ଚାରି ଥାକିଆ ହେବ ଆୟକର: କ’ଣ ଅଛି, କ’ଣ ହେବ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଜରିଆରେ ପରୋକ୍ଷ ଟିକସ ‌କ୍ଷେତ୍ରରେ ସଂସ୍କାର ଅଣାଯିବା ପରେ ଏବେ ପ୍ରତ୍ୟକ୍ଷ ଟିକସରେ ସଂସ୍କାର ଆଣିବା କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଏବେ ପ୍ରଚଳନରେ ଥିବା ଆୟକର ସ୍ଥାନରେ ପ୍ରତ୍ୟକ୍ଷ କର କୋଡ୍‌ (ଡିଟିସି) ଲାଗୁ କରାଯିବ। ଡିଟିସିକୁ ନେଇ ଗଠନ କରାଯାଇଥିବା କମିଟି ଏହାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛି। ଆୟକର ସ୍ଲାବ୍‌କୁ ଚାରି ଥାକିଆ କରିବାକୁ କମିଟି ସୁପାରିସ୍ କରିଛି।

କମିଟି ସୁପାରିସ କରିଛି, ଯେଉଁମାନଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କା ମଧ୍ୟରେ ସେମାନଙ୍କ ପାଇଁ ଟିକସକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଉ। ପାଞ୍ଚରୁ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୦%, ୧୦ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୨୦% ଏବଂ ୨୦ ଲକ୍ଷରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୩୦% ଟିକସ ଲଗାଇବାକୁ କମିଟି ପ୍ରସ୍ତାବ ଦେଇଛି। ଯେଉଁମାନଙ୍କ ବାର୍ଷିକ ଆୟ ୨ କୋଟି ଟଙ୍କାରୁ ଅଧିକ ସେମାନଙ୍କ ଉପରେ ୩୫%ର ନୂତନ ଟିକସ ଲାଗୁ କରିବାକୁ କମିଟି କହିଛି।

ବର୍ତ୍ତମାନ ପ୍ରଚଳନରେ ଥିବା ଆୟକର ନିୟମ ଅନୁଯାୟୀ, ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟିକସମୁକ୍ତ ରହିଛି। ଅଢ଼େଇରୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫%, ୫-୧୦ ଲକ୍ଷ ଟଙ୍କାର ଆୟ ଉପରେ ୨୦% ଓ ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦% ଟିକସ ଦେବାକୁ ପଡ଼ୁଛି। ଡିଟିସିର ସୁପାରିସ ଲାଗୁ ହେଲେ ମଧ୍ୟବିତ୍ତ ବର୍ଗ ବିଶେଷ ଭା‌ବେ ଲାଭବାନ ହେବେ। ସେମାନଙ୍କ ପାଖରେ ଖର୍ଚ କରିବା ଲାଗି ଅଧିକ ଟଙ୍କା ବଞ୍ଚିବ। ବିଶେଷ କରି ୫-୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକମାନଙ୍କୁ ଟିକସ ସ୍ଲାବ୍ ପରିବର୍ତ୍ତନର ଅଧିକ ଲାଭ ମିଳିବ। ପାଖରେ ଅଧିକ ଟଙ୍କା ରହିଲେ ସେମାନେ ତାହାକୁ ବିଭିନ୍ନ ବାଟରେ ଖର୍ଚ କରିବେ ଯାହା ଅର୍ଥନୀତିର ଗତିକୁ ତ୍ବରାନ୍ବିତ କରିବାରେ ସହାୟକ ହେବ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ସଦସ୍ୟ ଅଖିଳେଶ ରଞ୍ଜନଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟକ୍ଷ କର କୋଡ୍‌କୁ ନେଇ ଏକ ଟାସ୍କଫୋର୍ସ ଗଠନ କରାଯାଇଥିଲା। ଏହା ନିଜର ରିପୋର୍ଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଗତ ଅଗଷ୍ଟ ୧୯ରେ ପ୍ରଦାନ କରିଥିଲା। ଟାସ୍କ‌ଫୋର୍ସ ପାଇଁ ରିପୋର୍ଟ ଦାଖଲର ସମୟସୀମା ଅନେକ ଥର ପରିବର୍ତ୍ତନ କରାଯାଇଥିଲା। ଟାସ୍କଫୋର୍ସରେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଟମୂର୍ତ୍ତି ସୁବ୍ରମଣିଅନ ନୂଆ ସଦସ୍ୟ ଭାବେ ସାମିଲ ହେବା ପରେ ଏହାର କାର୍ଯ୍ୟକଳା ବଢ଼ିଥିଲା। ପ୍ରତ୍ୟକ୍ଷ ଟିକସ କୋଡ୍‌ ପ୍ରସ୍ତୁତ କରାଯିବାର ମୁଖ୍ୟ ଲକ୍ଷ୍ୟ ହେଉଛି ବର୍ତ୍ତମାନର ଜଟିଳ ଆୟକର ବ୍ୟବସ୍ଥାର ସରଳୀକରଣ କରିବା ଓ ଏବେ ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରକାର ଟିକସ ଛାଡ଼କୁ ଉଚ୍ଛେଦ କରିବା।

ସମ୍ବନ୍ଧିତ ଖବର