ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ରର ନୂଆ ରୋଜଗାର ସ୍କିମ୍

୨୦ରୁ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଆରମ୍ଭ ହେବ
ଦେଶର ୧୧୬ଟି ଜିଲ୍ଲାରେ ଲାଗୁ ହେବ
ତାଲିକାରେ ଓଡ଼ିଶାର ଗଞ୍ଜାମ, ଭଦ୍ରକ, ବାଲେଶ୍ବର ଓ ବଲାଙ୍ଗୀର
୫୦ ହଜାର କୋଟିର ଅଟକଳ

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପ୍ରବାସୀ ଶ୍ରମିକଙ୍କ ଦୁଃଖକଷ୍ଟ ଦୂର କରିବା ସହ ସେମାନଙ୍କୁ ‌ରୋଜଗାର ମାଧ୍ୟମ ଦେବା ଲାଗି କେନ୍ଦ୍ର ସରକାର ଏକ ନୂଆ ସ୍କିମ୍ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଘୋଷଣା କରିଛନ୍ତି। ଏହି ଅଭିଯାନ ପାଇଁ ଦେଶର ୬ଟି ରାଜ୍ୟର ୧୧୬ଟି ଜିଲ୍ଲାକୁ ଚିହ୍ନଟ କରାଯାଇଥିବା ବେଳେ ‌ସେଥିରେ ଓଡ଼ିଶାର ଚାରିଟି ଜିଲ୍ଲା-ଗଞ୍ଜାମ, ଭଦ୍ରକ, ବାଲେଶ୍ବର ଓ ବଲାଙ୍ଗୀର ରହିଛି। ପ୍ରତି ଜିଲ୍ଲାକୁ ୨୫ ହଜାରରୁ ଅଧିକ ପ୍ରବାସୀ ଶ୍ରମିକ ଫେରିଛନ୍ତି। ସେମାନଙ୍କୁ ତୁରନ୍ତ ୧୨୫ ଦିନର କାମ ଯୋଗାଇବା ଲାଗି ଏହି ଅଭିଯାନର ରୂପରେଖ ପ୍ରସ୍ତୁତ କରାଯାଇଛି। ସେମାନଙ୍କ ପାଇଁ ୨୫ ପ୍ରକାର କାର୍ଯ୍ୟ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଉଛି-ଗୋଷ୍ଠୀ ପରିମଳ କମ୍ପ୍ଲେକ୍ସ, ଗ୍ରାମ ପଞ୍ଚାୟତ ଭବନ, ଅର୍ଥ ଆୟୋଗଙ୍କ ପାଣ୍ଠିରେ ହେଉଥିବା କାର୍ଯ୍ୟ, ଜାତୀୟ ରାଜପଥ କାମ, ଜଳ ସଂରକ୍ଷଣ ଓ ଅମଳ, କୂପ ନିର୍ମାଣ, ଚାରାରୋପଣ, ଉଦ୍ୟାନ କୃଷି, ଅଙ୍ଗନବାଡ଼ି କେନ୍ଦ୍ର, ଗ୍ରାମୀଣ ଗୃହ ନିର୍ମାଣ, ଗ୍ରାମ୍ୟ ସଡ଼କ ଓ ସୀମା ସଡ଼କ କାର୍ଯ୍ୟ, ରେଳ କାର୍ଯ୍ୟ, ଶ୍ୟାମା ପ୍ରସାଦ ମୁଖାର୍ଜୀ ରୁର୍‌ବାନ୍ ମିସନ, ପିଏମ୍‌ କୁସୁମ୍‌ରେ କାର୍ଯ୍ୟ, ଭାରତ ନେଟ୍‌ ଅଧୀନରେ ଫାଇବର୍‌ ଅପ୍‌ଟିକ୍ କେବୁଲ ବିଛାଇବା, ଜଳ ଜୀବନ ମିସନ ଅଧୀନରେ କାମ, ପିଏମ୍ ଉର୍ଜ୍ଜ୍ବ‌ା ଗଙ୍ଗା ଅଧୀନରେ କାର୍ଯ୍ୟ, ଜୀବିକା ପାଇଁ କେଭିକେ ଅଧୀନରେ ପ୍ରଶିକ୍ଷଣ, ଜିଲ୍ଲା ଖଣିଜ ପାଣ୍ଠି ଅଧୀନରେ କାମ, ତରଳ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା, କୃଷି ପାଇଁ ପୋଖରି ଖନନ, ଗାଈଗୋରୁ ଗୁହାଳ, ଛେଳି ଗୁହାଳ, କୁକୁଡ଼ା ରହିବା ସ୍ଥାନ ଏବଂ କୃମି ଖାଦ କାର୍ଯ୍ୟ। ଗ୍ରାମାଞ୍ଚଳରେ ରୋଜଗାର ସହିତ ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରାଯିବ। ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଏବଂ ଓଡିଶା ଭଳି ୬ଟି ରାଜ୍ୟରେ ଏହାକୁ ଲାଗୁ କରାଯିବ। ଏଥିପାଇଁ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଏହି ଅଭିଯାନ ସମ୍ପର୍କରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାରମାନଙ୍କ ସହ ମିଶି କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକମାନଙ୍କ କୁଶଳତା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ କୌଣସି ନା କୌଣସି କାର୍ଯ୍ୟରେ କୂଶଳୀ ଥିବା ଜଣାପଡିଛି। ସେମାନଙ୍କୁ ଆସନ୍ତା ଚାରି ମାସ ଲାଗି କାମଧନ୍ଦା ଯୋଗାଇବାର ବ୍ୟବସ୍ଥା କରାଯାଇଛି। ପ୍ରାୟ ୨୫ ପ୍ରକାର କାମ ସେମାନଙ୍କ ପାଇଁ ଚିହ୍ନଟ କରାଯାଇଛି। ଚଳିତ ମାସ ୨୦ରେ ବିହାରର ଖଗରିଆ ଜିଲ୍ଲା ବେଲଡାଉ ବ୍ଲକ୍‌ର ତେଲିହାର ଗ୍ରାମ୍‌ରୁ ଏହି ଅଭିଯାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିବେ। ୧୨ଟି ମନ୍ତ୍ରଣାଳୟ ଏହି ସ୍କିମ୍ ପାଇଁ ସହଯୋଗ ପ୍ରଦାନ କରିବେ।

ସମ୍ବନ୍ଧିତ ଖବର