ପ୍ରମୁଖ ବନ୍ଦର କର୍ତ୍ତୃପକ୍ଷ ବିଲ୍‌ରେ ମୋହର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ପ୍ରମୁଖ ବନ୍ଦର କର୍ତ୍ତୃପକ୍ଷ ବିଲ୍‌କୁ ଅନୁମୋଦନ ପ୍ରଦାନ କରାଯାଇଛି। ଦେଶରେ ଥିବା ୧୨ଟି ପ୍ରମୁଖ ବନ୍ଦରର ପରିଚାଳନା ଲାଗି ୧୯୬୩ରୁ ପ୍ରଚଳନରେ ଥିବା ନିୟମ ବଦଳରେ ଏହି ନୂଆ ନିୟମ ଲାଗୁ କରାଯିବାକୁ ଯୋଜନା ରହିଛି।

ବର୍ତ୍ତମାନ ପ୍ରମୁଖ ବନ୍ଦରଗୁଡ଼ିକ ୧୯୬୩ ମସିହାର ନିୟମ ଅନୁସାରେ ପରିଚାଳିତ ହେଉଛି। ଆଜି କ୍ୟାବିନେଟ୍‌ରେ ଅନୁମୋଦନ ପ୍ରଦାନ କରାଯାଇଥିବା ନୂତନ ବିଲ୍‌କୁ ସଂସଦରେ ଉପସ୍ଥାପନ କରି ତାହାକୁ ନିୟମରେ ପରିଣତ କରାଯିବ ବୋଲି ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟା କହିଛନ୍ତି। ଏହି ନୂଆ ବିଲ୍ ବନ୍ଦରଗୁଡ଼ିକର ପରିଚାଳନା ଦକ୍ଷତାରେ ଉନ୍ନତି ଆଣିବ। ଦେଶରେ ଥିବା ୧୨ଟି ପ୍ରମୁଖ ବନ୍ଦର ହେଉଛି ଦୀନଦୟାଲ, ମୁମ୍ବାଇ, ଜେଏନ୍‌ପିଟି, ମାରମୁଗାଓ, ନିଉ ମାଙ୍ଗାଲୋର, କୋଚିନ୍, ଚେନ୍ନାଇ, କାମାରାଜାର୍, ଭିଓ ଚିଦାମ୍ବର୍‌ନାର୍, ବିଶାଖାପାଟଣା, ପାରାଦୀପ ଓ କୋଲକାତା। ସେହିପରି ତିନି ସରକାରୀ ସାଧାରଣ ବୀମା କଂପାନିକୁ ୨୫୦୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବା ପ୍ରସ୍ତାବକୁ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ତିନି କଂପାନି ହେଉଛି ଓରିଏଣ୍ଟାଲ୍‌ ଇନ୍‌ସ୍ୟୁରାନ୍ସ କଂପାନି, ନ୍ୟାସନାଲ୍ ଇନ୍‌ସ୍ୟୁରାନ୍ସ କଂପାନି ଓ ୟୁନାଇଟେଡ୍ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କଂପାନି। ‌ବଜେଟ୍ ୨୦୨୦-୨୧ରେ ଘୋଷଣା କରାଯାଇଥିବା ବିବାଦ ସେ ବିଶ୍ବାସ ବିଲ୍‌କୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି। ବିଭିନ୍ନ ଟ୍ରିବ୍ୟୁନାଲ୍‌ ଓ କୋର୍ଟରେ ଦୀର୍ଘଦିନ ଧରି ପଡ଼ିରହିଥିବା ପୁରୁଣା ଟିକସ ବିବାଦଗୁଡ଼ିକର ସମାଧାନ କରିବା ଲାଗି ଏହି ସ୍କିମ୍‌କୁ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର