ଖସୁଛି ତେଲ ଦର: ୧୩ ମାସ ମଧ୍ୟରେ ସର୍ବନିମ୍ନ, ଡିସେମ୍ବର ୬ ଓପେକ୍ ବୈଠକ ଉପରେ ନଜର

ଲଣ୍ଡନ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବାରେ ଲାଗିଛି। ବ୍ରେଣ୍ଟ କ୍ରୁଡ୍ ଦର ଶୁକ୍ରବାର ୬% ଏବଂ ଚଳିତ ସପ୍ତାହରେ ୧୨% ହ୍ରାସ ଘଟିଛି। ବିଶ୍ବର ପ୍ରମୁଖ ତୈଳ ରପ୍ତାନିକାରୀ ଦେଶ (ଓପେକ)ର କେତେକ ସଦସ୍ୟ ରାଷ୍ଟ୍ର ତୈଳ ଉତ୍ପାଦନ ହ୍ରାସ ନେଇ ଚିନ୍ତା କରୁଥିବା ବେଳେ ଚାହିଦା ତୁଳନାରେ ଯୋଗାଣ ଅଧିକ ହୋଇଯିବା ଆଶଙ୍କାରେ ବଜାରରେ ଅଶୋଧିତ ତେଲ ଦର କମୁଥିବା କୁହାଯାଉଛି। ଏବେ ବ୍ରେଣ୍ଟ କ୍ରୁଡ୍ ଦର ବ୍ୟାରେଲ ପିଛା ୫୮ ଡଲାରକୁ ଖସି ଆସିଥିବା ବେଳେ ‌ଆମେରିକାର ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ କ୍ରୁଡ ଦର ବ୍ୟାରେଲ ପିଛା ୫୦ ଡଲାରକୁ କମିଯାଇଛି। ୨୦୧୭ ଅକ୍ଟୋବର ପରେ ଅର୍ଥାତ୍ ଗତ ୧୩ ମାସ ମଧ୍ୟରେ ଅଶୋଧିତ ତେଲ ଦର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଚାହିଦା ତୁଳନାରେ ତେଲ ଯୋଗାଣ ଅଧିକ ହେଉଥିବାରୁ ୨୦୧୫ରେ ଅନ୍ତର୍ଜାତୀୟ ବଜାରରେ ଯେଉଁ ପରିସ୍ଥିତି ଦେଖାଦେଇଥିଲା ତାହା ଯେଭଳି ନହୁଏ ସେଥିପାଇଁ ଓପେକ୍ ଉତ୍ପାଦନ ହ୍ରାସ ନେଇ ପଦକ୍ଷେପ ନେଇପାରେ ବୋଲି ଅନୁମାନ କରାଯାଉଛି। ଓପେକ୍ ବୈଠକ ଆସନ୍ତାମାସ ୬ ତାରିଖରେ ଭିଏନାଠାରେ ହେବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଅନୁଯାୟୀ ଚଳିତମାସ ଏପର୍ଯ୍ୟନ୍ତ ଅଶୋଧିତ ତେଲ ଦର‌ରେ ୨୦%କୁ ଅଧିକ ହ୍ରାସ ଘଟିଲାଣି। କ୍ରମାଗତଭାବେ ୭ ସପ୍ତାହ ହେଲା ଦର କମୁଛି। ଚାହିଦା ଯେଭଳି ହ୍ରାସ ପାଇଛି ଓପେକ୍ ଉତ୍ପାଦନ ତଦନୁପାତିକ ଭାବେ ତୁରନ୍ତ ହ୍ରାସ କରି ଦରରେ ସୁଧାର ଆଣିପାରିବ ବୋଲି ବିଶ୍ବାସ ଏପର୍ଯ୍ୟନ୍ତ ବଜାରରେ ଆସି ପାରିନାହିଁ। ୨୦୧୪ ଶେଷ ଆଡ଼କୁ କୌଣସି ଗୋଟିଏ ମାସରେ ତେଲ ଦରରେ ବୃହତ୍ ହ୍ରାସ ଦେଖାଦେଇଥିଲା। ଏବେ ତେଲ ଦର ତାହାଠାରୁ ଅଧିକ ମାତ୍ରାରେ କମିବାରେ ଲାଗିଛି। ଉତ୍ପାଦନ ବୃଦ୍ଧି ଦର ହ୍ରାସର ଏକ ପ୍ରମୁଖ କାରଣ। ଏସିଆରେ ଜାପାନଠାରୁ ଆରମ୍ଭ କରି ସିଙ୍ଗାପୁର ସମେତ ଅନ୍ୟାନ୍ୟ ଦେଶରେ ଉତ୍ପାଦନ ବଢ଼ିଛି। ଏଥିସହିତ ଆମେରିକାରେ ମଧ୍ୟ ତୈଳ ଉତ୍ପାଦନ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି (ଆଇଇଏ) ପକ୍ଷରୁ ଆକଳନ କରାଯାଇଛି ଚଳିତବର୍ଷ ଅଣ-ଓପେକ ଦେଶ ଗୁଡ଼ିକର ତୈଳ ଉତ୍ପାଦନ ଦୈନିକ ୨.୩ ନିୟୁତ ବ୍ୟାରେଲ ବୃଦ୍ଧି ପାଇବ। ଅନ୍ୟପକ୍ଷରେ ଆସନ୍ତାବର୍ଷ ତେଲ ଚାହିଦା ଦୈନିକ ୧.୩ ନିୟୁତ ବ୍ୟାରେଲ ବଢ଼ିବ। ତୈଳ ଉତ୍ପାଦନ ହ୍ରାସ ସମ୍ପର୍କରେ ସାଉଦି ଆରବ କହିଛି, ଓପେକର ସଦସ୍ୟ ରାଷ୍ଟ୍ର ଗୁଡ଼ିକ ମିଳିତଭାବେ ୧.୪ ନିୟୁତ ବ୍ୟାରେଲ ଉତ୍ପାଦନ ହ୍ରାସ ପାଇଁ ଚାପ ପକାଇବ। ଯଦି ଓପେକ ତୈଳ ଉତ୍ପାଦନ ହ୍ରାସ ପାଇଁ ନିଷ୍ପତ୍ତି ନିଏ ତାହେଲେ ଆଗାମୀ ଦିନରେ ଦରରେ ସୁଧାର ଆସିବା ସମ୍ଭାବନା ରହିଛି। କିନ୍ତୁ ଓପେକ ଉତ୍ପାଦନ ହ୍ରାସ କରିବାରେ ବିଫଳ ହେଲେ ଆଗାମୀ ଦିନରେ ତେଲ ଦର ଆହୁରି ତଳକୁ ଖସିବା ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର