ଏପ୍ରିଲ୍‌ ୧ରେ ୨୦୦୦ ଟଙ୍କିଆ ବଦଳ ହେବନି

ମୁମ୍ବାଇ: ଚଳିତ ବର୍ଷର ଏପ୍ରିଲ୍ ୧ରେ ଲୋକମାନେ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ କରିପାରିବେ ନାହିଁ। ସେହିଦିନ ବାର୍ଷିକ ଖାତା ବନ୍ଦ କାମ ହେବାକୁ ଥିବାରୁ ଦେଶରେ ଥିବା ୧୯ଟି ଇସ୍ୟୁ ଅଫିସ୍‌ରେ ୨୦୦୦ ଟଙ୍କିଆ ନୋଟ୍ ବଦଳ କିମ୍ବା ଜମା ହୋଇପାରିବନି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏପ୍ରିଲ୍‌ ୨ ତାରିଖଠାରୁ ପୁଣି ଥରେ ଏହି ସୁବିଧା ଉପଲବ୍ଧ ହେବ। ୨୦୧୬ରେ ବଜାରକୁ ଆସିଥିବା ୨୦୦୦ ଟଙ୍କିଆ ନୋଟ୍‌କୁ ପ୍ରତ୍ୟାହାର କରିବା ବିଷୟରେ ୨୦୨୩ ମେ’ ୧୯ରେ ଘୋଷଣା କରାଯାଇଥିଲା। ନୋଟ୍‌ଗୁଡ଼ିକୁ ବଦଳାଇବା କିମ୍ବା ବ୍ୟାଙ୍କରେ ଜମା କରିବା ଲାଗି ଲୋକମାନଙ୍କୁ ଚାରି ମାସ ସମୟ ଦିଆଯାଇଥିଲା। ଏହାପରେ ବ୍ୟାଙ୍କ ଜରିଆରେ ନୋଟ୍ ବଦଳ ଓ ଜମା ସୁବିଧାକୁ ବନ୍ଦ କରାଯାଇଥିଲା। ଏବେ କେବଳ ରିଜର୍ଭ ବ୍ୟାଙ୍କର ୧୯ଟି ଇସ୍ୟୁ କାର୍ଯ୍ୟାଳୟରେ ଏହି ସୁବିଧା ଉପଲବ୍ଧ ରହିଛି। ସଦ୍ୟତମ ସୂଚନା ଅନୁସାରେ ଚଳିତ ବର୍ଷ ଫେବ୍ରୁଆରି ୨୯ ସୁଦ୍ଧା ୯୭.୬୨ ପ୍ରତିଶତ ୨୦୦୦ ଟଙ୍କିଆ ଫେରିଆସିଛି। ଏବେବି ଲୋକମାନଙ୍କ ପାଖରେ ୮୪୭୦ କୋଟି ଟଙ୍କାର ୨୦୦୦ ଟଙ୍କିଆ ରହିଛି।

ସମ୍ବନ୍ଧିତ ଖବର