ନୂଆ ବର୍ଷରେ ନୂଆ କଥା: ଜିଏସ୍‌ଟିରେ ହେବ ବଡ଼ ପରିବର୍ତ୍ତନ

ଏସବୁ ନୂଆ କାର୍‌ ଆସିବ, ବିଏସ୍‌-୬ ଯୁଗ ଆରମ୍ଭ ହେବ

ଏୟାର ଇଣ୍ଡିଆର କ’ଣ ହେବ?
ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି କେନ୍ଦ୍ର ସରକାର ୨୦୧୯ରେ କରିଥିବା ସବୁ ପ୍ରକାର ଉଦ୍ୟମ ବିଫଳ ହୋଇଛି। ଏଥିପାଇଁ ବିଦେଶରେ ରୋଡ୍‌ ସୋ’ ଆୟୋଜନ କରାଯାଇଥିଲେ ମଧ୍ୟ ଏହି କଂପାନିକୁ କିଣିବା ଲାଗି କୌଣସି ଗ୍ରାହକ ଆଗ୍ରହ ଦେଖାଉନାହାନ୍ତି। ୨୦୨୦ରେ ଏୟାର ଇଣ୍ଡିଆ ବିକ୍ରି ହେବ ନା ନାହିଁ ତାହାର ଉତ୍ତର ମିଳିବ। ଏହା ବ୍ୟତୀତ ୨୦୧୯ରେ ବନ୍ଦ ହୋଇଯାଇଥିବା ବିମାନ କଂପାନି ଜେଟ୍‌ ଏୟାରୱେଜ୍‌ର ମଧ୍ୟ ଭାଗ୍ୟ ନିର୍ଧାରଣ ହେବ। ୨୦୧୯ରେ ବିମାନ ଯାତ୍ରୀ ସଂଖ୍ୟାରେ ମଧ୍ୟ ସେଭଳି କୌଣସି ଆଖିଦୃଶିଆ ବୃଦ୍ଧି ଦେଖିବାକୁ ମିଳିନଥିଲା। ୨୦୨୦ରେ ଏହି ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି।

ବିଏସ୍‌-୬ ଯୁଗ ଆରମ୍ଭ ହେବ
୨୦୧୯ରେ ଯଦି କୌଣସି କ୍ଷେତ୍ର ସର୍ବାଧିକ ପ୍ରଭାବିତ ହୋଇଥିଲା ବୋଲି କୁହାଯିବ ତାହା ହେଉଛି ଗାଡ଼ି ବଜାର। କ୍ରମାଗତ ୧୩ ମାସ ପର୍ଯ୍ୟନ୍ତ ଗାଡ଼ି ବିକ୍ରି ହ୍ରାସ ପାଇଥିଲା। ଶହ ଶହ ସୋ’ରୁମ୍ ବନ୍ଦ ହୋଇଯାଇଥିଲା ଓ ହଜାର ହଜାର ଲୋକ ଛଟେଇ ହୋଇଥିଲେ। ୨୦୨୦ରେ ଏକ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଏପ୍ରିଲ୍‌ ୧ରୁ ବିଏସ୍‌-୬ ନିୟମ ଲାଗୁ ହେବ। ଏହା ପରଠାରୁ ଆଉ ଦେଶରେ ବିଏସ୍‌-୪ ଗାଡ଼ି ବିକ୍ରି ହେବ ନାହିଁ। ଏହା ପୂର୍ବ ତିନି ମାସ ଅର୍ଥାତ ଜାନୁଆରିରୁ ମାର୍ଚ୍ଚ ଭିତରେ ଗାଡ଼ି କଂପାନିଗୁଡ଼ିକୁ ନିଜର ପୁରୁଣା ମଡେଲ୍‌ଗୁଡ଼ିକୁ ବିକ୍ରି କରିବାକୁ ହେବ। ଏଥି ସହିତ ଏପ୍ରିଲ୍ ଠାରୁ ଗ୍ରାହକଙ୍କୁ ବିଏସ୍‌-୬ ଗାଡ଼ି ବିକ୍ରି କରିବା ଲାଗି ମଧ୍ୟ ନିଜକୁ ପ୍ରସ୍ତୁତ କରିବାକୁ ହେବ। ଯଦିଓ ପ୍ରଦୂଷଣକୁ ରୋକିବା ଦୃଷ୍ଟିରୁ ବିଏସ୍‌-୬ ନିୟମ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କିନ୍ତୁ ଏହା ଗ୍ରାହକଙ୍କ ବଜେଟ୍‌ ଉପରେ ପ୍ରଭାବ ପକାଇବ। ବିଏସ୍‌-୬ ଗାଡ଼ି କିଣିବା ଲାଗି ଲୋକମାନଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଗାଡ଼ି ବଜାରରେ ଜାଗୁଆର୍‌ ଲ୍ୟାଣ୍ଡ୍‌ରୋଭର୍ ପକ୍ଷରୁ ଲ୍ୟାଣ୍ଡ୍‌ରୋଭର୍‌ ଡିଫେଣ୍ଡର୍‌ ଏସ୍‌ୟୁଭିକୁ ଉନ୍ମୋଚନ କରାଯିବ। ଅଡି ଏହାର ନୂଆ ଇଲେକ୍ଟ୍ରିକ୍ ଗାଡ଼ି ଇ-ଟ୍ରନ୍‌କୁ ବଜାରକୁ ଆଣିବ। ନିସାନ୍ ଲିଫ୍ ଇଭି ବଜାରକୁ ଆସିବ। ସେଲ୍‌ଟୋସ୍‌ ଏସ୍‌ୟୁଭିର ସଫଳତା ପରେ କିଆ ମୋଟରସ୍‌ ଏହାର ଦ୍ବିତୀୟ ମଡେଲ୍‌ ଭାବେ କିଆ କାର୍ନିଭାଲ୍‌ ନାମକ ଏକ ମିନି ଭ୍ୟାନ୍‌ ବଜାରକୁ ଆଣିବ।

ମହଙ୍ଗା ରହିବ ମୋବାଇଲ୍‌ ସେବା
୨୦୧୯ର ଶେଷ ଆଡ଼କୁ ଟେଲିକମ୍ କଂପାନିଗୁଡ଼ିକ ଟାରିଫ୍‌ ମୂଲ୍ୟରେ ୪୦% ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଥିଲେ। ଏହାର ପ୍ରଭାବରେ ତିନି ମାସିଆ ୪ଜି ପ୍ଲାନ୍‌ର ଦାମ୍ ପାଖାପାଖି ୨୦୦ ଟଙ୍କା ବଢ଼ିଯାଇଥିଲା। ୨୦୨୦ରେ ଏହି ସ୍ଥିତି‌ରେ କୌଣସି ସୁଧାର ହେବାର ସମ୍ଭାବନା ନାହିଁ। ଯେହେତୁ ଟେଲିକମ୍ କ୍ଷେତ୍ରର ନିୟାମକ ସଂସ୍ଥା ଟ୍ରାଇ ପକ୍ଷରୁ ଇଣ୍ଟରକନେକ୍ଟ ୟୁସେଜ୍ ଚାର୍ଜ (ଆଇୟୁସି)କୁ ଶୂନ କରିବାର ସମୟ ସୀମାକୁ ୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି, ତେଣୁ ଅନ୍ୟ ‌ନମ୍ବରକୁ ଆଉଟ୍‌ଗୋଇଙ୍ଗ୍‌ କଲ୍ କରିବା ବେଳେ ପଡ଼ୁଥିବା ୬ ପଇସାର ଶୁଳ୍କ କମିବ ନାହିଁ। ୨୦୨୦ରେ ୫ଜି ସ୍ପେକ୍ଟ୍ରମ୍ ନିଲାମ ହେବାର ସମ୍ଭାବନା ରହିଛି। ଏହା ଟେଲିକମ୍ ସେବା କ୍ଷେତ‌୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିବ। କିନ୍ତୁ ବର୍ଷକ ଭିତରେ ଏହି ସେବା ଗ୍ରାହକଙ୍କ ପାଖରେ ପହଞ୍ଚିବାର ବହୁତ କମ୍ ସମ୍ଭାବନା ରହିଛି।

ଚାଷରୁ ଅଧିକ ଲାଭ ମିଳିବ
୨୦୧୯ରେ ରବି ଫସଲରୁ ମିଳୁଥିବା ଲାଭରେ ୧୯% ବୃଦ୍ଧି ଘଟିଥିଲା। ବିଭିନ୍ନ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‌ପି) ମଧ୍ୟ ବଢ଼ିଥିଲା। କିନ୍ତୁ ପିଆଜ ଓ ଆଳୁ ଭଳି ଫସଲ ଅଦିନିଆ ବର୍ଷା ଯୋଗୁଁ ନଷ୍ଟ ହୋଇଯିବାରୁ ବର୍ଷ ଶେଷ ଆଡ଼କୁ ଏଗୁଡ଼ିକର ଦର ଆକାଶଛୁଆଁ ହୋଇଯାଇଥିଲା। ୨୦୨୦ରେ ରବି ଫସଲରୁ ବହୁତ ଭଲ ଲାଭ ମିଳିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ରବି ଫସଲ ଅମଳ ଭଲ ରହିବ। ଆସନ୍ତା ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ରହିଲେ ଖରିଫ ଫସଲ ଅମଳ ମଧ୍ୟ ଭଲ ‌ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଏସବୁ ନୂଆ କାର୍‌ ଆସିବ
ହୁଣ୍ଡାଇ ଏହାର ନୂଆ ସେଦାନ୍‌ ହୁଣ୍ଡାଇ ଅରାକୁ ବଜାରରେ ଉପସ୍ଥାପନ କରିବ। ଟାଟା ମୋଟର୍ସ ଏହାର ଇଲେକ୍ଟ୍ରିକ୍ ଏସ୍‌ୟୁଭି ଯାନ ଟାଟା ନେକ୍ସନ୍ ଇଭିକୁ ବିକ୍ରି କରିବାକୁ ସଜବାଜ ହେଉଛି। ଟାଟା ଏହାର ନୂଆ ହାଚ୍‌ବ୍ୟାକ୍ ଆଲ୍‌ଟ୍ରୋଜ୍‌କୁ ମଧ୍ୟ ଆଣିବାକୁ ପ୍ରସ୍ତୁତ ହେଉଛି। ଟାଟାର ସାତ ସିଟ୍ ବିଶିଷ୍ଟ ଏସ୍‌ୟୁଭି ଗ୍ରାଭିଟାସ୍‌ ମଧ୍ୟ ବଜାରକୁ ଆସିବ। ସ୍କୋଡା ଆଣିବ ସ୍କୋଡା କାରୋକ୍ ଏସ୍‌ୟୁଭି ଓ ଅକ୍ଟାଭିଆ ଆର୍‌ଏସ୍‌ ୨୪୫।

ସମ୍ବନ୍ଧିତ ଖବର