୨୦ ଦିନ ହେଲା ପେଟ୍ରୋଲ, ଡିଜେଲ ଦର ସ୍ଥିର

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଗତ ୬ ଦିନ ହେଲା ହ୍ରାସ ପାଉଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ତଳକୁ ଖସିନାହିଁ। ଗତ ୨୦ ଦିନ ହେଲା ଏହି ଦର ସ୍ଥିର ରହିଛି। ଦେଶର ୪ଟି ରାଜ୍ୟ ଏବଂ ‌ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ‌ପରିପ୍ରେକ୍ଷୀରେ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରୁ ନଥିବା କୁହାଯାଉଛି। କିନ୍ତୁ ଏହି ଦର ଏବେ ସର୍ବାଧିକ ସ୍ତରରେ ରହିଛି। ପୂର୍ବରୁ ଗତମାସ ୨୭ ତାରିଖରେ ଶେଷ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଥିଲା। ପେଟ୍ରୋଲ ଦର ଦେଶର ପ୍ରାୟ ସବୁ ପ୍ରମୁଖ ସହରରେ ୯୦ ଟଙ୍କା ଉପରେ ରହିଛି। ଏପରିକି କିଛି ସ୍ଥାନରେ ଏହା ୧୦୦ ଟଙ୍କା ଟପିସାରିଛି। ସେହିଭଳି ଡିଜେଲ ଦର ମଧ୍ୟ ଜୟପୁରରେ ଲିଟର ପିଛା ୯୦ ଟଙ୍କା ଛୁଇଁଛି। କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ତେଲ ଉପରେ ମାତ୍ରାଧିକ ଟିକସ ଆଦାୟ କରୁଥିବାରୁ ଏହି ଦର ତଳକୁ ଖସୁନାହିଁ। ପେଟ୍ରୋଲ ଏବଂ ଡିଜେଲ ଦର ଉଚ୍ଚା ରହିବା କାରଣରୁ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବାରେ ଲାଗିଛି। ଫେବ୍ରୁଆରି ମାସରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୩ ପ୍ରତିଶତକୁ ବୃଦ୍ଧି ପାଇଛି। ଜାନୁଆରି ମାସରେ ଏହା ୪.୦୬ ପ୍ରତିଶତ ରହିଥିଲା।

ସମ୍ବନ୍ଧିତ ଖବର