ହ୍ଵାଟସ୍‌ଆପ୍‌କୁ ଟକ୍କର ଦେବାକୁ ଯାଇ ପତଞ୍ଜଳି ଲଞ୍ଚ କଲା ନୂତନ ମେସେଜିଂ ଆପ୍‌, କ’ଣ ରହିଛି ବିଶେଷତ୍ୱ ଜାଣନ୍ତୁ

ନୂଆଦିଲ୍ଲୀ: ସାବୁନ୍‌, ତେଲ ଆଦି ବିକ୍ରି କ୍ଷେତ୍ରରେ ସଫଳତାର ହାସଲ କରିବା ପରେ ଯୋଗଗୁରୁ ବାବା ରାମଦେବ ଟେଲିକମ୍‌ ଓ ସୋସିଆଲ ମିଡିଆ ସେକ୍ଟରରେ ଧମାଲ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ବାବା ରାମଦେବ କମ୍ପାନି ପତଞ୍ଜଳି ମୋବାଇଲ୍‌ ସେବା କ୍ଷେତ୍ରରେ ପ୍ରବେଶ କରି ସିମ୍‌ କାର୍ଡ ଲଞ୍ଚ କରିବା କଥା ଆପଣମାନେ ଶୁଣିଥିଲେ।

ତେବେ ବୁଧବାର ପତଞ୍ଜଳି କମ୍ୟୁନିକେସନ୍‌ ମେସେଜିଂ ଆପ୍‌ ‘କିମ୍ଭୋ’ ଲଞ୍ଚ କରିଛି। ଯାହାକି ଅନ୍ୟ ମେସେଜିଂ ଆପ୍‌କୁ ଯେମିତିକି ଇମୋ ଓ ହ୍ଵାଟସ୍‌ଆପ୍‌କୁ ଟକ୍କର ଦେବ ବୋଲି କମ୍ପାନି ଦାବି କରିଛି। ଏହି ଆପ୍‌କୁ ନେଇ ବାବା ରାମଦେବ କୌଣସି ପ୍ରତିକ୍ରିୟା ଏଯାବତ୍‌ ରଖି ନାହାନ୍ତି।

‘କିମ୍ଭୋ’ ଆପ୍‌କୁ ଗୁୁଗୁଲ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନ୍‌ଲୋଡ କରିହେବ। ଏହି ଆପ୍‌କୁ ମଇ ୩୦ ତାରିଖରେ ଅପଡେଟ କରାଯାଇଛି। ଏହାର ଫିଚର ହ୍ଵାଟସ୍‌ଆପ୍‌ ଭଳି ଭିଡିଓ କଲିଂ ବ୍ୟତୀତ ବ୍ୟବହାରକାରୀ ଚାଟିଂ, ମେସେଜ, ଭିଡିଓ, ଫଟୋ ଓ ଅଡିଓ କ୍ଲିପ୍‌ ସାଙ୍ଗସାଥୀଙ୍କ ସହିତ ସେୟାର କରି ପାରିବେ। ଏହି ଆପ୍‌ରେ ଲୋକେସନ୍‌ ବି ସେୟାର କରାଯାଇ ପାରିବ। ‘କିମ୍ଭୋ’ ଆପ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି।

ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ସହିତ ମିଶି ବାବା ରାମଦେବ ସ୍ୱଦେଶୀ ସମୃଦ୍ଧି ସିମ୍‌ କାର୍ଡକୁ ଉନ୍ମୋଚନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସିମ୍‌ କାର୍ଡକୁ ପତଞ୍ଜଳିର କର୍ମଚାରୀ ଓ ଅଧିକାରୀମାନେ ବ୍ୟବହାର କରିବେ। ସାଧାରଣ ଲୋକଙ୍କ ପାଖରେ ଏହି ସିମ୍‌ କିଛି ଦିନ ପରେ ପହଞ୍ଚିବ। ଏହି ସିମ୍‌ ଥିବା ଲୋକଙ୍କୁ ପତଞ୍ଜଳି ଉତ୍ପାଦ କିଣିବା ବେଳେ ୧୦ପ୍ରତିଶତ ରିହାତି ପ୍ରଦାନ କରାଯିବ।

୧୪୪ ଟଙ୍କା ରିଚାର୍ଜ କରି ଗ୍ରାହକମାନେ ସାରା ଦେଶରେ ଅସୀମିତ କଲ୍‌ କରିପାରିବେ, ୨ ଜିବି ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ମଧ୍ୟ ପାଇବେ। ଏହା ଉପରେ ଅଢ଼େଇ ଲକ୍ଷ ଟଙ୍କାର ମେଡିକାଲ୍‌ ବୀମା ଓ ୫ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା ମିଳିବ। କେବଳ ସଡ଼କ ଦୁର୍ଘଟଣା ଭଳି ପରିସ୍ଥିତିରେ ଏହି ବୀମା ରାଶି ମିଳିବ।

ସମ୍ବନ୍ଧିତ ଖବର