ଥାଳି ଅର୍ଥନୀତି: ନିରାମିଷ ଥାଳି ୨୯%, ଆମିଷ ଥାଳି ୧୮% ସୁଲଭ ହୋଇଛି

ଆମିଷ ଥାଳିରେ ଅଧିକ ସଞ୍ଚୟ

ଦୀର୍ଘମିଆଦୀ ଭିତ୍ତିରେ ସମ୍ପତ୍ତି ସୃଷ୍ଟି କରିବା ଉପରେ ଜୋର ଦେବା, ଶିକ୍ଷାର ଘରୋଇକରଣ କରିବା, ଶ୍ରମ କ୍ଷେତ୍ରରେ ସଂସ୍କାର ଆଣିବା, ମୁକ୍ତ ବାଣିଜ୍ୟ ରାଜିନାମାକୁ ଭୟ ନକରି ସେଥିରୁ କିଭଳି ଲାଭ ହାସଲ କରିହେବ ତାହା ଉପରେ ଧ୍ୟାନ ଦେବା ଲାଗି ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୯-୨୦୨୦ରେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେଭି ସୁବ୍ରମଣିଅନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଜିଡିପି ତଥ୍ୟକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଭିତ୍ତିହୀନ ବୋଲି ସେ ଜଣାଇଛନ୍ତି। ଥାଳି ଅର୍ଥନୀତି ଜରିଆରେ ସେ ସାଧାରଣ ଲୋକଙ୍କୁ ଜଟିଳ ଅର୍ଥନୀତିକୁ ସରଳ ଭାବେ ବୁଝାଇବାକୁ ପ୍ରଚେଷ୍ଟା କରିଛନ୍ତି

ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୯-୨୦ ଉପସ୍ଥାପିତ କରିଛନ୍ତି। ଚଳିତବର୍ଷ ସର୍ଭେରେ ଏକ ସ୍ବତନ୍ତ୍ର ଅଧ୍ୟାୟ ରଖାଯାଇଛି ତାହାର ନାମ ହେଲା ଥାଳି‌ନୋମିକ୍ସ ବା ଥାଳି ଅର୍ଥନୀତି। ୨୦୦୬ରୁ ୨୦୧୯ ମଧ୍ୟରେ ଦେଶରେ ଖାଦ୍ୟ ସାମଗ୍ରୀର ଦରଦାମ କିଭଳି କମିଛି ତାହାକୁ ଯେଭଳି ଜଣେ ସାଧାରଣ ଲୋକ ବୁଝିପାରିବ ସେହି ଅନୁସାରେ ଏହି ଅଧ୍ୟାୟ ପ୍ରସ୍ତୁତ କରାଯାଇଛି। ଏଥିରେ ଏକ ଖାଦ୍ୟ ଥାଳିକୁ ଉଦାହରଣ ଭାବେ ନିଆଯାଇଛି। ଦେଶରେ ସାଧାରଣ ଲୋକଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଅଧିକ ସୁଲଭ ହୋଇଛି ବୋଲି ଏଥିରେ କୁହାଯାଇଛି। ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ଦୈନନ୍ଦିନ ଜୀବନରେ ଯଦିଓ ଅର୍ଥନୀତି ଦ୍ବାରା ପ୍ରଭାବିତ ହେଉଛନ୍ତି ତଥାପି ଏହାକୁ ସମେସ୍ତ ଜାଣିପାରି ନଥାନ୍ତି ବୋଲି ସର୍ଭେରେ କୁହାଯାଇଛି। ଏକ ୫ ଜଣିଆ ପରିବାର ଯଦି ଦିନକୁ ଦୁଇଥର ନିରାମିଷ ଥାଳି ଖାଉଥାନ୍ତି ତେବେ ସେମାନେ ବର୍ଷକୁ ୧୦୮୮୭ ଟଙ୍କା ସଞ୍ଚୟ କରିଥିବେ ବୋଲି ସର୍ଭେରେ କୁହାଯାଇଛି। ସେହିଭଳି ଆମିଷ ଥାଳି ବାବଦରେ ୧୧,୭୮୭ ଟଙ୍କା ସଞ୍ଚୟ କରିପାରିଛନ୍ତି। ନିରାମିଷ ଖାଦ୍ୟ ଥାଳି ୨୯ ପ୍ରତିଶତ ସୁଲଭ ହୋଇଥିବାବେଳେ ଆମିଷ ଖାଦ୍ୟ ଥାଳି ୧୮ ପ୍ରତିଶତ ସୁଲଭ ହୋଇଛି। ଅର୍ଥାତ୍ ସାଧାରଣ ଲୋକଙ୍କ ସୁଖ ଓ ସ୍ବାଚ୍ଛନ୍ଦ୍ୟରେ ଉନ୍ନତି ଆସିଥିବା ଦର୍ଶାଇବା ପାଇଁ ଏଭଳି ତୁଳନାତ୍ମକ ଚିତ୍ର ଅର୍ଥନୈତିକ ସର୍ଭେରେ ଉପସ୍ଥାପନ କରାଯାଇଛି। ନିରାମିଷ ଥାଳିରେ ପରଷା ଯାଉଥିବା ଖାଦ୍ୟର ମୂଲ୍ୟ ଆକଳନ ପାଇଁ ୨୦୦୬ ଏପ୍ରିଲରୁ ୨୦୧୯ ଅକ୍ଟୋବର ପର୍ଯ୍ୟନ୍ତ ପ୍ରାୟ ୧୩ ବର୍ଷର ତଥ୍ୟକୁ ବିଚାରକୁ ନିଆଯାଇଛି। ଦେଶର ୨୫ଟି ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ପ୍ରାୟ ୮୦ଟି କେନ୍ଦ୍ରରୁ ଶିଳ୍ପ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଉଟି ମୂଲ୍ୟସୂଚୀକୁ ସଂଗ୍ରହ କରାଯାଇ ଖାଦ୍ୟର ମୂଲ୍ୟ ହିସାବ କରାଯାଇଛି।

‘ସମ୍ପତ୍ତି ସୃଷ୍ଟି’ ଉପରେ ଜୋର୍‌
ଦୀର୍ଘମିଆଦୀ ଭିତ୍ତିରେ ଦେଶରେ ସମ୍ପତ୍ତି ସୃଷ୍ଟି କରିବା ଲାଗି ସର୍ଭେରେ ପରାମର୍ଶ ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ ସରକାରଙ୍କୁ ଏଭଳି ନୀତି ପ୍ରସ୍ତୁତ କରିବା ଉପରେ ଧ୍ୟାନ ଦେବାକୁ ହେବ ଯାହା ସମ୍ପତ୍ତି ସୃଷ୍ଟି କ୍ଷେତ୍ରରେ ସହାୟକ ହୋଇପାରିବ। ‌ଯେତେବେଳେ ସଠିକ୍ ନୀତି ପ୍ରଣୟନ ହୁଏ ସେହି ସମୟରେ ସମ୍ପତ୍ତି ସୃଷ୍ଟି ହୁଏ ବୋଲି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସର୍ଭେରେ କହିଛନ୍ତି। ପାରମ୍ପରିକ ଭାବେ ଆମ ଦେଶର ଭାବନା ହେଉଛି ବଜାରକୁ ବଢ଼ାଇବା ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ପଥରେ ଥିବା ପ୍ରତିବନ୍ଧକକୁ ଦୂର କରିବା। ସେଥିପାଇଁ ସ୍ବଳ୍ପ ସମ୍ବଳ ସହାୟତାରେ ସାମାଜିକ କଲ୍ୟାଣକୁ ବ୍ୟାପକ କରିବା ଲାଗି ନୀତି ନିର୍ଧାରଣ କରାଯାଉଛି। ସର୍ଭେରେ କୁହାଯାଇଛି ଯେ ୧୯୯୧ର ଉଦାରୀକରଣ ପରେ ଦେଶରେ ବିପୁଳ ପରିମାଣର ସମ୍ପତ୍ତି ସୃଷ୍ଟି ହୋଇଛି। ୧୯୯୯ରେ ସେନ୍‌ସେକ୍ସ ପ୍ରଥମ ଥର ଲାଗି ୫୦୦୦ ପଏଣ୍ଟ୍‌ ଅତିକ୍ରମ କରିଥିଲା। ୧୯୯୯ ପରେ ଦେଶରେ ହୋଇଥିବା ବିକାଶକୁ ସର୍ଭେରେ ତିନିଟି ପର୍ଯ୍ୟାୟରେ ଭାଗ କରାଯାଇଛି। ପ୍ରଥମ ପର୍ଯ୍ୟାୟଟି ଥିଲା ୧୯୯୯ରୁ ୨୦୦୭। ଏହି ସମୟରେ ସେନ୍‌ସେକ୍ସରେ ବୃଦ୍ଧି ଦେଖିବାକୁ ମିଳିଥିଲା। ସେନ୍‌ସେକ୍ସରେ ପ୍ରତି ୫୦୦୦ ପଏଣ୍ଟ୍‌ର ବୃଦ୍ଧି ଲାଗି ପ୍ରତି ଥର କମ୍ ସମୟ ଲାଗିଥିଲା। ୨୦୦୭-୨୦୧୪ ପର୍ଯ୍ୟନ୍ତ ଥିଲା ଦ୍ବିତୀୟ ପର୍ଯ୍ୟାୟ ଓ ଏହି ସମୟରେ ସୂଚୀରେ ହେଉଥିବା ବୃଦ୍ଧି ମନ୍ଥର ହୋଇଥିଲା। ୨୦୧୪ ପରବର୍ତୀ ସମୟକୁ ତୃତୀୟ ପର୍ଯ୍ୟାୟ ଭାବେ ବିବେଚନା କରାଯାଇଛି ଯେଉଁ ସମୟରେ ଢାଞ୍ଚାଗତ ସଂସ୍କାର ଯୋଗୁ ଅନେକ କ୍ଷେତ୍ରରେ ସୁଧାର ଦେଖିବାକୁ ମିଳିଥିଲା ବୋଲି ସର୍ଭେରେ ଉଲ୍ଲେଖ କରାଯାଇଛି।

ଅଭିବୃଦ୍ଧି ଉପରେ ପ୍ରଶ୍ନବାଚୀ ଅର୍ଥହୀନ
ଅଭିବୃଦ୍ଧି ହିସାବ କରିବା ଲାଗି ଗ୍ରହଣ କରାଯାଇଥିବା‌ ପଦ୍ଧତି ଉପରେ ନିୟମିତ ବ୍ୟବଧାନରେ ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ସେଥିରେ ପୂର୍ଣ୍ଣ‌ଚ୍ଛେଦ ଟାଣିବା ଲାଗି ସର୍ଭେରେ ପ୍ରୟାସ କରାଯାଇଛି। ଦେଶର ଅଭିବୃଦ୍ଧି ହାରକୁ ବଢ଼ାଇ ଚଢ଼ାଇ କିମ୍ବା କମ୍ କରି ପ୍ରଦର୍ଶନ କରାଯାଉ ନାହିଁ। ଜିଡିପି ତଥ୍ୟକୁ ନେଇ ଯେଉଁ ଚିନ୍ତା ପ୍ରକଟ କରାଯାଉଛି ତାହା ଅନୁଚିତ ବୋଲି ସର୍ଭେରେ କୁହାଯାଇଛି। ଜିଡିପି ତଥ୍ୟ ଉପରେ ଯେଉଁ ଆଶଙ୍କା ପ୍ରକଟ କରାଯାଇଛି ତାହା ଭିତ୍ତିହୀନ। ଦେଶର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଅନ ସରକାରଙ୍କ ଜିଡିପି ହିସାବକୁ ନେଇ ପ୍ରଶ୍ନ ଉଠାଇଥିଲେ। ୨୦୧୧-୧୨ରୁ ୨୦୧୬-୧୭ ଭିତରେ ଜିଡିପିକୁ ୨.୫% ଅଧିକ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ସର୍ଭେରେ କୁହାଯାଇଛି ଯେ, ପୁଞ୍ଜିନିବେଶ ପାଇଁ ଜିଡିପି ଅଭିବୃଦ୍ଧି ତଥ୍ୟ ଏକ ବିଶ୍ବସନୀୟ କାରକ। ଏହାକୁ ଯଥା ସମ୍ଭବ ସଠିକ୍ ରଖିବା ଲାଗି ପ୍ରୟାସ କରାଯିବା ଦରକାର। ୨୦୧୧ରେ ଜିଡିପି ହିସାବ ପାଇଁ ଗ୍ରହଣ କରାଯାଇଥିବା ପଦ୍ଧତି‌ରେ ସଂଶୋଧନ କରାଯାଇଥିଲା। ଏହା ପରେ ବିଶେଷଜ୍ଞ, ନୀତି ନିର୍ଧାରକ ଓ ନାଗରିକମାନଙ୍କ ମଧ୍ୟରେ ଏହାକୁ ନେଇ ବିତର୍କ ହୋଇଥିଲା। ବିଗତ ବର୍ଷଗୁଡ଼ିକରେ ଜିଡିପି ଅଭିବୃଦ୍ଧିର ଭୁଲ ଆକଳନ କରାଯାଇଥିବାର କୌଣସି ପ୍ରମାଣ ନାହିଁ ବୋଲି ସର୍ଭେରେ କୁହାଯାଇଛି।

ସମ୍ବନ୍ଧିତ ଖବର