ଏସ୍‌ଏଫ୍‌ଆଇଓରେ ହାଜର ହେଲେ ପିଏନ୍‌ବି ଏମ୍‌ଡି

ନୂଆଦିଲ୍ଲୀ: ପିଏନ୍‌ବି ଠକେଇ ମାମଲାର ତଦନ୍ତ କରୁଥିବା ସିରିଅସ୍‌ ଫ୍ରଡ୍‌ ଇନଭେଷ୍ଟିଗେସନ୍‌ ଅଫିସ୍‌ (ଏସ୍‌ଏଫ୍‌ଆଇଓ)ରେ ପିଏନ୍‌୍‌ବିର ଏମ୍‌ଡି ସୁନୀଲ ମେହତା ହାଜର ହୋଇଛନ୍ତି। ଦିନ ୧୧ଟାରେ ସେ ଏସ୍‌ଏଫ୍‌ଆଇଓ କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ। ଗତକାଲି ଆକ୍ସିସ୍‌ ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କର ଅଧିକାରୀ ହାଜର ହୋଇଥିଲେ। ସେମାନଙ୍କ ବୟାନ ରେକର୍ଡ କରାଯାଇଥିଲା। ପିଏନ୍‌ବି ଠକେଇ ମାମଲାରେ ଗତ ମାସରେ ସିବିଆଇ ପକ୍ଷରୁ ବ୍ୟାଙ୍କର ଏମ୍‌ଡି ଶ୍ରୀ ମେହତା ଏବଂ ଇଡି କେ ଡି ବ୍ରହ୍ମାଜୀ ରାଓଙ୍କୁ ହାଜର ହେବାକୁ କୁହାଯାଇଥିଲା। ନିରବ ମୋଦି ଏବଂ ମେହୁଲ୍‌ ଚୋକ୍‌ସିଙ୍କ ସଂସ୍ଥା ସହିତ ଜଡ଼ିତ ଥିବା ପ୍ରାୟ ୩୧ଟି ବ୍ୟାଙ୍କର ଅଧିକାରୀମାନଙ୍କୁ ଏସ୍‌ଏଫ୍‌ଆଇଓ ଡକାଇ ବୟାନ ରେକର୍ଡ କରିବାକୁ ଯୋଜନା ରଖିଛି। ଏହି ସବୁ ବ୍ୟାଙ୍କର ଅଧିକାରୀମାନେ ମୋଦି ଏବଂ ଚୋକ୍‌ସିଙ୍କ କଂପାନିକୁ ଋଣ ଦେଇଥିଲେ। ଗତ ବର୍ଷେ ଦୁଇ ବର୍ଷ ଭିତରେ ଯେଉଁ ବ୍ୟାଙ୍କଗୁଡ଼ିକ ଋଣ ଦେଇଥିଲେ ପ୍ରଥମେ ସେହି ବ୍ୟାଙ୍କର ଅଧିକାରୀମାନଙ୍କୁ ଡକାଯିବ ଏବଂ ସେମାନଙ୍କ ବୟାନ ରେକର୍ଡ କରାଯିବ।

ଉଲ୍ଲେଖଯୋଗ୍ୟ, ଲେଟର ଅଫ୍‌ ଅଣ୍ଡରଟେକିଂ (ଏଲ୍‌ଓୟୁ) ଜରିଆରେ ନିରବ ମୋଦି ପିଏନ୍‌ବିର ମୁମ୍ବାଇଠାରେ ଥିବା ବ୍ରେଡି୍‌ ହାଉସ୍‌ ଶାଖା ଜରିଆରେ ୧୨ ହଜାର କୋଟି ଟଙ୍କା ଠକି ନେଇଛନ୍ତି। ସେ ଏବଂ ତାଙ୍କ ମାମୁଁ ମେହୁଲ ଚୋକ୍‌ସି ଦେଶ ଛାଡ଼ି ଚାଲିଯାଇଛନ୍ତି। ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଏହି ମାମଲାର ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର