ଫୋନ୍‌ ଉତ୍ପାଦନ ପୁଣି ଆରମ୍ଭ: ସାମସଙ୍ଗ୍‌, ଭିଭୋ, ଓପୋ କାରଖାନା ଖୋଲିଲା

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଥିବା ଫୋନ୍‌ କାରଖାନାଗୁଡ଼ିକରେ ଉତ୍ପାଦନ ପୂନର୍ବାର ଆରମ୍ଭ ହୋଇଛି। କଂପାନିଗୁଡ଼ିକ ବିଭିନ୍ନ ପ୍ରକାର ସୁରକ୍ଷା ପଦକ୍ଷେପ ଗ୍ରହଣ କରି ଉତ୍ପାଦନ ଆରମ୍ଭ କରିଛନ୍ତି। ଭାରତୀୟ ଫୋନ୍ ବଜାରରେ ପ୍ରାୟ ଅଧା ଭାଗ ଥିବା ତିନି କଂପାନି ସାମସଙ୍ଗ୍‌, ଭିଭୋ, ଓପୋ ଓ ଲାଭା କାରଖାନାରେ କର୍ମଚାରୀମାନେ ପ୍ରବେଶ କରି ଫୋନ୍ ଉତ୍ପାଦନ କରୁଛନ୍ତି। ଅନେକ କାରଖାନା ସାମ୍ନାରେ ଇନ୍‌ଫ୍ରାରେଡ୍‌ ଥର୍ମୋମିଟର ଧରି ସୁରକ୍ଷାକର୍ମୀ ଠିଆ ହୋଇଛନ୍ତି। କିଛି କାରଖାନାରେ ସ୍ବତନ୍ତ୍ର ଗାଡ଼ି କର୍ମଚାରୀମାନଙ୍କୁ ସେମାନେ କାର୍ଯ୍ୟ କରୁଥିବା ସ୍ଥାନରେ ପହଞ୍ଚାଉଥିବା ଦେଖିବାକୁ ମିଳିଛି। ଗତ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍ ଆରମ୍ଭ ହେବା ପରେ ସବୁ କାରଖାନା ବନ୍ଦ ରହିଥିଲା। ଦୀର୍ଘ ୨୮ ଦିନ‌ ପରେ ତାହା ଖୋଲିଛି। ଗ୍ରେଟର ନୋଏଡାରେ ପ୍ରାୟ ୩୦୦୦ ଇଲେକ୍ଟ୍ରୋନିକ୍ସ କଂପାନିର କାରଖାନା ଥିବା ବେଳେ କିଛି ହାତଗଣତି ସଂସ୍ଥା କାରଖାନା ଖୋଲିବାର ଅନୁମୋଦନ ପାଇଛନ୍ତି।

ସାମସଙ୍ଗ୍‌ ଇଣ୍ଡିଆ ଇଲେକ୍‌ଟ୍ରୋନିକ୍ସ କାରଖାନାରେ ୧୦୦୦ କର୍ମଚାରୀ ପ୍ରବେଶ କରି କାର୍ଯ୍ୟ ଆରମ୍ଭ କରିଛନ୍ତି। ସାମସଙ୍ଗ୍‌ କାରଖାନାରେ ଏବେ କେବଳ ସ୍ମାର୍ଟଫୋନ୍ ନିର୍ମାଣ କରୁଛି। ରେଫ୍ରିଜରେଟର ଆସେମ୍ବଲି କରିବା କାର୍ଯ୍ୟ ଆରମ୍ଭ ହୋଇନାହିଁ। ୩୦୦୦ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଆରମ୍ଭ କରିବା ଲାଗି ସାମସଙ୍ଗ୍‌ ସ୍ତାନୀୟ କର୍ତ୍ତୃପକ୍ଷଙ୍କ ଅନୁମୋଦନ ହାସଲ କରିଛି। ସେହିପରି, ଭିଭୋର ଥିବା କାରଖାନାରେ ସାଧାରଣ ଦିନଗୁଡ଼ିକରେ ୧୦,୦୦୦ ପାଖାପାଖି କର୍ମଚାରୀ ପ୍ରବେଶ କରନ୍ତି। ଏବେ କିନ୍ତୁ ଅଢ଼େଇ ହଜାର କର୍ମଚାରୀଙ୍କୁ ନେଇ କଂପାନି କାର୍ଯ୍ୟ ଆରମ୍ଭ କରିଛି। ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବା ଲାଗି କଂପାନି ଅନୁମତି ପାଇଛି। ଓପୋ ମଧ୍ୟ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଆରମ୍ଭ କରିବାର ଅନୁମତି ପାଇଛି। ତିନି ହଜାର କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଆରମ୍ଭ କରିବାକୁ କଂପାନି ଯୋଜନା ରଖିଛି।ଲକ୍‌ଡାଉନ୍ ପ୍ରଭାବରେ ସାମସଙ୍ଗ, ଭିଭୋ ଓ ଓପୋ ମିଳିତ ଭାବେ ୧୦,୦୦୦ କୋଟିରୁ ଅଧିକ ଟଙ୍କାର ବିକ୍ରିଜନିତ କ୍ଷତି ସହିଥିବା ଜଣାପଡ଼ିଛି। ୨୦୧୮-୧୯ରେ ଏହି ତିନି ସଂସ୍ଥା ୧୦୦,୦୦୦ କୋଟି ଟଙ୍କାର କାରବାର କରିଥିଲେ।

ସମ୍ବନ୍ଧିତ ଖବର