ସୁଧ କମାଇବା ପାଇଁ ଓଡ଼ିଶାର ଦାବି, ଶକ୍ତି ମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ବର: ଶକ୍ତି କ୍ଷେତ୍ରର କଂପାନିଗୁଡ଼ିକୁ ରୁରାଲ୍‌ ଇଲେକ୍‌ଟ୍ରିଫିକେସନ କର୍ପୋରେସନ (ଆର୍‌ଇସି) ଓ ପାୱାର ଫାଇନାନ୍ସ କର୍ପୋରେସନ (ପିଏଫ୍‌ସି) ଦେଉଥିବା ଋଣ ଉପରେ ସୁଧ ହ୍ରାସ କରିବାକୁ ଓଡ଼ିଶା ସରକାର ଦାବି କରିଛନ୍ତି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍‌ କେ ସିଂହ ରାଜ୍ୟଗୁଡ଼ିକର ଶକ୍ତିମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ବେଳେ ଓଡ଼ିଶା ପକ୍ଷରୁ ଏହି ଦାବି ଉପସ୍ଥାପନ କରାଯାଇଛି। ଏଥିରେ ଭାଗ ନେଇ ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି, ଋଣ ଉପରେ ସୁଧ ୯.୫%ରୁ ହ୍ରାସ କରି ୬% କରାଯିବା ଦରକାର। ୨୦୨୦-୨୧ରେ ବିଦ୍ୟୁତ ଚାହିଦା କମ୍ ରହିବାର ଆଶଙ୍କା ଥିବାରୁ ଯେଉଁ ଅଭାବ ଦେଖାଦେବ ତାହା ପୂରଣ କରିବା ଲାଗି ମଧ୍ୟ ଏହି ସୁବିଧା ଯୋଗାଇ ଦେବାକୁ ସେ କେନ୍ଦ୍ରକୁ କହିଛନ୍ତି।

ସେ କହିଛନ୍ତି, ଶିଳ୍ପ ସଂସ୍ଥାଗୁଡ଼ିକର ବିଦ୍ୟୁତ ବ୍ୟବହାର ଓ ଚାହିଦା ଧାର୍ଯ୍ୟ ଲକ୍ଷ୍ୟଠାରୁ ୨୫% କମ୍ ରହିଛି। ତେଣୁ ଡିସ୍‌କମ୍‌ଗୁଡ଼ିକ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଏନ୍‌ଟିପିସିକୁ ଚାହିଦା ବିଷୟରେ ସୂଚିତ କରିପାରୁନାହାନ୍ତି। ୨୦୨୦-୨୧ ବର୍ଷ ପାଇଁ ଅଣସୂଚିତ ବିଦ୍ୟୁତ ଉପରେ ଯେଉଁ ନିର୍ଦିଷ୍ଟ ଶୁଳ୍କଗୁଡ଼ିକ ରହିଛି ତାହା ଉପରେ ରିହାତି ଦେବାକୁ ସେ ଅନୁରୋଧ କରିଛନ୍ତି। ବିଦ୍ୟୁତ ନିୟମ ୨୦୦୩ରେ ସଂଶୋଧନ ‌ବେଳେ ସଂଘୀୟ ଢାଞ୍ଚାର ପ୍ରଶାସନକୁ ନିଶ୍ଚିତ କରିବା ଓ ଏହାକୁ ମିଳିତ କ୍ଷମତା ଅଧୀନରେ ରଖିବାକୁ ସେ ଦାବି କରିଛନ୍ତି। ରିନୁଏବଲ୍ ପାୱାର ଅବ୍ଲିଗେସନ (ଆର୍‌ପିଓ)ରେ ସବୁ ପ୍ରକାର ଜଳ ବିଦ୍ୟୁତ ପ୍ରକଳ୍ପକୁ ସାମିଲ କରିବାକୁ ସେ କହିଛନ୍ତି। କୋଣାର୍କ ମନ୍ଦିରରେ ସୌର ଶକ୍ତି ବ୍ୟବସ୍ଥାକୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୫୦:୫୦ ଅନୁପାତରେ କରିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ସେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଜଳ ବିଦ୍ୟୁତ ପ୍ରକଳ୍ପ ଲାଗି ପରିବେଶ ମଞ୍ଜୁରି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ମଧ୍ୟ ଶ୍ରୀ ମିଶ୍ର ପ୍ରସ୍ତାବ ଦେଇଛନ୍ତି। ଏବିଷୟରେ ପରିବେଶ ମନ୍ତ୍ରୀ ପ୍ର‌କାଶ ଜାଭଡ଼େକରଙ୍କ ସହ ଆଲୋଚନା କରିବେ ବୋଲି ଶକ୍ତି ମନ୍ତ୍ରୀ ଶ୍ରୀ ସିଂହ ପ୍ରତିଶ୍ରୁତି ଦେଇଛନ୍ତି। ଏହି ବୈଠକରେ ଶ୍ରୀ ସିଂହ କହିଛନ୍ତି ଯେ, ଚୀନ୍‌ରୁ ଭାରତ କୌଣସି ପ୍ରକାର ବିଦ୍ୟୁତ ଉପକରଣ ଆମଦାନି କରିବ ନାହିଁ। ସେ ଟ୍ରୋଜାନ୍ ହର୍ସ ବିଷୟରେ ଆଲୋଚନା କରି କହିଛନ୍ତି ଯେ ଏହି ଉପକରଣଗୁଡ଼ିକୁ ବ୍ୟବହାର କରି ଭାରତର ଗ୍ରିଡ୍‌କୁ ଚୀନ୍ ବନ୍ଦ କରିଦେଇପାରିବ। ତେଣୁ ‌ଚୀନ୍‌ ସାମଗ୍ରୀ ଆମଦାନି ଲାଗି ଅନୁମତି ଦିଆଯିବ ନାହିଁ। ବିଦ୍ୟୁତ ଉପକରଣ ଜରିଆରେ ସାଇବର୍‌ ଆକ୍ରମଣ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର