ଭାରତୀୟ ଏକଟଙ୍କିଆ ନୋଟକୁ ପୂରିଲା ୧୦୦ବର୍ଷ: ଏବେ ବି ଏଥିରେ କିଣିହେବ ଅନେକ ସାମଗ୍ରୀ

ନୂଆଦିଲ୍ଲୀ: ଭାରତରେ ଟଙ୍କିକିଆ ନୋଟ୍‌ ପ୍ରଚଳନ ୧୦୦ ବର୍ଷ ପୂର୍ଣ୍ଣ କରିଛି । ନଭେମ୍ବର ୩୦, ୧୯୧୭ରେ ତତ୍କାଳୀନ ବ୍ରିଟିସ୍‌ ସରକାର ସର୍ବପ୍ରଥମେ ଏହି ନୋଟକୁ ଛପାଇ ବଜାରକୁ ଛାଡ଼ିଥିଲେ। ଏହି ୧୦୦ ବର୍ଷ ମଧ୍ୟରେ ବିଭିନ୍ନ ଆକାର ଓ ରଙ୍ଗରେ ଏବଂ ବିଭିନ୍ନ ଲୋକଙ୍କ ସ୍ୱାକ୍ଷର ଥିବା ଟଙ୍କିକିଆ ନୋଟ ବଜାରକୁ ଆସିଛି।

ଏହି ୧୦୦ବର୍ଷ ପୂର୍ତ୍ତି ଅବସରରେ ଆସନ୍ତୁ ଜାଣିବା ଟଙ୍କିକିଆ ନୋଟର ଇତିହାସ ଉପରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ,୧୯୧୭ରୁ ୨୦୧୭ ମଧ୍ୟରେ ପ୍ରାୟ ୧୨୫ଟି ନକ୍ସାରେ ଟଙ୍କିକିଆ ନୋଟ ଛପା ଯିବା ସହ ଭିନ୍ନ ଭିନ୍ନ ସିରିୟଲ ନମ୍ବର ଏବଂ ସ୍ୱାକ୍ଷର ଥାଇ ପ୍ରକାଶ କରାଯାଇଛି । ୧୦୦ ବର୍ଷ ମଧ୍ୟରେ ପ୍ରାୟ ୨୮ଥର ଏହି ନୋଟର ଡ଼ିଜାଇନ୍‌ ପରିବର୍ତ୍ତନ କରାଯାଇଛି ।

ପ୍ରଥମେ ଟଙ୍କିକିଆ ନୋଟରେ ‘ଆଇ ପ୍ରମିଜ୍‌ ଟୁ ପେ’ ଲେଖା ଯାଇଥିବା ବେଳେ ଇଂଲଣ୍ଡର ରାଜା ପଞ୍ଚମ ଜର୍ଜଙ୍କ ଫଟୋ ରଖା ଯାଇଥିଲା । ୧୯୨୬ରେ ଏହି ନୋଟର ପ୍ରଚଳନ ବନ୍ଦ କରି ଦିଆଯାଇଥିବା ବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହାକୁ ଏକ ନୂଆ ରୂପରେ ପୁଣିଥରେ ବାହାର କରାଗଲା । ସ୍ୱାଧୀନତା ପରେ ପରେ ୧୯୪୮ରେ ନୂଆ ରଙ୍ଗ ଏବଂ ନୁଆ ଆକାରରେ ଟଙ୍କିକିଆ ନୋଟକୁ ଛପାଯିବା ସହ ତା’ଉପରେ ୮ଟି ଭାରତୀୟ ଭାଷାରେ ‘ଓ୍ଵାନ୍‌ ରୁପି’ ନୋଟ୍‌ ଲେଖାଯାଇଥିଲା ।

୧୯୪୮ ପର୍ଯ୍ୟନ୍ତ ପ୍ରାୟ ୬୦ ପ୍ରକାରର ଟଙ୍କିକିଆ ନୋଟ ବଜାରକୁ ଛଡ଼ାଯାଇଥିଲା । ୧୯୬୯ରେ ନୋଟ ଉପରେ ମହାତ୍ମା ଗାନ୍ଧିଙ୍କର ଫଟୋ ରଖାଗଲା । ୧୯୭୦ ପର୍ଯ୍ୟନ୍ତ ଏହି ଟଙ୍କିକିଆ ନୋଟକୁ ଭାରତ ଅପେକ୍ଷା ଦୁବାଇ, ଓମାନ ,ବାହାରେନ୍‌, ମସ୍‌କଟ୍‌ ଆଦି ଦେଶରେ ବ୍ୟବହାର କରାଯାଉଥିଲା। ୧୯୮୧ରେ ଏହାକୁ ପରିବର୍ତ୍ତନ କରାଯାଇ ମହାତ୍ମା ଗାନ୍ଧିଙ୍କ ସ୍ଥାନରେ ଭାରତର ତେଲ ଅନେ୍ଵଷଣ ରିଗ୍‌ ସାଗର ସମ୍ରାଟର ଫଟୋ ରଖାଗଲା । ୧୯୯୪ ପର୍ଯ୍ୟନ୍ତ ଏହାକୁ ଅପରିବର୍ତ୍ତିତ ରଖାଯାଇଥିଲା । ପରେ ଏହାକୁ ଛପାଇବାରେ ଅଧିକ ପଇସା ଲାଗିବାରୁ ୧୯୯୫ରେ ଏହାକୁ ବନ୍ଦ କରାଗଲା

ଦୀର୍ଘ ୨୧ ବର୍ଷ ପରେ ୨୦୧୫ରେ ରିଜର୍ଭ ବ୍ୟାଙ୍କ ଏହାକୁ ନୂଆ ରୂପରେ ବାହାର କରିଥିବା ବେଳେ ୨୦୧୭ରେ ଏହାକୁ ପୁଣି ପରିବର୍ତ୍ତନ କରାଯାଇଥିଲା । ୧୯୧୭ରେ ବାହାରିଥିବା ନୋଟରେ ୩ଜଣ ବ୍ରଟିସ୍‌ ଫାଇନାନ୍‌ସ ସେକ୍ରଟାରିଙ୍କ ସ୍ୱାକ୍ଷର ଥିଲା । ବାରମ୍ବାର ପରିବର୍ତ୍ତନ ହେଲା ପରେ ଏଯାବତ୍‌ ଟଙ୍କିକିଆ ନୋଟରେ ପ୍ରାୟ ୨୧ଜଣଙ୍କର ସ୍ୱାକ୍ଷର ରହିଛି । ଅନ୍ୟ ନୋଟମାନଙ୍କର ଭାରତୀୟ ରିଜର୍ଭ ବ୍ୟାଙ୍କ ରାଜ୍ୟପାଳଙ୍କର ସ୍ୱାକ୍ଷର ଥିବା ବେଳେ ଟଙ୍କିକିଆ ନୋଟରେ ଭାରତର ଫାଇନାନ୍‌ସ ସେକ୍ରେଟାରିଙ୍କ ହସ୍ତାକ୍ଷର ରହିଥାଏ । ଏହି ନୋଟରେ ଗଭର୍ଣ୍ଣମେଣ୍ଟ ଅଫ୍‌ ଇଣ୍ଡିଆ ଲେଖାଯାଇଥିବା ବେଳେ ଅନ୍ୟ ନୋଟ ମାନଙ୍କରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଭାରତୀୟ ରିଜର୍ଭ ବ୍ୟାଙ୍କ ଛପା ଯାଇଥାଏ ।

ବର୍ତ୍ତମାନ ଅଚଳ ହୋଇନାହିଁ ଏକ ଟଙ୍କିଆ ନୋଟ୍‌। ଏବେ ି ଟଙ୍କାକରେ ଜଣେ ଚକୋଲେଟ, ପାଣି ପାଉଚ, ତେଲ ଓ ସାମ୍ପୁର ମିନି ସାଚେଟ୍‌ ଆଦି ସାମଗ୍ରୀ କିଣଇ ପାରିବ।

ସମ୍ବନ୍ଧିତ ଖବର