକ୍ଟର ଥାନି ବିନ୍ ଅହମ୍ମଦ ଅଲ୍‌ ଜେୟୋଦିଙ୍କ ଠାରୁ ନାଲ୍‌କୋ ପୁରସ୍କାର ବାବଦ ଟ୍ରଫି ଓ ସାର୍ଟିଫିକେଟ୍ ଗ୍ରହଣ କରିଛି। ଏହି ପୁରସ୍କାର ସଂକ୍ରାନ୍ତରେ କଂପାନିର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି ଯେ, ବକ୍ସାଇଟ ଖଣି ପରିବେଶ ମିତବ୍ୟୟୀ, କାରଣ ଖଣି କାମ ପରେ ଜମିରେ ଜଡ଼ିବୁଟି ଆଦି ରୋପଣ କରି ସବୁଜିମା ଫେରାଇ ଅଣାଯାଏ। ବକ୍ସାଇଟ ଖନନ ପରେ ସେହି ମାଟି ଅଧିକ ଉର୍ବର ହୋଇଥାଏ। ନାଲ୍‌କୋ ସର୍ବଦା ପ୍ରକୃତି, ସମୃଦ୍ଧି ଓ ଭବିଷ୍ୟତ ଉପରେ ଗୁରୁତ୍ବ ଦିଏ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର