ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟଙ୍କ ଉପରେ ବର୍ଷିଲେ ନିର୍ମଳା: ଅଡିଓ କ୍ଲିପ୍ ଭାଇରାଲ୍, ଅଫିସର ମହାସଂଘର ନିନ୍ଦା

ଅର୍ଥମନ୍ତ୍ରୀଙ୍କୁ ଆସାମ ମନ୍ତ୍ରୀଙ୍କ ସମର୍ଥନ

ନୂଆଦିଲ୍ଲୀ: ଆସାମର ଗୌହାଟି ସହରରେ ଆୟୋଜନ କରାଯାଇଥିବା ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି(ଏସ୍‌ଏଲ୍‌ବିସି) ବୈଠକରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାରଙ୍କ ପ୍ରତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରୁକ୍ଷ ବ୍ୟବହାର କରିଥିବା ନେଇ ଚର୍ଚ୍ଚା ହେଉଛି। ଚା’ ବଗିଚା ଶ୍ରମିକଙ୍କ ସମସ୍ୟାକୁ ନେଇ କୁମାରଙ୍କୁ ନିର୍ମଳା ତାଗିଦ କରୁଥିବା ସମୟର ଏକ ଅଡିଓ କ୍ଲିପ୍‌ ଲିକ୍ ହୋଇ ଭାଇରାଲ୍ ହୋଇଯାଇଛି। ବୈଠକରେ ନିର୍ମଳା ଷ୍ଟେଟ୍‌ ବ୍ୟାଙ୍କ ଅଧ୍ୟକ୍ଷଙ୍କୁ କହିଥିଲେ, ତୁମେ ସର୍ବବୃହତ ବ୍ୟାଙ୍କ ବୋଲି ମୋତେ କୁହ ନାହିଁ। ତୁମେ ହେଉଛ ଏକ ହୃଦୟହୀନ ବ୍ୟାଙ୍କ। ଆପଣଙ୍କ ପାଖରେ ସମାଧାନ ପାଇଁ କିଛି ଯୋଜନା ଅଛି କି? କେତେ ସମୟ ଲାଗିବ? ଏହି ପ୍ରଶ୍ନର ଉତ୍ତରରେ ରଜନୀଶ୍‌ କହିଥିଲେ ‘କମ୍ ସମୟ ଭିତରେ କାମ ହୋଇଯିବ’। ଏହା ଶୁଣି ନିର୍ମଳା ପଚାରିଥିଲେ କମ୍ ସମୟ ମାନେ କେତେ? ରଜନୀଶ ଉତ୍ତର ଦେଇଥିଲେ ସପ୍ତାହକ ଭିତରେ କାମ ହୋଇଯିବ। ଏହା ଶୁଣିବା ‌ପରେ ନିର୍ମଳା ଭୀଷଣ ବିରକ୍ତ ହେବା ସହ କହିଥିଲେ ‘ମୋତେ ସମୟ ଦିଅନାହିଁ। ଷ୍ଟେଟ୍‌ ବ୍ୟାଙ୍କ ଅଧ୍ୟକ୍ଷ ମହାଶୟ, ଆପଣଙ୍କୁ ମୁଁ ଦିଲ୍ଲୀରେ ଭେଟିବି। ଏହା ହେଉଛି କାର୍ଯ୍ୟରେ ହୋଇଥିବା ଅବହେଳା। ଏଥିପାଇଁ ମୁଁ ଆପଣଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିପାରିବି। ମୁଁ ଆପଣଙ୍କ ସହ ଏ ବିଷୟରେ ବିସ୍ତୃତ ଭାବେ କଥା ହେବି। ଆପଣ ଜଣେ ବରିଷ୍ଠ ଅଧିକାରୀ ହୋଇପାରନ୍ତି। କିନ୍ତୁ ଦୁଃଖର ସହ କହୁଛି ଯେ ଆପଣ ମୋର, ଭାରତ ସରକାରଙ୍କର ଓ ଆସାମ ସରକାରଙ୍କ ମୁଣ୍ଡ ତଳକୁ କରିଦେଇଛନ୍ତି ବୋଲି ନିର୍ମଳା କହିଥିଲେ। ‌ ଏହି ଅଡିଓ କ୍ଲିପ୍ ଉପରେ ସର୍ବଭାରତୀୟ ବ୍ୟାଙ୍କ ଅଫିସର୍ସ ମହାସଂଘ ତୀବ୍ର ପ୍ରତିକ୍ରିୟା ରଖି ଘଟଣାକୁ ଦୃଢ଼ ନିନ୍ଦା କରିଥିଲା। କିନ୍ତୁ, ଆସାମର ମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ସମର୍ଥନ କରିଛନ୍ତି।

ସମ୍ବନ୍ଧିତ ଖବର