ଏସ୍‌ଡିଜି ସୂଚୀରେ ଓଡ଼ିଶାର ସ୍ଥାନ ୨୧, ଶୀର୍ଷରେ କେରଳ

ନୁଆଦିଲ୍ଲୀ: ନିତି ଆୟୋଗ ଜାରି କରିଥିବା ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି ବା ସସଟେନେବଲ ଡେଭଲପମେଣ୍ଟ ଗୋଲ୍) ସୂଚୀରେ ୬୧ ସ୍କୋର ସହ ଓଡ଼ିଶା ୨୧ତମ ସ୍ଥାନରେ ରହିଛି। ଗତ ୨୦୧୯ରେ ଓଡ଼ିଶାର ରୢାଙ୍କ ୧୬ ଥିବା ବେଳେ ଏଥର ରୢାଙ୍କରେ ପାଞ୍ଚ ପାହାଚର ତଳକୁ ଖସି ଆସିଛି। ସାମାଜିକ, ଅର୍ଥନୈତିକ ଏବଂ ପରିବେଶ ମାପଦଣ୍ଡ ବିଚାରକୁ ନେଇ ନିତି ଆୟୋଗ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସ୍କୋର ପ୍ରଦାନ କରାଯାଇଛି। ୨୦୨୦-୨୧ ସୂଚୀ ପାଇଁ ୧୬ଟି ଲକ୍ଷ୍ୟ ନିର୍ଧାରଣ କରାଯାଇଥିଲା। ସେଥିରେ ରାଜ୍ୟଗୁଡ଼ିକ କରିଥିବା ପ୍ରଦର୍ଶନ ଅନୁସାରେ ସ୍କୋର ଦିଆଯାଇଛି। ଓଡ଼ିଶା ଏଥର ପରଫରମର ବର୍ଗରେ ରହିଛି। ୨୦୧୯ରେ ଓଡିଶା ୫୮ ସ୍କୋରିଂ ସହ ପରଫରମର କ୍ୟାଟୋଗରିରେ ରହିଥିଲାା ପାଣି ତଳ ଜୀବନ ବର୍ଗରେ ଓଡ଼ିଶା ଶୀର୍ଷ ସ୍ଥାନରେ ରହିଛି। ଉତ୍ତମ ସ୍ବାସ୍ଥ୍ୟ ଓ କଲ୍ୟାଣ, ସ୍ବଚ୍ଛ ଜଳ ଓ ପରିମଳ, ସୁଲଭ ଓ ସ୍ବଚ୍ଛ ଶକ୍ତି, ନିରନ୍ତର ସହର ଓ ଗୋଷ୍ଠୀ ଓ ଶୂନ କ୍ଷୁଧା ଭଳି ବର୍ଗରେ ରାଜ୍ୟର ପ୍ରଦର୍ଶନ ଭଲ ରହିଥିବା ରିପୋର୍ଟରୁ ଜଣାପଡ଼ିଛି।

ତେବେ ମନରେଗା ଯୋଜନାରେ ଶ୍ରମିକମାନେ ମାଗିଥିବା କାମ ତୁଳନାରେ ସେମାନଙ୍କୁ ରୋଜଗାର ଯୋଗାଇ ଦିଆଯାଇ ପାରିନାହିଁ। ୩୨.୫୯ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ସ୍ବାସ୍ଥ୍ୟ ସୂଚୀରେ ଡାକ୍ତର, ନର୍ସ ଓ ମିଡ୍‌ୱାଇଫ୍‌ଙ୍କ ସଂଖ୍ୟାରେ ୨ ପ୍ରତିଶତ ହ୍ରାସ ଘଟିଛି। ଉତ୍ତମ ଶିକ୍ଷା ଲକ୍ଷ୍ୟରେ ନାମଲେଖା ହାର ୨୦୧୯ର ୯୪.୭ ପ୍ରତିଶତ ତୁଳନାରେ ୨୦୨୦-୨୧ରେ ୭୧.୫୭ ପ୍ରତିଶତକୁ ହ୍ରାସ ପାଇଛି। ପ୍ରାୟ ୪୪.୮୭ ପ୍ରତିଶତ ଲୋକଙ୍କ ପାଖରେ ଇଣ୍ଟରନେଟ୍ ପହଞ୍ଚିଛି। ଅତ୍ୟଧିକ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏକ କୋଟି ଜନସଂଖ୍ୟାରେ ରାଜ୍ୟରେ ୨୨.୭୮ ପ୍ରତିଶତ ଜୀବନହାନି ହୋଇଛି। ରାଜ୍ୟରେ ଜଙ୍ଗଲ ଓ ବୃକ୍ଷ ସବୁଜିମା ବୃଦ୍ଧି ପାଇଛି। ୨୦୨୦ରେ ଲକ୍ଷେ ଜନସଂଖ୍ୟାରେ ୩.୧୦ ପ୍ରତିଶତ ହତ୍ୟା, ଶିଶୁମାନଙ୍କ ବିରୋଧରେ ୪୯.୯୦ ପ୍ରତିଶତ ଗ୍ରହଣଯୋଗ୍ୟ ଅପରାଧ ତଥା ୨୨.୪୪ ପ୍ରତିଶତ ନିଖୋଜ ଶିଶୁ ମାମଲା ରହିଛି। ରାଜ୍ୟରେ ଲକ୍ଷେ ଜନସଂଖ୍ୟାରେ ୨.୧୬ ପ୍ରତିଶତ କୋର୍ଟ ରହିଛି।

୨୦୨୦-୨୧ ସୂଚୀରେ ଶ୍ରେଷ୍ଠ ପାଞ୍ଚରେ ୧୦ଟି ରାଜ୍ୟ ରହିଛନ୍ତି। କେରଳ ୭୫ ସ୍କୋର ସହ ଶୀର୍ଷ ସ୍ଥାନରେ ରହିଛି। ହିମାଚଳପ୍ରଦେଶ ଓ ତାମିଲନାଡୁର ସ୍କୋର ୭୪, ଆନ୍ଧ୍ରପ୍ରଦେଶ, ଗୋଆ, କର୍ଣ୍ଣାଟକ ଓ ଉତ୍ତରାଖଣ୍ଡ୍‌ର ସ୍କୋର ୭୨, ସିକିମ୍‌ର ୬୧ ଓ ମହାରାଷ୍ଟ୍ରର ସ୍କୋର ୭୦ ରହିଛି। ବଟମ୍‌ ଫାଇଭ୍‌ (ନିମ୍ନ ପାଞ୍ଚ) ରାଜ୍ୟ ଭିତ‌ରେ ମଧ୍ୟ ୧୦ଟି ରାଜ୍ୟ ରହିଛନ୍ତି। ଛତିଶଗଡ଼, ନାଗାଲ୍ୟାଣ୍ଡ୍‌ ଓ ଓଡ଼ିଶାର ସ୍କୋର ୬୧ ଥିବା ବେଳେ ଅରୁଣାଚପ୍ରଦେଶ, ମେଘାଳୟ, ରାଜସ୍ଥାନ ଓ ଉତ୍ତରପ୍ରଦେଶର ସ୍କୋର ୬୦, ଆସାମର ୫୭, ଝାଡ଼ଖଣ୍ଡର ୫୬ ଓ ବିହାରର ସ୍କୋର ୫୨ ରହିଛି। ବିହାର ସର୍ବନିମ୍ନ ସ୍ଥାନରେ ରହିଛି। ଏସ୍‌ଡିଜିର ପ୍ରଥମ ସଂସ୍କରଣ ୨୦୧୮ରେ, ଦ୍ବିତୀୟ ସଂସ୍କରଣ ୨୦୧୯ରେ ପ୍ରକାଶ ପାଇଥିଲା। ୨୦୨୦-୨୧ର ତୂତୀୟ ସଂସ୍କରଣ ଆଜି ଉନ୍ନୋଚିତ ହୋଇଛି। ପ୍ରଥମ ସଂସ୍କରଣର ୧୩ଟି ଗୋଲ ଓ ୬୨ଟି ସୂଚକାଙ୍କ ଥିବାବେଳେ ୨୦୨୦-୨୧ ସଂସ୍କରଣରେ ୧୬ଟି ଗୋଲ ଓ ୧୧୫ଟି ସୂଚକାଙ୍କ ରହିଛିା

ଏସ୍‌ଡିଜି ରିପୋର୍ଟ ସମ୍ପର୍କରେ ସମାଜବାଦୀ ପାର୍ଟି, ଓଡ଼ିଶାର ସଭାପତି ରବି ବେହେରା କହିଛନ୍ତି ଯେ ଏହା ଆମ ପାଇଁ ଏକ ଚ୍ୟାଲେଞ୍ଜ୍। ଆମ ରାଜ୍ୟରେ ୨୫.୫୯ ପ୍ରତିଶତ ଦାରିଦ୍ର୍ୟ ସୀମାରେଖା ‌ତଳେ ଓ ୭.୭ ଭାଗ ଯୁବ ବେକାର। ଆମ ରାଜ୍ୟର ବିକାଶରେ ଥିବା ଦୁର୍ବଳତାକୁ ଦୂର କରିବା ଲାଗି ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର