ତେଲ କମୁଛି, ଟଙ୍କା ଶକ୍ତିଶାଳୀ

ମୁମ୍ବାଇ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବାରେ ଲାଗିଛି। ଏହାର ପ୍ରଭାବ ଭାରତୀୟ ମୁଦ୍ରା ଉପରେ ମଧ୍ୟ ପଡ଼ିଛି। ଏଥିଯୋଗୁ ଟଙ୍କା ଶକ୍ତିଶାଳୀ ହେବାରେ ଲାଗିଛି। ଗତ ମଙ୍ଗଳବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୧ ଟଙ୍କା ୪୬ ପଇସା ଥିବାବେଳେ ଆଜି ଏହା ୭୦ ଟଙ୍କା ୯୧ ପଇସା ରହିଛି। ଫଳରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଗତ ପ୍ରାୟ ୧୨ ସପ୍ତାହ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଗତ ସେପ୍ଟେମ୍ବର ୩ ତାରିଖ ପରେ ଟଙ୍କା ମୂଲ୍ୟ କେବେ ଏହି ସ୍ତରକୁ ଆସି ନଥିଲା।
ଭାରତ ଏହାର ଅଶୋଧିତ ତେଲ ଆବଶ୍ୟକତାର ୮୦ ପ୍ରତିଶତରୁ ଅଧିକ ବିଦେଶରୁ ଆମଦାନି କରିଥାଏ। ଅଶୋଧିତ ତେଲ ଦର କମିବା ଫଳରେ ଆମଦାନିକାରୀଙ୍କ ମଧ୍ୟରେ ଡଲାର ଚାହିଦା ହ୍ରାସ ପାଇବ। ଫଳରେ ଚାହିଦା ବୃଦ୍ଧି ଯୋଗୁ ଡଲାର ମୂଲ୍ୟରେ ଯେଉଁ ବୃଦ୍ଧି ଘଟୁଥିଲା ତାହା ହେବନାହିଁ। ଟଙ୍କା ମୂଲ୍ୟରେ ଦ୍ରୁତ ବୃଦ୍ଧି ଘଟୁଥିଲେ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ବୈଦେଶିକ ମୁଦ୍ରା ବିନିମୟ ବଜାରରେ ହସ୍ତକ୍ଷେପ କରୁ ନଥିବା ଜଣାଯାଇଛି। ଆମେରିକାରେ ଏବେ ଅଶୋଧିତ ତେଲ ଉତ୍ପାଦନ ବୃଦ୍ଧି ପାଉଛି। ଗତ ଡିସେମ୍ବର ପରଠାରୁ ଏହା ଆମେରିକା ନିକଟରେ ସର୍ବାଧିକ ତେଲ ଉତ୍ପାଦନ ହୋଇ ରହିଛି। ଏହାର ପ୍ରଭାବ ଅନ୍ତର୍ଜାତୀୟ ତେଲ ବଜାର ଉପରେ ପଡ଼ିଛି। ବ୍ରେଣ୍ଟ କ୍ରୁଡ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୬୭ ସେଣ୍ଟ୍ସ ହ୍ରାସ ଘଟି ୬୨.୮୨ ଡଲାରକୁ ଖସିଆସିଛି। ଆଗାମୀ ଦିନରେ ଦର ଆହୁରି କମିବାର ସମ୍ଭାବନା ରହିିଛି।

ପେଟ୍ରୋଲ ୮ଟଙ୍କା, ଡିଜେଲ ୫ ଟଙ୍କା କମିଲାଣି
ଭୁବନେଶ୍ବର: ବଜାରରେ ଏବେ ପେଟ୍ରୋଲ ଏବଂ ଡିଜେଲ ଦର କମିବାରେ ଲାଗିଛି। ଦୀର୍ଘଦିନ ପରେ ଭୁବନେଶ୍ବରରେ ପେଟ୍ରୋଲ ଦର ଗୁରୁବାର ୭୫ ଟଙ୍କା ତଳକୁ ଖସିଆସିଛି। ବୁଧବାର ଭୁବନେଶ୍ବରରେ ‌ପେଟ୍ରେଲ ଦର ୭୫ ଟଙ୍କା ୨୨ ପଇସା ଥିବାବେଳେ ଗୁରୁବାର ଏଥିରେ ୪୦ ପଇସା ହ୍ରାସ ଘଟି ୭୪ ଟଙ୍କା ୮୭ ପଇସା ରହିଛି। ସେହିଭଳି ବୁଧବାର ତୁଳନାରେ ଗୁରୁବାର ରାଜଧାନୀରେ ଡିଜେଲ ଦର ୩୨ ପଇସା କମିଛି। ଫଳରେ ଡିଜେଲ ଦର ଗୁରୁବାର ୭୬ ଟଙ୍କା ୧୫ ପଇସାକୁ କମିଯାଇଛି। ଚଳିତ ବର୍ଷ ପ୍ରାୟ ଅଗଷ୍ଟ ମଧ୍ୟଭାଗରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିଲା। ଅକ୍ଟୋବର ୪ ତାରିଖରେ ପେଟ୍ରୋଲ ଦର ରେକର୍ଡ ୮୨ ଟଙ୍କା ୮୧ ପଇସା ଏବଂ ଡିଜେଲ ଦର ୮୦ ଟଙ୍କା ୯୭ ପଇସା ଛୁଇଁଥିଲା। କିନ୍ତୁ ଏହାପରଠାରୁ ଉଭୟ ଇନ୍ଧନ ଦର କମିବାରେ ଲାଗିଛି। ଗୁରୁବାର ସୁଦ୍ଧା ପେଟ୍ରୋଲ ଦର ୭ ଟଙ୍କା ୯୪ ପଇସା କମିଥିବାବେଳେ ଡିଜେଲ ଦର ୪ ଟଙ୍କା ୮୨ ପଇସା କମିଛି। ଅଶୋଧିତ ତେଲ ଦର କମୁଥିବାରୁ ପେଟ୍ରାଲ୍ ଓ ଡିଜେଲ୍ ଶସ୍ତା ହେଉଛି।

ସମ୍ବନ୍ଧିତ ଖବର